ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ : କେନ୍ଦ୍ର ଶୁଣିଲାନି, ରାଜ୍ୟ କରିବ ପଛୁଆ ବର୍ଗଙ୍କ ସର୍ଭେ

ଅମିିତ ଶାହଙ୍କ ଗସ୍ତ ପୂର୍ବରୁ ଜବାବ ଦେଲା ଓଡ଼ିଶା
ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ ହେବ
ସକାଳେ କ୍ୟାବିନେଟ୍ ନିଷ୍ପତ୍ତି, ଅପରାହ୍‌ଣରେ ଗୃହର ମୋହର
ମୁଖ୍ୟମନ୍ତ୍ରୀ ସର୍ଭେ ପାଇଁ ସର୍ବସମ୍ମତ ସଂକଳ୍ପ ଆଣିଲେ

ଭୁବନେଶ୍ବର : ପଛୁଆ ବର୍ଗଙ୍କ ସ୍ବାର୍ଥ ପ୍ରତି ଓଡ଼ିଶା ଗୁରୁତ୍ବ ଦେଉଛି, କେନ୍ଦ୍ର ନୁହେଁ। କେନ୍ଦ୍ର ସରକାର ଯଦି ଜନଗଣନାରେ ପଛୁଆ ବର୍ଗଙ୍କର ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ସର୍ଭେ କରିବା ଲାଗି ଆଗ୍ରହୀ ନୁହନ୍ତି, ନ କରନ୍ତୁ। କିନ୍ତୁ ଓଡ଼ିଶା ସ୍ବତନ୍ତ୍ର ଭାବେ କରି ଦେଖାଇବ।

ସମଗ୍ର ଦେଶକୁ ଏମିତି ଏକ ବାର୍ତା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କିଛି କ୍ଷଣ ବ୍ୟବଧାନରେ ଦୁଇଟି ଏଭଳି ନିଷ୍ପତ୍ତି ନେଇଛନ୍ତି, ଯାହାକୁ ରାଜନୈତିକ ମହଲରେ ଐତିହାସିକ ବୋଲି କୁହାଯାଉଛି। ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବରେ ମୋହର ବାଜିଲା ଓ ଅପରାହ୍‌ଣରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିସନ (ସଂଶୋଧନ) ବିଧେୟକକୁ ବିଧାନସଭା ଅଳ୍ପ କିଛି ଆଲୋଚନା ପରେ ଅନୁମୋଦନ ଦେଲା। ଫଳରେ ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାର ସର୍ଭେ କମିସନ ସମୟ-ସମୟରେ କରିବେ ଓ ଏହା ରାଜ୍ୟ ସରକାର ସ୍ଥିର କରିବେ।

ଏହାର କିଛି କ୍ଷଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଖେଳ ଖେଳିଲେ। ହଠାତ୍ ରାଜ୍ୟରେ ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ ବୋଲି ନବୀନ ଏକ ସଂକଳ୍ପ ଆଣିଲେ। ଆଉ ଗୃହ ସର୍ବସମ୍ମତି କ୍ରମେ ଏହି ସଂକଳ୍ପକୁ ପାରିତ କଲା। ଅର୍ଥାତ୍ ରାଜ୍ୟ ସରକାର ଏବେ ନିଜେ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂପର୍କରେ ସର୍ଭେ କରିବେ। ଓବିସି ବର୍ଗଙ୍କୁ ନିଜ ଆଡକୁ ଟାଣିନେବା ଲାଗି ନବୀନଙ୍କର ଏଭଳି ପଦକ୍ଷେପକୁ ମାଷ୍ଟର ଷ୍ଟ୍ରୋକ୍ ବୋଲି କୁହାଯାଉଛି।

କୌତୂହଳ ବିଷୟ ହେଲା, ଆସନ୍ତା ୨୮ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଶା କେନ୍ଦ୍ରକୁ ଜବରଦସ୍ତ ଝଟ୍‌କା ଦେଇଛି। କେନ୍ଦ୍ରକୁ ବିଭିନ୍ନ କ୍ଷେତ୍ରରେ ଆଖିବୁଜା ସମର୍ଥନ ଦେଇ ଆସୁଥିବା ବିଜେଡି ସରକାର ଯେ ଅଚାନକ ଏଭଳି ଏକ ନିଷ୍ପତ୍ତି ନେବେ, ଏକଥା କେହି ଠଉରାଇ ପାରିନଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି ଯେ ୧୯୩୧ ମସିହାରେ ଶେଷ ଥର ପାଇଁ ଜାତିଭିତ୍ତିକ ଜନଗଣନା କରାଯାଇଥିଲା, ଯାହା ୯୦ ବର୍ଷ ପୁରୁଣା।

ଗୋଟିଏ ଶତାବ୍ଦୀର ପୁରୁଣା ତଥ୍ୟକୁ ନେଇ ଆମେ ପଛୁଆ ବର୍ଗର ବିକାଶ କରିପାରିବା ନାହିଁ। ଏଭଳି ଆବଶ୍ୟକତାକୁ ଉପଲବ୍ଧି କରି ୨୦୧୧ ସାମାଜିକ ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା କରାଯାଇଥିଲା। ଏହାର ଗୋଟିଏ ଭାଗ ରିପୋର୍ଟ ୨୦୧୭ରେ ପ୍ରକାଶ ପାଇଥିଲା, ଯାହା କିଛି ଯୋଜନାରେ ହିତାଧିକାରୀ ଚୟନ କ୍ଷେତ୍ରରେ କାର୍ଯ୍ୟ କଲା। କିନ୍ତୁ ପଛୁଆ ବର୍ଗ ସଂପର୍କରେ ତଥ୍ୟ ପ୍ରକାଶ କରାଗଲା ନାହିଁ। ଏହାଦ୍ବାରା ଏହି ବର୍ଗକୁ ସଶକ୍ତୀକରଣ କରିବା କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୨୦୧୮ (ଅଗଷ୍ଟ ୩୧)ରେ ପୂର୍ବତନ ଗୃହମନ୍ତ୍ରୀ ରାଜନାଥ ସିଂହ ୨୦୨୧ ଜନଗଣନା ନେଇ ସମୀକ୍ଷା କରିବାବେଳେ ଓବିସିଙ୍କ ତଥ୍ୟ ସାମିଲ ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଜନଗଣନା ସଂପର୍କରେ ଯେଉଁ ତଥ୍ୟ ଦିଆଯାଇଛି, ସେଥିରେ ଏସବୁ କିଛି ନାହିଁ।

ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ନିକଟରେ ୨୦୨୦ ଜାନୁଆରି ୧୧ ତାରିଖରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। କ୍ୟାବିନେଟ୍ ଅନୁମୋଦନ ଆଧାରରେ ଜାତିଭିତ୍ତିକ ଜନଗଣନା ନେଇ ଏକ ସଂକଳ୍ପ ପତ୍ର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଉଭୟ ରାଜ୍ୟସଭା ଓ ଲୋକସଭାରେ ବିଜେଡି ସାଂସଦମାନେ ଏନେଇ ବାରମ୍ବାର ସ୍ୱର ଉଠାଇଲେ। କେନ୍ଦ୍ର ସରକାର କିନ୍ତୁ ଏହା ଉପରେ କୌଣସି ପଦକ୍ଷେପ ନେଲେ ନାହିଁ।

ଏଣୁ ଗତ ଫେବ୍ରୁଆରି ୧୨ ତାରିଖ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିସନ ଗଠନ କରିଛନ୍ତି। ଜଷ୍ଟିସ୍ ରଘୁନାଥ ବିଶ୍ବାଳଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। କେବଳ ସେତିକି ନୁହେଁ, ଏକ ଐତିହାସିକ ଘଟଣା କ୍ରମେ ଆଜି ଓଡ଼ିଶା ବିଧାନସଭା ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିସନ (ସଂଶୋଧନ) ବିଧେୟକକୁ ପାରିତ କରିଛି। ଏଥିପାଇଁ ସେ ସବୁ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହିତ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଏବେ ଓଡ଼ିଶା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ପାଳନ କରୁଛି। ମହାତ୍ମାଗାନ୍ଧୀଙ୍କର ମୁଖ୍ୟ କଥା ଥିଲା ଯେ ସମ୍ବେଦନଶୀଳ ବର୍ଗର ସଶକ୍ତୀକରଣ ରାଜ୍ୟର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର। ମହାତ୍ମାଗାନ୍ଧୀଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ଓଡ଼ିଶା ପଛୁଆ ବର୍ଗର ସର୍ଭେ କରିବା ଲାଗି ନିଷ୍ପତ୍ତି ନେଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୧ ସର୍ଭେରେ ଓବିସି ତଥ୍ୟ ସଂଗ୍ରହ କରାଯାଇଥିଲେ ବି ତଥ୍ୟ ସାମ୍ନାକୁ ଅଣାଯାଇ ନଥିଲା। ଏପରିକି ବର୍ତ୍ତମାନର ବିଜେପି ସରକାର ୨୦୧୩ରେ କଂଗ୍ରେସକୁ ଏନେଇ ସମାଲୋଚନା କରିଥିଲା। ଆଉ କ୍ଷମତାକୁ ଆସିଲେ ଜାତିଭିତ୍ତିକ ତଥ୍ୟ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମୋଦୀ ସରକାର ଏଦିଗରେ ପଦକ୍ଷେପ ନେଇନଥିଲେ।

ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଜେଡି ନେତାମାନେ କହିଛନ୍ତି ଯେ ଦୀର୍ଘ ୧୯୩୧ ମସିହାରୁ ଏଯାବତ୍ ଅପେକ୍ଷା କରି ରହିଥିଲେ ପଛୁଆବର୍ଗର ଲୋକେ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିବାକୁ ଯାଉଛନ୍ତି। ପଛୁଆ ବର୍ଗର ଲୋକଙ୍କୁ କିଭଳି ତାଙ୍କର ନାର୍ଯ୍ୟ ଅଧିକାର ମିଳିବ ସେନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ବିଧାନସଭାରେ ବିଧେୟକ ପାରିତ ହେବା ପୂର୍ବରୁ ଆଲୋଚନାରେ ବିଧାୟକ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସୁର ରାଉତରାୟ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ସାମଲ, ତାରା ପ୍ରସାଦ ବାହିନୀପତି, ନରସିଂହ ମିଶ୍ର ପ୍ରମୁଖ ଭାଗ ନେଇଥିଲେ। ମନ୍ତ୍ରୀ ଜଗନ୍ନାଥ ସାରକା ଏହି ବିଲ୍ ଆଗତ କରିଥିଲେ। ତେବେ ଆଲୋଚନା ବେଳେ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ବିଧେୟକକୁ ଗୋଟିଏ ଦିନ ଅଧିକ ଅନୁଧ୍ୟାନ ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ଶ୍ରୀ ବାହିନୀପତି ବିଲ୍‌କୁ ସ୍ବାଗତ କରିଥିଲେ ହେଁ ଶ୍ରୀ ସାଲୁଜାଙ୍କୁ ସମର୍ଥନ ଜଣାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ଅତୀତରେ ରାଜ୍ୟ ସରକାର ଗୋଟିଏ ଦିନରେ ବହୁ ବିଧେୟକ ପାରିତ କରିଛନ୍ତି। କିନ୍ତୁ ଏ ବିଧେୟକ ପାରିତ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଗୋଟିଏ ଦିନରେ ବିଧେୟକ ପାରିତ ହେବା ନୀତିରେ ପରିଣତ ନ ହେଉ। ଆଜି ଯଦି ଏହା ପାରିତ ନ ହେବ, ତେବେ ଆସନ୍ତାକାଲି ବଜେଟ୍ ଆଗତ ପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଉ କୌଣସି ବିଲ୍ ପାରିତ ହୋଇପାରିବ ନାହିଁ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହାକୁ ସ୍ବାଗତ କରିଥିଲେ ହେଁ, ବିଲ୍ ସଂଶୋଧନ ନ କରି ବି ସରକାର ଓବିସିଙ୍କୁ ସଂରକ୍ଷଣ ଦେଇପାରିଥାନ୍ତେ। ୨୦ ବର୍ଷ ଶାସନ କରିବା ପରେ ସରକାରଙ୍କ ଆଜି ଏ କଥା ମନେ ପଡିଲା।

ସମ୍ବନ୍ଧିତ ଖବର