୧୯ରେ ପ୍ରକାଶ ପାଇବ ଯୁକ୍ତ୨ ବିଜ୍ଞାନ ଫଳ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ମେ’ ୧୯ରେ ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଛାତ୍ରଛାତ୍ରୀ ‘www.chseodisha.nic.in’ ଓ ‘www.orissaresults.nic.in’ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ଏଥର ମଧ୍ୟ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ ପାଇବ ନାହିଁ। ଗତଥର ପରି ଏଥର ମଧ୍ୟ ରେଜଲ୍ଟ ଜାଣିବା ଲାଗି ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବରର ଆବଶ୍ୟକତା ରହିଛି। ଓ୍ଵବସାଇଟ୍‌ରେ ଉଭୟ ନମ୍ବର ଦାଖଲ ନ କଲେ ପରୀକ୍ଷା ଫଳ ବାହାରିବ ନାହିଁ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଗତ ମାର୍ଚ୍ଚ ୫ରୁ ୨୯ ତାରିଖ ପର୍ଯ୍ୟନ୍ତ ୧୧୦୪ଟି ପରୀକ୍ଷା କେନ୍ଦ୍ରରେ ୧୫୦୦ରୁ ଅଧିକ ଯୁକ୍ତ୨ କଲେଜର ୩,୬୫,୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଜ୍ଞାନ ବିଭାଗରେ ୯୬,୧୭୫ ଜଣ ପରୀକ୍ଷା ଦେଇଥିବା ବେଳେ କଳା ବିଭାଗରେ ୨,୩୩,୯୭୮ ଏବଂ ବାଣିଜ୍ୟ ବିଭାଗରେ ୨୭,୪୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ୨୦୧୭ ମସିହାରେ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ମେ’ ୧୨ରେ ପ୍ରକାଶ ପାଇଥିଲା। ପାସ୍‌ହାର ୮୧.୧୧ ପ୍ରତିଶତ ଥିଲା। ଚଳିତବର୍ଷ ବିଳମ୍ବରେ ବିଜ୍ଞାନ ବିଭାଗ ଫଳ ପ୍ରକାଶ ପାଇବାକୁ ଯାଉଛି। ସିବିଏସ୍‌ଇ ପାଠ୍ୟକ୍ରମ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାରୁ ଏଥର ପାସ୍‌ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଇତି ମଧ୍ୟରେ ସମସ୍ତ ବିଭାଗ ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇଛି। ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ବାହାରିବ ବୋଲି ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର