ଭୁବନେଶ୍ୱର : ପେଟ୍ରୋଲ ପମ୍ପ୍ରେ ଚିପ୍, ସେନସର୍ ଓ ଇଲେକ୍ଟ୍ରୋନିିକ୍ସ ଯନ୍ତ୍ରାଂଶ ଲଗାଇ ଲୋକଙ୍କୁ ବେଧଡ଼କ ଠକେଇ ଅଭିଯୋଗ ହେବା ପରେ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ରାଜ୍ୟର ସମସ୍ତ ଏସ୍ପି, କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ପେଟ୍ରୋଲ ପମ୍ପ୍ଗୁଡ଼ିକରେ ଅଚାନକ ଚଢ଼ଉ କରି ଯାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଅଗଷ୍ଟ ମାସରେ ହୋଇଥିବା ଅଚାନକ ଚଢ଼ଉବେଳେ ରାଜ୍ୟର ୮୬ଟି ପେଟ୍ରୋଲ ପମ୍ପ୍ରେ ତେଲ ଠକିବା ପାଇଁ ଚିପ୍ ଲଗା ଯାଇଥିବା ନଜରକୁ ଆସିଥିଲା। ଗତ ମାସରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏହାର କିଛି ମାସ ପୂର୍ବରୁ ଉତ୍ତର ପ୍ରଦେଶରେ ପେଟ୍ରୋଲ ପମ୍ପରେ ଚିପ୍ ଲଗାଇ ତେଲ ଠକୁଥିବା ଏକ ର୍ୟାକେଟ୍ର ପର୍ଦ୍ଦାଫାସ ହୋଇଥିଲା। ଏଥିରେ ଗିରଫ ହୋଇଥିବା ଅଭିଯୁକ୍ତ ଓଡ଼ିଶାର ୮୬ଟି ପେଟ୍ରୋଲ ପମ୍ପରେ ଚିପ୍ ଲଗାଇଥିବା ସ୍ୱୀକାର କରିଥିଲା। ତେଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ମନ୍ତ୍ରଣାଳୟକୁ ଜଣାଇବାକୁ କୁହାଯାଇଥିଲା।
ଉତ୍ତର ପ୍ରଦେଶ ଘଟଣା ପରେ ଗତ ମେ’ ମାସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜଧାନୀର ୨୦ଟି ପେଟ୍ରୋଲ ପମ୍ପ ଉପରେ ଚଢ଼ଉ ହୋଇଥିଲା। ବିଭାଗର ୪ଟି ଟିମ୍ ଏକା ସାଙ୍ଗରେ ୨୦ଟି ସ୍ଥାନରେ ଚଢ଼ଉ କରି ପେଟ୍ରୋଲ ପମ୍ପରେ ଲାଗିଥିବା ମେସିନ୍କୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଏଥିରେ ଜୟ ଅଟୋ ସେଣ୍ଟର, ଲିଙ୍ଗରାଜ ଫିଲିଙ୍ଗ୍ ଷ୍ଟେସନ୍, ରାଜପଥ ମୋଟର୍ସ, ଲକ୍ଷେଶ୍ୱର ଫିଲିଙ୍ଗ ଷ୍ଟେସନ ଓ ଚନ୍ଦ୍ରଶେଖରପୁରରେ ଥିବା ପେଟ୍ରୋଲ ପମ୍ପରେ ଅନିୟମିତତା ଥିବା ଜଣାପଡ଼ିଥିଲା। ଏଥିପାଇଁ ବିଭାଗ ପକ୍ଷରୁ ୪୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହାସହ ଗତ ଅଗଷ୍ଟ ମାସ ୨୪ ଓ ୨୫ତାରିଖରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସମ୍ବଲପୁରର ଦୁଇଟି ପେଟ୍ରୋଲ ପମ୍ପରେ ଚଢ଼ଉ ହୋଇଥିଲା। ମାତ୍ର ସେଠାରେ ତେଲ ଠକେଇ ଯନ୍ତ୍ର ଚିହ୍ନଟ ହୋଇପାରି ନ ଥିଲା।
ପୁଲିସ ଡିଜି ଶର୍ମା କହିଛନ୍ତି, ଏବେ ପୁଲିସ ଓ ଯୋଗାଣ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରତି ମାସରେ ପେଟ୍ରୋଲ ପମ୍ପଗୁଡ଼ିକରେ ଯାଞ୍ଚ କରାଯିବ। ଏନେଇ ବ୍ୟକ୍ତିବିଶେଷଙ୍କ ଅଭିଯୋଗକୁ ମଧ୍ୟ ଗ୍ରହଣ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜି ଶର୍ମା ନିର୍ଦେଶ ଦେଇଛନ୍ତି।