ନକ୍ସଲ ନେତା ଜାମ୍ପାନ୍ନାଙ୍କୁ ରିମାଣ୍ଡରେ ଆଣିବ ଓଡ଼ିଶା ପୁଲିସ

ଭୁବନେଶ୍ୱର: ଗତ ୨୩ ତାରିଖରେ ତେଲଙ୍ଗାନା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଟପ୍‌ ନକ୍ସଲ ନେତା ତଥା କେନ୍ଦ୍ରୀୟ କମିଟି ସଦସ୍ୟ ଜିନିଗୁ ନରସିମା ରେଡ୍ଡି ଓରଫ ଜାମ୍ପାନ୍ନା ଓ ତାର ପତ୍ନୀ ଜୟା ଓରଫ ଦୁର୍ଗା ଓଡ଼ିଶାରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସା ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ତେଣୁ ଏହି ନକ୍ସଲ ଦମ୍ପତିଙ୍କୁ ପଚରାଉଚରା ଲାଗି ଓଡ଼ିଶା ପୁଲିର ଏକ ଟିମ୍‌ ତେଲେଙ୍ଗାନା ଯିବ। ଜଣେ ଏସ୍‌ପି କ୍ୟାଡର୍‌ ଅଫିସରଙ୍କ ନେତୃତ୍ୱରେ ଏକ ଟିମ୍‌କୁ ହାଇଦ୍ରାବାଦ ପଠାଯିବ। ପଚରା ଉଚରା ପରେ ଓଡ଼ିଶାରେ ଘଟିଥିବା ବିଭିନ୍ନ ମାଓ ହିଂସାକାଣ୍ଡରେ ସମ୍ପୃକ୍ତି ନେଇ ଯଦି ନିର୍ଦିଷ୍ଟ ତଥ୍ୟ ମିଳେ ତେବେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ। ଆଜି ରାଜ୍ୟ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି।

ଶ୍ରୀ ଶର୍ମାଙ୍କ ସୂଚନା ମୁତାବକ, ଦୀର୍ଘ ୩୦ ବର୍ଷରୁ ଊର୍ଧ୍ୱ ହେବ ଜାମ୍ପାନ୍ନା ମାଓ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡ଼ିଛି। ସେହିପରି ଜାମ୍ପାନ୍ନାର ପତ୍ନୀ ଦୁର୍ଗା ମଧ୍ୟ ଓଡ଼ିଶାରେ ବିଭିନ୍ନ ସଂଗଠନ ଦାୟିତ୍ୱରେ ରହିଥିଲା। ତେବେ ୨୦୦୯ ମସିହାରୁ ଜାମ୍ପାନ୍ନା ଓଡ଼ିଶାର କୋରାପୁଟ, କନ୍ଧମାଳ ଓ କଳାହାଣ୍ଡିରେ ସକ୍ରିୟ ଥାଇ ବିଭିନ୍ନ ମାଓ ହିଂସାର ନେତୃତ୍ୱ ନେଇଥିଲା। ୨୦୧୧ ମସିହାରେ ସେ ଛତିଶଗଡ଼ ଓ ଓଡ଼ିଶା ବଡ଼ର୍‌ ଷ୍ଟେଟ୍‌ କମିଟିର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲା। ସେହିପରି ୨୦୧୩ ମସିହାରେ ଛତଶଗଡ଼ ଓ ଝାରଖଣ୍ଡ କରିଡର ଓ କେକେବିଏନ୍‌(କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼) ମାଓ ସଂଗଠନର ମୁଖ୍ୟ ଦାୟିତ୍ୱରେ ରହି ବିଭିନ୍ନ ସମୟରେ ହିଂସା ଘଟାଇଥିଲା। ଜାମ୍ପାନ୍ନା ନିର୍ଦେଶ ଓ ନେତୃତ୍ୱରେ ଚଳିତ ବର୍ଷ ଜୁନ୍‌ ମାସରେ ବାଲିଗୁଡ଼ା ଥାନା ଅଞ୍ଚଳରେ ହୋଇଥିବା ନକ୍ସଲ ଆକ୍ରମଣରେ ଜଣେ ଏସ୍‌ଓଜି ଯବାନ ସହିଦ ହେବା ସହ ଅନେକ ଆହତ ହୋଇଥିଲେ। ସେହିପରି ଗତ ସେପ୍ଟେମ୍ବର ୧୦ ତାରିଖରେ ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁଁ ଜଣେ ମହିଳା ମାଓବାଦୀର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିଲେ। ଯେଉଁଥିରେ ଜାମ୍ପାନ୍ନା ମଧ୍ୟ ଆହତ ହୋଇଥିଲା। ସେବେଠାରୁ ସେ ଓଡ଼ିଶାରୁ ଉଭାନ ହୋଇଯାଇଥିଲା। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଓ ସଂଗଠନର ଅନ୍ୟମାନଙ୍କ ସହ ତାଳମେଳ ନ ଖାଇବାରୁ ଜାମ୍ପାନ୍ନା ଏବଂ ଦୁର୍ଗା ଆତ୍ମସମର୍ପଣ କରିଥିବା ତେଲଙ୍ଗାନା ପୁଲିସକୁ କହିଛି। ତେଣୁ ଜାମ୍ପାନ୍ନାକୁ ରିମାଣ୍ଡରେ ଆଣି ପଚରାଉଚରା କଲେ ଓଡ଼ିଶାରେ ଘଟିଥିବା ଏଭଳି ଅନେକ ନକ୍ସଲ ହିଂସାର ରହସ୍ୟ ଉପରୁ ପର୍ଦା ହଟିବ ବୋଲି ଡିଜି ଶ୍ରୀ ଶର୍ମା ଆଶାବାଦୀ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର