ତୁଷ୍ଟୀକରଣ ଉଦ୍ୟମ

୯୮୨୮ କୋଟି ୫୭ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍‌

ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉପରେ ନଜର
ଘର, ରାସ୍ତା, ବିଦ୍ୟୁତ ଏବଂ ପାଣି ଉପରେ ଫୋକସ୍‌

ଭୁବନେଶ୍ୱର : ଅର୍ଥନୀତି ଉପରେ ଜିଏସ୍‌ଟିର ଜବରଦସ୍ତ ପ୍ରଭାବ ରହିଛି। ହେଲେ କ୍ଷତି ଭରଣା ପ୍ରକ୍ରିୟା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ସରକାରଙ୍କ ମୁଣ୍ଡରେ ଏ ନେଇ ଆଉ ଦୁଶ୍ଚିନ୍ତା ନାହିଁ। ଭାରତୀୟ ତୈଳ ନିଗମ ସହିତ ବିବାଦର ସମାଧାନ ପରେ ରାଜ୍ୟ ରାଜକୋଷକୁ ଏକାଥରକେ ଆସିଛି ୩ହଜାର କୋଟିରୁ ଅଧିକ ଟଙ୍କା। ଏସବୁଠୁ ଆଶ୍ୱସ୍ତିର ଖବର ହେଲା, ଖଣି ରାଜସ୍ୱ କ୍ଷେତ୍ରରେ ପାଖାପାଖି ୩୭% ଅଭିବୃଦ୍ଧି ଘଟିଛି।

ଏସବୁ ବଳରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୭-୧୮ ବର୍ଷ ପାଇଁ ୯୮୨୮ କୋଟି ୫୭ଲକ୍ଷ ଟଙ୍କାର ଏକ ବ଼ଡ଼ ଅତିରିକ୍ତ ବଜେଟ୍‌ ପ୍ରସ୍ତୁତ କରିଛନ୍ତି। ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଚଳିତବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟ୍‌ରେ ପ୍ରାୟ ସବୁ ବର୍ଗକୁ ତୁଷ୍ଟୀକରଣ କରିବା ଲାଗି ଢେର୍‌ ଉଦ୍ୟମ କରାଯାଇଛି। ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ସଂଶୋଧିତ ଦରମା ପ୍ରଦାନ ବ୍ୟବସ୍ଥା ହୋଇଛି, ଶିକ୍ଷା ସହାୟକଙ୍କୁ ନିୟମିତ ଦରମା ପାଇଁ ଅର୍ଥ ବରାଦ କରାଯାଇଛି। ଅଙ୍ଗନବାଡି କର୍ମୀ ଓ ସହାୟକମାନଙ୍କୁ ବର୍ଧିତ ହାରରେ ପାରିଶ୍ରମିକ ପ୍ରଦାନ ପାଇଁ ବି ସରକାର ଅର୍ଥ ରଖିଛନ୍ତି। କେବଳ ସେତିକି ନୁହେଁ, ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ବିପର୍ଯ୍ୟୟର ବ୍ୟଥା ସରକାରଙ୍କର ଏତେ

ଗହୀରକୁ ଭେଦିଛି ଯେ ଲୋକଙ୍କୁ ଆକର୍ଷିତ କରିବା ଲାଗି ତଥା ନିଜ ଆଡକୁ ଆଉଥରେ ଟାଣିବା ପାଇଁ ସରକାର କୌଣସି ସୁଯୋଗ ହାତଛ଼ଡା କରିବାକୁ ଚାହିଁନାହାନ୍ତି। ଆସନ୍ତା ବର୍ଷ ପୌର ନିର୍ବାଚନ ଓ ଆଗୁଆ ସାଧାରଣ ନିର୍ବାଚନ ହେବା ନେଇ ବିଚାର କରାଯାଉଥିବାରୁ ସରକାର ଏହାକୁ ଲକ୍ଷ୍ୟ ରଖି ଅର୍ଥ ବରାଦ କରିଛନ୍ତି। ଭିତ୍ତିଭୂମି ଓ ଗ୍ରାମ୍ୟ ଉନ୍ନୟନ ପାଇଁ ଅଧିକ ଅର୍ଥ ବରାଦ କରାଯାଇଛି ଓ ସହରାଞ୍ଚଳ ଉନ୍ନୟନ ପାଇଁ ବି।

ବଜେଟ୍‌ ସଂପର୍କରେ ସୂଚନା ଦେବା ବେଳେ ଅର୍ଥବିଭାଗର ପ୍ରମୁଖ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ କହିଥିଲେ ଯେ ଅତିରିକ୍ତ ବଜେଟ୍‌ରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପିଇବା ପାଣି ତଥା ଜଳସେଚନ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ନିର୍ମାଣ ପାଇଁ ୨୨୭୩ କୋଟି ୪ଲକ୍ଷ ଟଙ୍କା ଦିଆଯାଇଛି ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଲାଗି ୭୧୪ କୋଟି ୯୯ଲକ୍ଷ ଟଙ୍କା ବରାଦ ହୋଇଛି। ବିଦ୍ୟୁତ ବ୍ୟବସ୍ଥାରେ ଭିତ୍ତିଭୂମିର ବିକାଶ ଲାଗି ୬୮୩ କୋଟି ଟଙ୍କା ରଖାଯାଇଛି। ଅର୍ଥାତ୍‌ ଘର, ରାସ୍ତା ଓ ବିଦ୍ୟୁତ ଏବଂ ପାଣି ଉପରେ ସରକାର ଫୋକସ୍‌ ରଖିଛନ୍ତି, ଯାହାକୁ ନେଇ ଲୋକଙ୍କ ପାଖକୁ ଯିବେ ଓ ସେମାନଙ୍କ ଆଦର ସାଉଁଟିବେ।

ଅର୍ଥ ସଚିବ କହିଥିଲେ, ପ୍ରଶାସନିକ ବ୍ୟୟ ବାବଦରେ ୧୭୮୧ କୋଟି ୬୫ଲକ୍ଷ ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ୬୮୧୨ କୋଟି ୭୬ଲକ୍ଷ ଟଙ୍କା, ବିପର୍ଯ୍ୟୟ ଓ ପ୍ରଶମନ ପାଣ୍ଠି ପାଇଁ ୧୧୪୨ କୋଟି ୩୮ଲକ୍ଷ ଟଙ୍କା ଏବଂ ରାଜ୍ୟ ବଜେଟ୍‌ରୁ ସ୍ଥାନାନ୍ତର ସ୍ୱରୂପ ୮୧ କୋଟି ୭୯ଲକ୍ଷ ଟଙ୍କା ଏମିତି ୪ଟି କ୍ଷେତ୍ରକୁ ମିଶାଇ ମୋଟ ୯୮୨୮ କୋଟି ୫୭ ଲକ୍ଷ ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‌ ପ୍ରସ୍ତୁତ କରାଯାଇଛି।

ଅତିରିକ୍ତ ବଜେଟ୍‌ରେ ଯେଉଁ ବ୍ୟୟବରାଦ କରାଯାଇଛି, ତାର ପ୍ରାୟ ଏକ ତୃତୀୟାଂଶରୁ ଅଧିକ ଅର୍ଥାତ୍‌ ୩୯୦୭ କୋଟି ୨୮ ଲକ୍ଷ ଟଙ୍କା ସହବନ୍ଧିତ ଅର୍ଥାତ୍‌ ଟାଏଡ୍‌-ଅପ୍‌ ସମ୍ବଳ ସୂତ୍ରରୁ ମିଳିବ। ସେହିପରି ଅଣବନ୍ଧିତ (ଅନ୍‌ ଟାଏଡ୍‌) ସମ୍ବଳରୁ ୩୩୦୦ କୋଟି ଟଙ୍କା ଆସିବ। ବିଭିନ୍ନ ଯୋଜନା ପାଇଁ ମୂଳ ବଜେଟ୍‌ରେ ଦିଆଯାଇଥିବା ଅର୍ଥରୁ ପାଖାପାଖି ୧୨୧୬ କୋଟି ଖର୍ଚ ହୋଇପାରିବ ନାହିଁ ବୋଲି ହିସାବ କରାଯାଇଛି। ଏ ଟଙ୍କା ଅତିରିକ୍ତ ବଜେଟ୍‌ରେ ଅନ୍ୟ ଖର୍ଚ ପାଇଁ ବରାଦ ହୋଇଛି। ଏବଂ ସଞ୍ଚୟ ଓ ଫେରସ୍ତ ବାବଦରେ ୧୪୦୫ କୋଟି ୨୮ଲକ୍ଷ ଟଙ୍କା ମିଳିବ ଯାହାକୁ ଅତିରିକ୍ତ ବ୍ୟୟ ବରାଦ ବାବଦରେ ଖର୍ଚ କରାଯିବ ବୋଲି ଶ୍ରୀ ପାଣ୍ଡେ ହିସାବ ଦେଇଛନ୍ତି।

ଏହା ସତ୍ତ୍ୱେ ଆର୍ଥିକ ସ୍ଥିତି ଆୟତ୍ତ ବାହାରକୁ ଯାଇନି। ମୂଳ ବଜେଟ୍‌ରେ ସରକାର ପ୍ରସ୍ତାବ ରଖିଥିଲେ ଯେ ବଢାଚଢା ଖର୍ଚ୍ଚକୁ ଭରଣା କରିବା ଲାଗି ପ୍ରାୟ ୧୪ ହଜାର ୩୮୮କୋଟି ଟଙ୍କାର ଋଣ କରାଯିବ। ଏ ମଧ୍ୟରୁ ଖୋଲା ବଜାରରୁ ପ୍ରାୟ ୧୦ ହଜାର ୨୭୩ କୋଟି ୩୯ଲକ୍ଷ କୋଟି ଟଙ୍କା ଋଣ ଉଠାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ଚଳିତ ବର୍ଷ ବର୍ତମାନ ସୁଦ୍ଧା ଖୋଲାବଜାରରୁ ୫୫୦୦ କୋଟି ଟଙ୍କା ଋଣ କରାଯାଇଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା ସମୁଦାୟ ଋଣ ପରିମାଣ ୬୬ ହଜାର ୬୫୬ କୋଟିରେ ପହଞ୍ଚିଛି। ସେପଟେ ପୁଞ୍ଜି ଖର୍ଚ୍ଚ ବାବଦରେ ସରକାର ମୂଳ ବଜେଟ୍‌ରେ ୨୦ ହଜାର ୭୪୪ କୋଟି ଟଙ୍କା ଆକଳନ କରିଥିଲେ, ଯାହା ସାମଗ୍ରିକ ଘରୋଇ ଉତ୍ପାଦର ୫.୦୪% ଥିଲା। ଅତିରିକ୍ତ ବଜେଟ୍‌ରେ ଏହା ସାମଗ୍ରିକ ଘରୋଇ ଉତ୍ପାଦର ୫.୫ ପ୍ରତିଶତ ଛୁଇଁବ। ଉଲ୍ଲେଖଯୋଗ୍ୟ, ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ପ୍ରଥମେ ୧ଲକ୍ଷ ୬ ହଜାର ୯୧୦ କୋଟି ୮୭ଲକ୍ଷ ଟଙ୍କାର ବାର୍ଷିକ ବଜେଟ୍‌ ଉପସ୍ଥାପନ କରିଥିଲେ।

କେଉଁ ଯୋଜନା ପାଇଁ କେତେ

ଭୁବନେଶ୍ୱର : ବିଧାନସଭାରେ ଆଜି ଉପସ୍ଥାପିତ ଅତିରିକ୍ତ ବଜେଟ୍‌ରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମମତା ଯୋଜନାରେ ଆଉ ୧୫୧ କୋଟି ୭୮ଲକ୍ଷ ଟଙ୍କା ବରାଦ ହୋଇଥିବା ବେଳେ ମଧୁବାବୁ ପେନସନ୍‌ ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ ପାଇଁ ୬୨ କୋଟି ୯ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ସେହିପରି ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ଆଇଓସିଏଲ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସଂଶୋଧିତ ଚୁକ୍ତିନାମା ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ସ୍ୱରୂପ ୭୦୦ କୋଟି ଟଙ୍କା ସୁଧ ମୁକ୍ତ ଋଣ ହିସାବରେ ୨୦୧୬-୧୭ ଓ ୨୦୧୭-୧୮ବର୍ଷ ନିମନ୍ତେ ୧୪୦୦ କୋଟି ଟଙ୍କା ବରାଦ ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ପାଇଁ ୧୦ କୋଟି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ପ୍ରଦାନ ପାଇଁ ୩୧ କୋଟି, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୧୪୨ କୋଟି ୩୮ଲକ୍ଷ, ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ସହରାଞ୍ଚଳରେ ଆଦାୟ ହେଉଥିବା ଷ୍ଟାମ୍ପ ଶୁଳ୍‌କରୁ ଅଂଶ ବାବଦକୁ ୮୦ କୋଟି ଟଙ୍କା, ଶିକ୍ଷା ସହାୟକଙ୍କୁ ନିୟମିତ ଦରମା ପାଇଁ ୯୬ କୋଟି ୧୮ଲକ୍ଷ ଟଙ୍କା ଦିଆଯିବାକୁ ବ୍ୟବସ୍ଥା ହୋଇଛି। ଏହାବ୍ୟତୀତ ବିଜେପୁର ଉପନିର୍ବାଚନ ପରିଚାଳନା ପାଇଁ ୧ କୋଟି ୪୫ଲକ୍ଷ ଓ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ ପାଇଁ ୨ କୋଟି ୧୭ ଲକ୍ଷ ଟଙ୍କା ବରାଦ ହୋଇଛି। ନୂଆ ଯୋଜନା ଆମ ଗାଁ ଆମ ବିକାଶରେ ସବୁ ଅପହଞ୍ଚ ଇଲାକାକୁ ରାସ୍ତା ସଂଯୋଗ ଆଦି ଲାଗି ୭୫ କୋଟି ଟଙ୍କା, ପଶ୍ଚିମାଞ୍ଚଳ ଉନ୍ନୟନ ପରିଷଦକୁ ୨୦ କୋଟି ଟଙ୍କା, ବ୍ୟାଘ୍ର ସଂରକ୍ଷଣ ପାଇଁ ୧୭କୋଟି ୩୪ଲକ୍ଷ, ବେସରକାରୀ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ ପାଇଁ ୨୩ କୋଟି ୭ଲକ୍ଷ ଟଙ୍କା ବରାଦ ହୋଇଛି।

କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ୩୩/ ୧୧ କେଭି ସବ୍‌ଷ୍ଟେସନ୍‌ ସ୍ଥାପନ ପାଇଁ ୩୦୦ କୋଟି, ଓପିଜିସି ୟୁନିଟ୍‌ ୩ ଓ ୪ରେ ଅଂଶଧନ ଜମା ପାଇଁ ୧୮୭ କୋଟି ୯୮ ଲକ୍ଷ ଟଙ୍କା ବରାଦ ହୋଇଛି। ବିଜୁ ଗ୍ରାମ ଜ୍ୟୋତି ଯୋଜନା ପାଇଁ ୪୦ କୋଟି, ରାଜଧାନୀରେ ବିଦ୍ୟୁତ ବିକାଶ ପାଇଁ ୮୦ କୋଟି, ସ୍ମାଟ୍‌ ଗ୍ରୀଡ୍‌ ପାଇଁ ୫୦ କୋଟି ଟଙ୍କା ବରାଦ ହୋଇଛି। ଜଳସେଚନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ୪୯୩ କୋଟି ୪୭ ଲକ୍ଷ ରଖାଯାଇଛି।

ଏହାବ୍ୟତୀତ ସରକାର ଆଦିବାସୀଙ୍କୁ ମନାଇବା ପାଇଁ ଯେଉଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି, ତା ପାଇଁ ୧୭୫ କୋଟି ୫୦ ଲକ୍ଷ ଟଙ୍କା ବରାଦ ହୋଇଛି। ‘ଉନ୍ନତି’ ଅନ୍ତର୍ଗତ ସହରାଞ୍ଚଳ ଭିତ୍ତିଭୂମି ପାଇଁ ୨୫୮ କୋଟି ୭୭ ଲକ୍ଷ ଟଙ୍କା ଓ ‘ବସୁଧା’ ଅନ୍ତର୍ଗତ ସହରାଞ୍ଚଳ ଜଳଯୋଗାଣ ପାଇଁ ୧୧୧ କୋଟି ୧୯ ଲକ୍ଷ ଟଙ୍କା ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୃହ ନିର୍ମାଣ ପାଇଁ ୨୮ କୋଟି ୨୭ ଲକ୍ଷ, ଝାରସୁୁଗୁଡା ଏୟାର ଷ୍ଟ୍ରିପ୍‌ ପାଇଁ ୩୨ କୋଟି ୮ଲକ୍ଷ ଟଙ୍କା, ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନକୁ ବର୍ଧିତ ହାରରେ ଅନୁଦାନ ପାଇଁ ୧୪୦ କୋଟି ଟଙ୍କା, ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ୮୪ କୋଟି ୬୬ଲକ୍ଷ ଟଙ୍କା, ଅନୁସୂଚିତ ଜନଜାତିଙ୍କ ଛାତ୍ରୀନିବାସ ପାଇଁ ୭୪ କୋଟି, ନିର୍ମାଣାଧୀନ ଭେଷଜ ମହାବିଦ୍ୟାଳୟର ସମ୍ପୂର୍ଣ୍ଣ ପାଇଁ ୫୭ କୋଟି ୩୦ଲକ୍ଷ, ଓଡ଼ିଶା ସମନ୍ଵିତ ପରିମଳ ଉନ୍ନୟନ ପ୍ରକଳ୍ପ ପାଇଁ ୧୦୯ କୋଟି ୧୦ଲକ୍ଷ, ବାଙ୍କି ମୁହାଣଠାରେ ଜଳ ନିଷ୍କାସନର ଦିଗ ପରିବର୍ତନ ପାଇଁ ୧୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ବିଜୁ ଯୁବ ସଶକ୍ତିକରଣ ପାଇଁ ୫୦ କୋଟି, ୨୦୧୮ ବିଶ୍ୱ କପ୍‌ ହକି ପାଇଁ ୧୭ କୋଟି ୨୦ଲକ୍ଷ, ଅନ୍ୟାନ୍ୟ କ୍ରୀଡା ଭିତ୍ତିଭୂମି ପାଇଁ ୪୦ କୋଟି, ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ଲାଗି ୭୦ କୋଟି ଟଙ୍କା ବରାଦ ହୋଇଛି।

ଅତିରିକ୍ତ ବଜେଟ୍‌ରେ କେଉଁ ବିଭାଗକୁ କେତେ ଅର୍ଥ

ବିଭାଗ ଅତିରିକ୍ତ ବ୍ୟୟବରାଦ (କୋଟି ଟଙ୍କାରେ)

ଗୃହ ୧୬୪.୨୦
ସାଧାରଣ ପ୍ରଶାସନ ୭୬.୭୧
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ୧୫.୫୨
ଆଇନ ୨.୯୪
ଅର୍ଥ ୧୪୦୦.୦୧
ବାଣିଜ୍ୟ ୦.୧୮
ନିର୍ମାଣ ୧୮.୦୭
ଓଡ଼ିଶା ବିଧାନସଭା ୭.୧୧
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧.୭୯
ବିଦ୍ୟାଳୟ ଓ ଗଣଶିକ୍ଷା ୪୩୨.୨୨
ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ୨୩୭.୪୬
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୧୧୪.୭୮
ଗୃହ ନିର୍ମାଣ ଓ ପୌର ଉନ୍ନୟନ ୬୬୯.୮୩
ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ୩୫.୯୨
କ୍ରୀଡ଼ା ଓ ଯୁବସେବା ୧୧୦.୮୨
ଯୋଜନା ଓ ସଂଯୋଜନା ୩୨୨.୩୫
ପଞ୍ଚାୟତିରାଜ ୨୪୯୩.୮୪
ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ୦.୦୦
ଶିଳ୍ପ ୧୮.୩୦
ଜଳସମ୍ପଦ ୫୩୮.୦୨
ପରିବହନ ୨୭.୭୭
ଜଙ୍ଗଲ ଓ ପରିବେଶ ୩୧.୦୫
କୃଷି ଓ କୃଷକ ସଶକ୍ତୀକରଣ ୧୫.୧୬
ଇସ୍ପାତ ଓ ଖଣି ୦.୦୦
ସୂଚନା ଓ ଲୋକସମ୍ପର୍କ ୧୮.୯୮
ଅବକାରୀ ୦.୦୭
ବିଜ୍ଞାନ ଓ ବୈଷୟିକ ୦.୦୦
ଗ୍ରାମ୍ୟ ଉନ୍ନୟନ ୭୨୪.୬୯
ସଂସଦୀୟ ବ୍ୟାପାର ୨.୮୨
ଶକ୍ତି ୬୮୩.୧୬
ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ୦.୯୬
ପର୍ଯ୍ୟଟନ ଓ ସଂସ୍କୃତି ୨୨.୩୩
ମତ୍ସ୍ୟ ଓ ପଶୁ ସମ୍ପଦ ଉନ୍ନୟନ ୮.୪୪
ସମବାୟ ୪.୯୭
ସରକାରୀ ଉଦ୍ୟୋଗ ୨.୦୯
ମହିଳା ଓ ଶିଶୁ ବିକାଶ ୩୦୬.୧୭
ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ୦.୩୧
ଉଚ୍ଚ ଶିକ୍ଷା ୪୩.୨୧
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ୫୧.୯୧
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୧୬.୮୮
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ୬୩.୭୫
ବିପର୍ଯ୍ୟୟ ପରିଚାଳନା ୧୧୪୩.୮୦
ମୋଟ ୯୮୨୮.୫୭

ସମ୍ବନ୍ଧିତ ଖବର