ଇନ୍‌ଭେଷ୍ଟ ଇଣ୍ଡିଆ-ଓ୍ଵାର୍ଲଡ୍‌ ବ୍ୟାଙ୍କ ସର୍ଭେ : ଓଡ଼ିଶାକୁ ‘ଆସ୍ପାୟରିଂ ଲିଡର’ ର‍୍ୟାଙ୍କ୍‌

ଭୁବନେଶ୍ୱର : ଇନ୍‌ଭେଷ୍ଟ ଇଣ୍ଡିଆ ଏବଂ ଓ୍ଵାର୍ଲଡ୍‌ ବ୍ୟାଙ୍କ ଦ୍ୱାରା ହୋଇଥିବା ମିଳିତ ସର୍ଭେରେ ଓଡ଼ିଶାକୁ ‘ଆସ୍ପାୟରିଂ ଲିଡର୍‌‘ ର‍୍ୟାଙ୍କ୍‌ ମିଳିଛି। ଗତ କିଛି ବର୍ଷ ମଧ୍ୟରେ ପୁଞ୍ଜିନିବେଶ ପ୍ରୋତ୍ସାହନ ଦିଗରେ ବିଭିନ୍ନ ପଦକ୍ଷେପ ଯୋଗୁଁ ରାଜ୍ୟ ଏଭଳି ମର୍ଯ୍ୟାଦାଜନକ ସ୍ଥାନ ଅଧିକାର କରିପାରିଛି। ଦେଶର ୨୧ଟି ରାଜ୍ୟକୁ ନେଇ ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା।

ସର୍ଭେ ଫଳାଫଳ ଅନୁସାରେ ଓଡ଼ିଶା ମୋଟାମୋଟି ଭାବେ ୮୦ ପ୍ରତିଶତ ସ୍କୋର କରିଛି। ଅନ୍ୟ ୪ଟି ରାଜ୍ୟ ସହିତ ରାଜ୍ୟ ‘ଆସ୍ପାୟରିଂ ଲିଡର୍‌‘ ବର୍ଗରେ ନିଜକୁ ସ୍ଥାନିତ କରିପାରିଛି। ଜାତୀୟ ହାରାହାରି ସ୍କୋର ୭୦ ପ୍ରତିଶତ ତୁଳନାରେ ଓଡ଼ିଶାର ସ୍କୋର ଢେର୍‌ ଅଧିକ। ସମସ୍ତ ମାପକାଠିରେ ରାଜ୍ୟର ସ୍କୋର ବେଶ୍‌ ଆଶାଜନକ ରହିଛି। ଟାର୍ଗେଟିଂ ଇନ୍‌ଭେଷ୍ଟର୍ସରେ ଓଡ଼ିଶା ଶତ ପ୍ରତିଶତ ସ୍କୋର କରିଥିବା ବେଳେ ଫାସିଲିଟେଟିଂ ଇନ୍‌ଭେଷ୍ଟମେଣ୍ଟରେ ବି ଶତ ପ୍ରତିଶତ, ମ୍ୟାଣ୍ଡେଟ୍‌ ଆଣ୍ଡ ଅର୍ଗାନାଇଜେସନ୍‌ରେ ୯୪%, ଷ୍ଟ୍ରାଟେଜି ଆଣ୍ଡ ମାର୍କେଟିଂରେ ୮୩%, ଓ୍ଵିନିଂ ଇନ୍‌ଭେଷ୍ଟମେଣ୍ଟ ପ୍ରୋଜେକ୍ଟସ୍‌ରେ ୮୩%, ସିଷ୍ଟମ୍‌ସ ଆଣ୍ଡ ଟେକ୍ନୋଲୋଜିରେ ୭୩% ଏବଂ ରିସର୍ଚ୍ଚ ଆଣ୍ଡ ପଲିସି ଆଡ୍‌ଭୋକେସିରେ ୭୦% ସ୍କୋର କରିଛି।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍‌ଡ଼ାଙ୍କ କହିବାନୁସାରେ ‘ଇନ୍‌ଭେଷ୍ଟ ଇଣ୍ଡିଆ ଏବଂ ଓ୍ଵାର୍ଲ୍ଡ ବ୍ୟାଙ୍କର ମିଳିତ ସର୍ଭେରେ ‘ଆସ୍ପାୟରିଂ ଲିଡର୍‌‘ ଭାବେ ସ୍ଥାନିତ ହେବା ରାଜ୍ୟ ପାଇଁ ଗୌରବଜନକ। ପୁଂଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହାରରେ ଆସୋଚାମ୍‌ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ର‍୍ୟାଙ୍କିଙ୍ଗ୍‌ କରିଛି। ଲାଇଭ୍‌ ମାନୁଫାକ୍ଚରିଂ ପୁଂଜିନିବେଶ ଆଧାରରେ ଦେଶର ପ୍ରମୁଖ ୩ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଥିବା ଶିଳ୍ପ ବିଭାଗ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର