କ୍ୟାମ୍ପସ୍‌ରେ ଅସୁରକ୍ଷିତ ଛାତ୍ରଛାତ୍ରୀ : ର‍୍ୟାଗିଂରେ ଓଡ଼ିଶା ୪ ନମ୍ବର

୫ ବର୍ଷରେ ଓଡ଼ିଶାରେ ୨୦୭ଟି ଅଭିଯୋଗ, ଆଗରେ ଉତ୍ତର ପ୍ରଦେଶ, ନାଗାଲାଣ୍ଡରେ ଶୂନ

ଭୁବନେଶ୍ୱର : କ୍ୟାମ୍ପସ ର‍୍ୟାଗିଂରେ ଓଡ଼ିଶା ଆଗରେ। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକୁ ପଛରେ ପକାଇ ଓଡ଼ିଶା ଆଗୁଆ ୫ ରାଜ୍ୟ ମଧ୍ୟରେ ରହିଛି। ୨୦୧୩ରୁ ୨୦୧୭ ମଧ୍ୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିକଟରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ଏଭଳି ତଥ୍ୟ ପଦାକୁ ଆସିଛି। ୫ ବର୍ଷ ମଧ୍ୟରେ ୟୁଜିସି ନିକଟରେ ୩ ହଜାର ୨୨ଟି ଅଭିଯୋଗ ଦାଖଲ ହୋଇଛି। ଅଭିଯୋଗଗୁଡ଼ିକର ତଦନ୍ତ କରାଯାଇ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀଙ୍କ ବିରୋଧରେ ଦଣ୍ଡବିଧାନ ହୋଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ତଥ୍ୟରୁ ଜଣାପଡ଼ିଛି ଯେ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୨୦୭ଟି ଅଭିଯୋଗ ହୋଇଛି। ସେଥିମଧ୍ୟରୁ ଅଧିକାଂଶ ଅଭିଯୋଗ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଅଧୀନ ଶିକ୍ଷାନୁଷ୍ଠାନଗୁଡ଼ିକରୁ ହୋଇଥିବା ଜଣାପଡ଼ିଛି। ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀ ମୁଖ୍ୟତଃ ର‍୍ୟାଗିଂର ଶିକାର ହୋଇଛନ୍ତି। ଗତ ୩ ବର୍ଷରେ ଓଡ଼ିଶାରେ ର‍୍ୟାଗିଂ ବୃଦ୍ଧି ପାଇଛି। ୨୦୧୫ରେ ୩୦ଟି ର‍୍ୟାଗିଂ ଅଭିଯୋଗ ହୋଇଥିବା ବେଳେ ୨୦୧୬ରେ ଏହି ସଂଖ୍ୟା ୨୮କୁ ହ୍ରାସ ପାଇଥିଲା। ହେଲେ ୨୦୧୭ରେ ତାହା ପୁଣିଥରେ ବୃଦ୍ଧି ପାଇ ୪୬ରେ ପହଞ୍ଚିଛି। ପଶ୍ଚିମବଙ୍ଗ ବ୍ୟତୀତ ଓଡ଼ିଶାର ଅନ୍ୟ ପଡ଼ୋଶୀ ରାଜ୍ୟଗୁଡ଼ିକ ର‍୍ୟାଗିଂ ଘଟଣାରେ ପଛରେ ରହିଛନ୍ତି। ୨୦୧୭ରେ ଛତିଶଗଡ଼ରୁ ୯ଟି ର‍୍ୟାଗିଂ ଅଭିଯୋଗ
ହୋଇଥିବା ବେଳେ ଝାଡ଼ଖଣ୍ଡରୁ ୨୦, ଆନ୍ଧ୍ରପ୍ରଦେଶରୁ ୨୮ଟି ର‍୍ୟାଗିଂ ଅଭିଯୋଗ ହୋଇଛି।

କେବଳ ଯେ ଓଡ଼ିଶାରେ ର‍୍ୟାଗିଂ ବଢ଼ିଛି ତାହା ନୁହେଁ। ଗତ ୫ ବର୍ଷ ମଧ୍ୟରେ ଦେଶର ଅଧିକାଂଶ ରାଜ୍ୟରେ ର‍୍ୟାଗିଂ ବଢ଼ିଛି। ୨୦୧୩ରେ ସାରା ଦେଶରୁ ୬୪୦ଟି ଅଭିଯୋଗ ଆସିଥିଲା। ଏହି ସଂଖ୍ୟା ୨୦୧୭ରେ ୯୦୧ରେ ପହଞ୍ଚିଛି। ହାରାହାରି ୪୧ ପ୍ରତିଶତ ର‍୍ୟାଗିଂ ବୃଦ୍ଧି ପାଇଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ୨୦୧୫ରେ ଅଭିଯୋଗ ସଂଖ୍ୟା ୪୨୩ ଥିବା ବେଳେ ୨୦୧୬ରେ ୫୧୫ଟି ଅଭିଯୋଗ ହୋଇଥିଲା।

ର‍୍ୟାଗିଂରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ରହିଛି। ଏଠାରେ ୫ ବର୍ଷରେ ୪୬୧ଟି ଅଭିଯୋଗ ହୋଇଛି, ଯାହାକି ମୋଟ ଅଭିଯୋଗର ୧୫ ପ୍ରତିଶତ। ଏହାତଳକୁ ମଧ୍ୟପ୍ରଦେଶରେ ୩୫୭, ପଶ୍ଚିମବଙ୍ଗରେ ୩୩୭, ବିହାରରେ ୧୭୦, ତାମିଲନାଡ଼ୁ ୧୬୫, ମହାରାଷ୍ଟ୍ରରେ ୧୬୦, କେରଳରେ ୧୫୧, ରାଜସ୍ଥାନରେ ୧୪୩, କର୍ଣ୍ଣାଟକରେ ୧୩୯ ରହିଛି। ନାଗାଲାଣ୍ଡ ସମେତ ଡାମନ୍‌ ଡିଉ, ଦାଦ୍ରା ନଗର ହାବେଳି, ଲାକ୍ଷାଦୀପ, ଆଣ୍ଡାମାନ ନିକୋବରରେ କୌଣସି ର‍୍ୟାଗିଂ ଅଭିଯୋଗ ଆସି ନାହିଁ। ଯେତେବେଳେ କି ଅରୁଣାଚଳ ପ୍ରଦେଶରେ ୨, ଗୋଆରେ ୨, ସିକିମ୍‌ରେ ୪, ମେଘାଳୟରେ ୪, ମିଜୋରାମରେ ୫, ମଣିପୁରରେ ୬ ଜଣ ଛାତ୍ର ର‍୍ୟାଗିଂର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର