ଜୁଲାଇ ସୁଦ୍ଧା ରାଜସ୍ୱ ଆଦାୟ ୩୩% ଓ ଖର୍ଚ ୧୦% ବଢ଼ିଛି

ସଚିବସ୍ତରୀୟ ବୈଠକ

ଭୁବନେଶ୍ୱର : ବିଗତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜସ୍ୱ ଆଦାୟ ଓ ଖର୍ଚ ହାର ଯେତିକି ଥିଲା, ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ସେଥିରେ ଯଥାକ୍ରମେ ୩୩ ପ୍ରତିଶତ ଓ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ମୁଖ୍ୟତଃ ଏହି ଆର୍ଥିକ ଅଭିବୃଦ୍ଧି ହାସଲ ହୋଇଥିବା ଦର୍ଶାଯାଇଛି।

ବୈଠକରୁ ମିଳିଥିବା ସୂଚନାନୁସାରେ ଗତ ବର୍ଷ ୨୦୧୭-୧୮ ଜୁଲାଇ ମାସ ଶେଷ ସୁଦ୍ଧା ୧୬୩୨୮ କୋଟି ଖର୍ଚ ହୋଇଥିଲା। ଚଳିତ ବର୍ଷ ୨୦୧୮-୧୯ ଜୁଲାଇ ମାସ ଶେଷ ବେଳକୁ ଖର୍ଚ ପରିମାଣ ୧୭୯୮୩ କୋଟିକୁ ବୃଦ୍ଧି ପାଇଛି। ଏହି ବୃଦ୍ଧି ହାର ପ୍ରାୟ ୧୦ ପ୍ରତିଶତ। ଏଥର ସାମାଜିକ ବିକାଶ କ୍ଷେତ୍ରରେ ୨୩ ପ୍ରତିଶତ ଅର୍ଥ ବିନିଯୋଗ ହୋଇଛି। ଅନୁରୂପ ଭାବେ ଗତ ଆର୍ଥିକ ବର୍ଷର ଜୁଲାଇ ମାସ ଶେଷ ସୁଦ୍ଧା ରାଜସ୍ୱ ଆଦାୟ ହୋଇଥିଲା ୯୮୦୭ କୋଟି। ଏଥର ଏହା ୧୩୦୧୬ କୋଟିରେ ପହଞ୍ଚିଛି। ଖଣି ଓ ଇସ୍ପାତ ବିଭାଗ ଦ୍ୱାରା ଖଣିଜ ରାଜସ୍ୱ ଆଦାୟ ସର୍ବାଧିକ ୭୨ ପ୍ରତିଶତ ବୃଦ୍ଧି ଘଟିଛି। ଗତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ଖଣି ରୟାଲ୍‌ଟି ବାବଦରେ ୧୭୬୯ କୋଟି ଆଦାୟ ହୋଇଥିବା ବେଳେ ଏଥର ଏହା ୩୦୩୯ କୋଟିକୁ ବୃଦ୍ଧି ପାଇଥିବା ବୈଠକରେ ଦର୍ଶାଯାଇଥିଲା।

ବର୍ତମାନ ସୁଦ୍ଧା ୫୦୧୩ କୋଟିର ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଆଦାୟ ହୋଇଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡ଼ିକୁ କ୍ଷେତ୍ରସ୍ତରରେ ଡିଏମ୍‌ଏଫ୍‌ ସହ ସମନ୍ଵିତ କରି କାର୍ଯ୍ୟକାରୀ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ସରକାରୀ କୋଠାବାଡ଼ି ନିମନ୍ତେ ଆବଶ୍ୟକ ଅନୁମତି ଆଣିବା ପାଇଁ ନିର୍ମାଣକାରୀ ସଂସ୍ଥା ଓ ବିଭାଗ ମୁଖ୍ୟମାନଙ୍କୁ ନିର୍ଦେଶ ଦେଇଥିଲେ ଶ୍ରୀ ପାଢ଼ୀ।

ସମ୍ବନ୍ଧିତ ଖବର