ସାହିତ୍ୟ ଏକାଡେମି ପୁରସ୍କାର ଭାଗବଣ୍ଟାକୁ ନାପସନ୍ଦ

ସାମାଜିକ ଗଣମାଧ୍ୟମରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର : ନିକଟରେ ଘୋଷଣା ହୋଇଛି ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର। ୨୦୧୨ ଓ ୨୦୧୩ ପାଇଁ ଏହି ସମ୍ମାନ ଘୋଷଣା କରାଯାଇଛି। ମାତ୍ର ଗୋଟିଏ ବିଭାଗରେ ୩ ଜଣ ଓ ୨ ଜଣ ଲେଖାଏଁ ଲେଖକଙ୍କୁ ଚୟନ କରିବା ନେଇ ସାହିତ୍ୟିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମାଜିକ ଗଣମାଧ୍ୟମରେ ଏ ନେଇ ଅନେକ ସାହିତ୍ୟିକ ଓ ଯୁବ ଲେଖକ/ପାଠକ ପ୍ରତିକ୍ରିୟା ରଖିଛନ୍ତି। ଏକାଡେମି ପୁରସ୍କାର ରାଶି ଗୋଟେ ବିଭାଗ ପାଇଁ ୩୦ ହଜାର ଟଙ୍କା ରହିଥିବା ବେଳେ ସଂପୃକ୍ତ ବିଭାଗରେ ଚୟନ କରାଯାଇଥିବା ୩ ଜଣଙ୍କୁ ସେଇ ୩୦ ହଜାର ଟଙ୍କା ଭାଗ ବାଣ୍ଟି ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବା ଥୟ ହୋଇଛି। ତେଣୁ ସାହିତ୍ୟ କୃତୀ ଓ ସାହିତ୍ୟିକଙ୍କ ଅବଦାନ ସ୍ୱରୂପ ପୁରସ୍କାର ରାଶି ଭାଗ ବଣ୍ଟା ହେବା ଅଶୋଭନୀୟ ବୋଲି ଅନେକ ମତ ରଖିଛନ୍ତି।

ବାସ୍ତବ କଥା ହେଉଛି ଚଳିତ ବର୍ଷ ୨୦୧୩ ପାଇଁ ୯ଟି ବିଭାଗରେ ୧୩ ଜଣ ଏବଂ ୨୦୧୪ ପାଇଁ ୯ଟି ବିଭାଗରେ ମୋଟ୍‌ ୧୧ ଜଣଙ୍କ ନାମ ଘୋଷଣା କରାଯାଇଛି। ୨୦୧୩ରେ କାବ୍ୟ କବିତା ପାଇଁ ୩ ଜଣ କବିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଜୀବନୀ ଓ ଭ୍ରମଣ ସାହିତ୍ୟ ପାଇଁ ୨ ଜଣ ଏବଂ ଶିଶୁ ସାହିତ୍ୟ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି। ସେହିଭଳି ୨୦୧୪ ପାଇଁ କାବ୍ୟ କବିତାରେ ୨ ଜଣ ଏବଂ ଜୀବନୀ ଓ ଭ୍ରମଣ ସାହିତ୍ୟରେ ୨ ଜଣଙ୍କ ନାମ ଘୋଷଣା କରାଯାଇଛି। ଏପରି ଯେ ଆଗରୁ ହୋଇନି ସେକଥା ନୁହେଁ, ମାତ୍ର ଏହାକୁ ନେଇ ସାହିତ୍ୟିକ ମହଲରେ ଚର୍ଚା ଆରମ୍ଭ ହୋଇଯାଇଛି। ପ୍ରଥମତଃ ୨୦୧୩ର ପୁରସ୍କାର ୩ ବର୍ଷ ପରେ ଘୋଷଣା ହେଉଛି, ପୁଣି ତା ସାଙ୍ଗକୁ ପୁରସ୍କାର ଭାଗବଣ୍ଟା ସାରସ୍ୱତ ସମାଜ ପାଇଁ ଅଶୋଭନୀୟ ବୋଲି ମତ ଉଠିଛି। ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ଅର୍ଥରାଶି ବିଭାଜିତ ନହେଲେ ଭଲ ହୁଅନ୍ତା ବୋଲି ନିଜର ମତ ରଖିଛନ୍ତି। ସେହିଭଳି ଲେଖକ ବସନ୍ତ କୁମାର ପଣ୍ଡା କହିଛନ୍ତି ଯେ, ଗୋଟିଏ ବିଭାଗରେ ଏକାଧିକ ଲେଖକଙ୍କୁ ଚୟନ କରିବାରେ କିଛି ଯାଏଆସେ ନାହିଁ କିନ୍ତୁ ସମସ୍ତ ଲେଖକଙ୍କୁ ପୂର୍ଣ୍ଣ ଅର୍ଥରାଶି ଦେଇ ପୁରସ୍କୃତ କରାଯିବା ଆବଶ୍ୟକ।

ଖାଲି ସେତିକି ନୁହେଁ, ପୁରସ୍କାର ଚୟନରେ ଅନିୟମିତତା ହୋଇଥିବା ନେଇ ମଧ୍ୟ ସାମାଜିକ ଗଣମାଧ୍ୟମରେ ଅଭିଯୋଗ ଉଠିଛି। ଏଥିସହିତ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବଙ୍କୁ ଅନିୟମିତତା ପାଇଁ ଦାୟୀ କରି ଫେସ୍‌ବୁକ୍‌ରେ କିଛି ନିର୍ଦିଷ୍ଟ ବ୍ୟକ୍ତି ସମାଲୋଚନା କରିଛନ୍ତି। ଏନେଇ ଓଡ଼ିଶା ସାହିତ୍ୟ ଏକାଡେମିିର ସଚିବ ଅଶ୍ୱିନୀ ମିଶ୍ର କହିଛନ୍ତି ଯେ, ପ୍ରଥମତଃ ପୁରସ୍କାର ଚୟନ ୪ଟି ପର୍ଯ୍ୟାୟରେ କରାଯାଉଥିବାରୁ ଏଥିରେ ଅନିୟମିତତାର ପ୍ରଶ୍ନ ଉଠୁନାହିଁ। ବହି ପାଇଁ ଆବେଦନ ହେବା ପରେ ଏକ ୧୫ ଜଣିଆ କମିଟି ଉପଯୁକ୍ତ ବହି ଚୟନ କରନ୍ତି। ପ୍ରତି ବିଭାଗରେ ୧୫ ଜଣଙ୍କ ମଧ୍ୟରୁ ଅନ୍ତତଃ ୧୦ ଜଣଙ୍କ ସମ୍ମତି କ୍ରମେ ନିର୍ଦିଷ୍ଟ ପୁସ୍ତକ ଚୟନ କରାଯାଏ। ପରେ ଏହା କାର୍ଯ୍ୟକାରୀ କମିଟି ଦ୍ୱାରା ବଛା ଯାଇଥିବା ୩ ଜଣିଆ ବିଚାରକଙ୍କ ଦ୍ୱାରା ଚୟନ କରାଯାଏ। ଶେଷରେ ସଂସ୍କୃତି ବିଭାଗର ନିର୍ଦେଶକ, ଏକାଡେମି ସଭାପତି, ଉପସଭାପତି, ଅର୍ଥ ପରାମର୍ଶଦାତା, ସଚିବ ଏବଂ ୪ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କୁ ନେଇ ଏକ ୯ଜଣିଆ କମିଟି ଚୂଡ଼ାନ୍ତ ଚୟନ କରନ୍ତି। ଏହି ଚୟନ ଗ୍ରେଡେସନ୍‌ ଭିତ୍ତିରେ କରାଯାଉଥିବାରୁ ଗୋଟେ ବିଭାଗରେ ୩ ଜଣ ଓ ୨ ଜଣ ଯୋଗ୍ୟ ବିବେଚିତ ହେବାର ସମ୍ଭାବନା ରହିଛି ଏବଂ ଏଭଳି ଆଗରୁ ମଧ୍ୟ ହୋଇଛି। ତେଣୁ ଅନିୟମିତତାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ମନଇଚ୍ଛା ଜଣଙ୍କ ବ୍ୟକ୍ତିଗତ ଚରିତ୍ର ସଂହାର କରିବା ପୂର୍ବରୁ ସେମାନେ ପ୍ରକୃତ ସତ୍ୟାସତ୍ୟ ଜାଣନ୍ତୁ। ଯଦି ଆବଶ୍ୟକ ପଡ଼େ ମୁଁ ଖୋଲା ମଞ୍ଚରେ ଏ ସମ୍ବନ୍ଧରେ ମୋ’ର ମତ ରଖିବି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର