ଓଡ଼ିଶାରେ ହେବାକୁ ଥିବା ଗୀତାଞ୍ଜଳୀର ଜେମ୍ସ ଏଣ୍ଡ ଜୁଏଲାରୀ ପାର୍କର ଅନୁମୋଦନ ବାତିଲ

ଭୁବନେଶ୍ୱର : ମେହୁଲ ଚୋକସୀଙ୍କ ଗୀତାଞ୍ଜଳୀ ଇନଫୋଟେକ ପକ୍ଷରୁ ଓଡ଼ିଶାରେ ପ୍ରସ୍ତାବିତ ୬୩୬ କୋଟି ଟଙ୍କାର ଜେମ୍ସ ଏଣ୍ଡ ଜୁଏଲାରୀ, ଲାଇଫଷ୍ଟାଇଲ ଓ ଲଜକୁରୀ ଗୁଡ୍ସ ପାର୍କକୁ ରାଜ୍ୟ ସରକାର ବାତିଲ କରିଦେଇଛନ୍ତି । ବହୁକୋଟି ଟଙ୍କାର ପିଏନବି ଋଣ ଠକେଇ ମାମଲାରେ ଅଭିଯୁକ୍ତ ମେହୁଲ ଚୋକସୀ ନିଜ ଭଣଜା ନିରବ ମୋଦି ସହ ଭାରତରୁ ଫେରାର ହୋଇଯାଇଥିବାରୁ ସରକାର ଏହି ପଦକ୍ଷେପ ନେଇଥିବା ଜଣାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରୀ ମାସରେ ପିଏନବି ଠକେଇ ଧରା ପଡିଥିଲା । ଲେଟର ଅଫ୍ ଅଣ୍ଡରଟେକିଂ (ଏଲ୍ଓୟୁ) ଜରିଆରେ ନିରବ ମୋଦି ପିଏନ୍ବିର ମୁମ୍ବାଇଠାରେ ଥିବା ବ୍ରେଡି୍ ହାଉସ୍ ଶାଖା ଜରିଆରେ ୧୧,୪୦୦ ହଜାର କୋଟି ଟଙ୍କା ଠକି ନେଇଛନ୍ତି ବୋଲି ପିଏନବି କହିଥିଲା । ତେବେ ଫେବ୍ରୁଆରୀ ୨୭ରେ ପିଏନବି ପକ୍ଷରୁ ଆଉ ୧୩ଶହ କୋଟିର ଋଣ ନିଆଯାଇଥିବା ଧରା ପଡିଲା । ପରେ ଆଉ ୯୬୦ କୋଟି ଧରାପଡିବା ପରେ ମୋଟ ଠକେଇ ଋଣ ପରିମାଣ ୧୩,୬୦୦ କୋଟି ଟପିଯାଇଛି ।

କଟକ ଜିଲ୍ଲାର ରାମଦାସପୁରଠାରେ ଏହି ଜେମ୍ସ ଏଣ୍ଡ ଡାଇମଣ୍ଡ, ଲାଇଫଷ୍ଟାଇଲ ଓ ଲଜକୁରୀ ଗୁଡ୍ସ ପାର୍କ ପ୍ରତିଷ୍ଠା ପାଇଁ ମେହୁଲ ଚୋକସୀଙ୍କ ଗୀତାଞ୍ଜଳୀ ଇନଫୋଟେକ ପ୍ରସ୍ତାବ ଦେଇଥିଲା । ଏଥିପାଇଁ କମ୍ପାନି ତରଫରୁ ସବିଶେଷ ପ୍ରକଳ୍ପ ରିପୋର୍ଟ ଦାଖଲ କରାଯାଇଥିଲା । ଗତ ବର୍ଷ ନଭେମ୍ବରରେ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ମଂଜୁରୀ ଦେଇଥିଲେ । ଏହା ସହିତ ଗୀତାଞ୍ଜଳୀ ଜେମ୍ସ ପକ୍ଷରୁ ସ୍ଥାପନ ହେବାକୁ ଥିବା ଜୁଏଲାରୀ କାରଖାନା ଲାଗି ରାଜ୍ୟ ସରକାର ଦେଇଥିବା ଜମିକୁ ମଧ୍ୟ ରଦ୍ଦ କରିଦିଆଯାଇଛି ।

ସମ୍ବନ୍ଧିତ ଖବର