ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସହାୟତା ମାଗିଲେ ୨୦୧୪ କୋଟି ଟଙ୍କା

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ତିତ୍‌ଲି’ରେ ହୋଇଥିବା କ୍ଷୟକ୍ଷତିକୁ ସୁଧାରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ୨୦୧୪.୦୯ କୋଟି ଟଙ୍କା ସହାୟତା ମାଗିଛନ୍ତି। ବାତ୍ୟା ପରେ ବନ୍ୟା ସଂପର୍କୀତ ଏକ ପ୍ରାଥମିକ ରିପୋର୍ଟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦାଖଲ କରିଛନ୍ତି। ତିତ୍‌ଲି ଯୋଗୁଁ ୨୭୭୦.୨୮ କୋଟି ଟଙ୍କା କ୍ଷତି ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି। କେନ୍ଦ୍ର ସରକାର ୧୦୦୦ କୋଟି ଟଙ୍କା ଅନ୍ତରୀଣ ସହାୟତା ଦିଅନ୍ତୁ ବୋଲି ରାଜ୍ୟ ସରକାର କହିଛନ୍ତି। ବନ୍ୟା ଓ ବାତ୍ୟାରେ ୫୭,୧୩୧ ଘର କ୍ଷତି ହୋଇଛି। ଏହାକୁ ପୂରଣ କରିବା ପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୭,୧୩୧ ଘର ନିର୍ମାଣ କରନ୍ତୁ ବୋଲି ରିପୋର୍ଟ ଦାଖଲ ହୋଇଛି। ବାତ୍ୟା ଯୋଗୁଁ ୨.୭୩ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ସେହିଭଳି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଦ୍ୟୁତ ବିଭାଗର କୋଟି କୋଟି ଟଙ୍କା କ୍ଷତି ହୋଇଛି। ଜରୁରୀକାଳୀନ ମରାମତି ପାଇଁ ପାଣ୍ଠିର ଆବଶ୍ୟକତା ଅଛି।

ଚଳିତ ଅକ୍ଟୋବର ୧୧ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟ ଆନ୍ଧ୍ରପ୍ରଦେଶର ପଲାସା ଠାରେ ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଭୂପୃଷ୍ଠକୁ ଛୁଇଁଥିଲା। ତିତ୍‌ଲିର ପ୍ରଭାବ ରାଜ୍ୟର ୧୭ଟି ଜିଲ୍ଲା ଉପରେ ପଡ଼ିଥିଲେ ମଧ୍ୟ ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଆତଙ୍କ ଖେଳାଇଥିଲା। ଗଜପତି ଜିଲ୍ଲା ସର୍ବାଧିକ କ୍ଷତିର ସମ୍ମୁଖୀନ ହୋଇଥିଲା। ବାତ୍ୟା ଓ ବନ୍ୟା ପରେ ମହେନ୍ଦ୍ରଗିରି ନିକଟ ବାରଘର ଗାଁରେ ଏକ ବିରାଟ ଭୂସ୍ଖଳନ ଦେଖାଯାଇଥିଲା। ଗଙ୍ଗାବାଡ଼ ପଞ୍ଚାୟତ ନିକଟରେ ଘଟିଥିବା ଘଟଣାରେ ବହୁ ଲୋକଙ୍କ ଜୀବନ ଦୀପ ଲିଭି ଯାଇଥିଲା। ତିତ୍‌ଲି ଯୋଗୁଁ ବିଭିନ୍ନ ଜିଲ୍ଲାରେ ୫୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ନିଖୋଜ ଅଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ବାତ୍ୟା ଯୋଗୁଁ ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର