ଅଭ୍ୟନ୍ତରୀଣ ଓଡ଼ିଶାରେ ଜାଡ଼ ଜାରି

ଭୁବନେଶ୍ୱର : ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ଉପରକୁ ଯାଇଥିଲେ ମଧ୍ୟ ଆଜି ୮ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ଏଭଳି ସ୍ଥିତି ଆହୁରି ୩ ଦିନ ଯାଏ ଜାରି ରହିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ଜାଡ଼ ଅନୁଭୂତ ହେବ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୬ ଡିଗ୍ରି ତଳେ ରହିବ। ଫୁଲବାଣୀ ସମେତ କେତେକ ସ୍ଥାନରେ ତୁଷାରପାତର ବି ସମ୍ଭାବନା ରହିଛି। ୨୩ ଓ ୨୪ ତାରିଖରେ ଥଣ୍ଡା ଟିକିଏ କମିବାକୁ ଥିଲେ ମଧ୍ୟ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ପଡ଼ିବ। ୨୫ ଓ ୨୬ ତାରିଖ ବେଳକୁ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି ଗୋପାଳପୁର, ଚାନ୍ଦବାଲି, ପୁରୀ, ପାରାଦ୍ୱୀପ ଆଦି ସହରର ତାପମାତ୍ରା ବୃଦ୍ଧି ପାଇବ। କିନ୍ତୁ ଆସନ୍ତା ସପ୍ତାହକ ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶାରେ ସେଭଳି ପରିବର୍ତନ ହେବାର ସମ୍ଭାବନା ନାହିଁ।

ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ସହରର ତାପମାତ୍ରା ୧୦ ଡିଗ୍ର୍ରି ତଳେ ରହିଥିଲା। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୭, ସୁନ୍ଦରଗଡ଼ରେ ୭.୫, ଭବାନୀପାଟଣାରେ ୮.୨, କେନ୍ଦୁଝରଗଡ଼ରେ ୮.୯, ଅନୁଗୁଳରେ ୯, କୋରାପୁଟରେ ୯.୫, ହୀରାକୁଦରେ ୯.୬ ଡିଗ୍ରି ରେକର୍ଡ ହୋଇଛି।

ଭୁବନେଶ୍ୱର ଓ କଟକର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୨୯ ଓ ସର୍ବନିମ୍ନ ୧୩ ଡିଗ୍ରି ରହିବ।

ସମ୍ବନ୍ଧିତ ଖବର