ଭୁବନେଶ୍ୱର : ଆଜି ସଚିବାଳୟରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ୩ଟି ଏବଂ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଓସ୍ଡମା) ତରଫରୁ ଗୋଟିଏ ବୁଝାମଣାପତ୍ର(ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟାଙ୍କକ୍ର ଆଞ୍ଚଳିକ ସମନ୍ଵିତ ବହୁମୁଖୀ ବିପଦ ପ୍ରାକ୍ ସୂଚନା ବ୍ୟବସ୍ଥା ବା ଆରଆଇଏମ୍ଇଏସ୍ ଏବଂ ଓସ୍ଡମାର ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର ଅନୁସାରେ ସ୍ୱୟଂଚାଳିତ ପାଣିପାଗ ତଥ୍ୟଭିତ୍ତିକ ନିଷ୍ପତ୍ତି ସହାୟକ ବ୍ୟବସ୍ଥାର ବିକାଶ ହୋଇପାରିବ। ରାଜ୍ୟରେ ବନ୍ୟା, ମରୁଡ଼ି, ଗ୍ରୀଷ୍ମପ୍ରବାହ, ବଜ୍ରପାତ ଓ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ପ୍ରାକ୍ ସୂଚନା ମିଳିପାରିବ। ଏହା ସହିତ ବିପର୍ଯ୍ୟୟ ଜନିତ ସମ୍ଭାବ୍ୟ କ୍ଷତିର ଆକଳନ ଓ ପରାମର୍ଶ ଉପଲବ୍ଧ ହେବ। ପ୍ରାଥମିକ ସ୍ତରରେ ଏହି ଚୁକ୍ତି ୫ ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଛି। ଆରଆଇଏମ୍ଇଏସ୍ ଜାତିସଂଘ ଦ୍ୱାରା ପଞ୍ଜୀକୃତ ଆନ୍ତର୍ଜାତୀୟ ସଂସ୍ଥା। ବୁଝାମଣାପତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓସ୍ଡମା ପରିଚାଳନା ନିର୍ଦେଶକ ବିଷ୍ଣୁପଦ ସେଠୀ ଓ ସଂସ୍ଥା ତରଫରୁ ଏ.ଆର. ସୁବେୟା ସ୍ୱାକ୍ଷର କରିଛନ୍ତିି।
ଚାଷୀମାନଙ୍କ ରୋଜଗାର ବୃଦ୍ଧି ଉଦ୍ଦେଶ୍ୟରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଜିନ୍ଦଲ୍ ଷ୍ଟେନ୍ଲେସ୍ ଲିମିଟେଡ୍, ଗ୍ରାମ୍ୟ ଉନ୍ନୟନ ଫାଉଣ୍ଡେସନ, କୃଷି ପରିବେଶ ନିରାପତ୍ତା ଫାଉଣ୍ଡେସନ ଓ ଜାତୀୟ ନବସୃଜନ ଫାଉଣ୍ଡେସନ-ଇଣ୍ଡିଆ ମଧ୍ୟରେ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜିନ୍ଦଲ୍ ଷ୍ଟେନ୍ଲେସ୍ ଲିମିଟେଡ୍ ଓ ଗ୍ରାମ୍ୟ ଉନ୍ନୟନ ଫାଉଣ୍ଡେସନ ମଧ୍ୟରେ ହୋଇଥିବା ଏମ୍ଓୟୁ ଅନୁଯାୟୀ ଅନୁଗୁଳ, ଭଦ୍ରକ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଖୋର୍ଧା ଓ ପୁରୀ ଜିଲ୍ଲାର ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଆଗାମୀ ତିନିବର୍ଷରେ ପଦକ୍ଷେପ ନିଆଯିବ। ଏହା ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟ କରିବ। ଏହି ପଦ୍ଧତିର ସଫଳତା ଆଧାରରେ ସମଗ୍ର ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯିବ।
ସେହିପରି କୃଷି ପରିବେଶ ନିରାପତ୍ତା ଫାଉଣ୍ଡେସନ ରାଜ୍ୟର ଜମି ଓ ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର କରି ପ୍ରାକୃତିକ ସମ୍ବଳର ସୁବିନିଯୋଗ ନିମନ୍ତେ ଗ୍ରାମ୍ୟ ଅନୁଷ୍ଠାନ ଓ ସ୍ଥାନୀୟ ସଂଘ ମାଧ୍ୟମରେ କାର୍ଯ୍ୟ କରିବ। ଏହି ବୁଝାମଣାପତ୍ର ଅନୁଯାୟୀ କୃଷି ବିଭାଗ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ କୃଷି ଉତ୍ପାଦନ ଖର୍ଚ ହ୍ରାସ ଏବଂ ଉତ୍ପାଦନ ବୃଦ୍ଧି ଦ୍ୱାରା ରାଜ୍ୟର ଚାଷୀମାନଙ୍କ ରୋଜଗାର ଦ୍ୱିଗୁଣିତ ହୋଇପାରିବ। ଏ ଦିଗରେ ବୁଝାମଣାପତ୍ର ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। ସେହିପରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆରଆଇଏମ୍ଇଏସ୍ ସଂସ୍ଥା ସହିତ ସ୍ୱାକ୍ଷରିତ ବୁଝାମଣାପତ୍ର ବିପର୍ଯ୍ୟୟ ପରିଚାଳନା ଜନିତ ଧନଜୀବନ କ୍ଷତି ହ୍ରାସ କରିପାରିବ।
ଏଥିସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରିବେଶ ଅନୁକୂଳ କୃଷି କାର୍ଯ୍ୟ ତଥା ଜଳ ସଂପଦର ସୁପରିଚାଳନା ଦିଗରେ ଏହି ବୁଝାମଣାପତ୍ର ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।