ଚଳଚ୍ଚିତ୍ର ପୁରସ୍କାରକୁ ଆସିଛି ଅଧିକାଂଶ କପି ଚଳଚ୍ଚିତ୍ର

ଭୁବନେଶ୍ବର : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମୋଟ୍‌ ୧୮ଟି ମୁଖ୍ୟଧାରାର ଚଳଚ୍ଚିତ୍ର ବିଚାରକୁ ଆସିଛି। ତେବେ ସେଥିମଧ୍ୟରୁ ‌ହାତଗଣତି କିଛି ଚଳଚ୍ଚିତ୍ରକୁ ବାଦ୍‌ ଦେଲେ ଅନ୍ୟ ଚଳଚ୍ଚିତ୍ରଗୁଡ଼ିକ ଅନ୍ୟ ଭାଷାରୁ ନକଲ ହୋଇଛି। ୨୦୧୭ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ସେଇବର୍ଷ ମୋଟ୍‌ ୩୪ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ‌ତେବେ ସିନେମା ହଲ୍‌ରେ କିଛିଦିନ ଚାଲିଥିବା ଚଳଚ୍ଚିତ୍ର ଏହି ପ୍ରକ୍ରିୟାରେ ସାମିଲ୍‌ ହୋଇନାହିଁ। ମୁକ୍ତିଲାଭ କରିଥିବା ଅଧିକାଂଶ ଚଳଚ୍ଚିତ୍ର ଯେ ନକଲ ହୋଇଛି ତାହା ପରବର୍ତୀ ସମୟରେ ସ୍ପଷ୍ଟ ହୋଇଥିଲା।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ସୀତାରାମଙ୍କ ବାହାଘର କଳିଯୁଗରେ, ଦିଲ୍‌ ଦିୱାନା ହେଇଗଲା, ତୁ ମୋ ଲଭ୍‌ଷ୍ଟୋରି, ତୁମକୁ ଦେଖିଲା ପରେ, କଥା ଦେଲି ମଥା ଛୁଇଁ, ଭକ୍ତ ଓ ଭଗବାନ, ଜଷ୍ଟ୍‌ ମହବତ୍‌, ସପନର ପଥେପଥେ, ମୁଁ ଖାଣ୍ଟି ଓଡ଼ିଆ ଝିଅ, ହିରୋ ନମ୍ବର ୱାନ୍‌, ଶିବା ନଟ୍‌ଆଉଟ୍‌, ଲୈଲା ଓ ଲୈଲା, ଭକୁଆ, ଜଗନ୍ନାଥ ଧାମ ପୁରୀ ଭଳି ବିଚାର ପ୍ରକ୍ରିୟାକୁ ଆସିଛି। ତେବେ ଚଳଚ୍ଚିତ୍ର ପୁରସ୍କାର ଚୟନ ପାଇଁ ଗଠିତ ଜୁରି କମିଟିକୁ ବିରୋଧ କରି ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା ତାଙ୍କ ପ୍ରଯୋଜିତ ‘କଥା ଦେଲି ମଥା ଛୁଇଁ’କୁ ଚୟନ ପ୍ରକ୍ରିୟାରୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ କିଛି ମୁଖ୍ୟଧାରାର ଚଳଚ୍ଚିତ୍ର ତେଲୁଗୁ, ‌ତାମିଲ୍‌, କନ୍ନଡ ଓ ବଙ୍ଗଳା ଭାଷାରୁ ନକଲ ହୋଇଥିବା ସିନେ ସମୀକ୍ଷକମାନେ କହିଛନ୍ତି।

ଏଥିସହ ହାଲୋ ଆର୍‌ସି, ସପନଟିଏ, କ୍ଷଣିକା ଭଳି ଚଳଚ୍ଚିତ୍ର ମଧ୍ୟ ପୁରସ୍କାର ପ୍ରକ୍ରିୟାକୁ ଆସିଛି। ଏଥିମଧ୍ୟରୁ ‘ହାଲୋ ଆର୍‌ସି’ ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିସାରିଛି। ସେହିଭଳି ‘କ୍ଷଣିକା’ ମଧ୍ୟ ନୋଇଡା ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ପୁରସ୍କାର ହାତେଇ ସାରିଛି। ତେବେ ଗତବର୍ଷ ପରି ଏଥର ବି ଆଦିବାସୀ ଭାଷାର କୌଣସି ଚଳଚ୍ଚିତ୍ର ସ୍କ୍ରିନିଂ ପାଇଁ ଆସିନାହିଁ। ‌ତେଣୁ ଏଥର ବି କୌଣସି ଆଦିବାସୀ ଭାଷାର ଚଳଚ୍ଚିତ୍ର ପୁରସ୍କୃତ ହେବ ନାହିଁ ବୋଲି ଜଣାପଡ଼ିଛି। ସେହିପରି ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ କୌଣସି ଚଳଚ୍ଚିତ୍ରକୁ ଗତବର୍ଷ ପୁରସ୍କାର ଦିଆଯାଇ ନଥିଲେ ହେଁ ଏଥର ପାଇକ ବିଦ୍ରୋହ, ଚାରୁ ଚିତ୍ରପଟ୍ଟ, ସନ୍ଥ ପୁରୁଷୋତ୍ତମ, ଶ୍ୟାମାମଣୀ ଦେବୀ ଆଦି ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଚୟନ ପ୍ରକ୍ରିୟାକୁ ଆସିଛି। ‌ଏଥିସହ ଶିଶୁ ଚଳଚ୍ଚିତ୍ର ‘ଦୃଷ୍ଟାନ୍ତ’ ମଧ୍ୟ ସ୍କ୍ରିନିଂ ହେବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ଶେଷ ପର୍ଯ୍ୟାୟ ବୈଠକ ପରେ ୧୨ ତାରିଖରୁ ଚଳଚ୍ଚିତ୍ର ସ୍କ୍ରିନିଂ ଆରମ୍ଭ ହେବ। ୧୦ ଦିନ ମଧ୍ୟରେ ସ୍କ୍ରିନିଂ ଶେଷ ହେବ।

ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିୟମ ୨୦୧୦ ମୁତାବକ, ଚଳଚ୍ଚିତ୍ର ନକଲ କରାଯାଇଥିବା ଜଣା ପଡ଼ିଲେ ତାହା ପୁରସ୍କାର ତାଲିକାଭୁକ୍ତ କରାଯିବ ନାହିଁ। ତେଣୁ କେଉଁ ଚଳଚ୍ଚିତ୍ର ‌ନକଲ ହୋଇଛି ବିଚାରକମାନେ ସେସବୁର ବିଚାର ପୂର୍ବକ ପୁରସ୍କାର ପାଇଁ ଚୟନ କରିବା ଆହ୍ବାନ ପାଲଟିବ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ କହିଛନ୍ତି।

ସମ୍ବନ୍ଧିତ ଖବର