ଜିଲ୍ଲାପାଳଙ୍କ ଉପରେ ଖାଦ୍ୟ କମିସନ କ୍ଷୁବ୍ଧ

ଭୂତ ହିତାଧିକାରୀ ଖାଉଛନ୍ତି ଚାଉଳ, ଗହମ

ଭୁବନେଶ୍ବର : ଜିଲ୍ଲାପାଳମାନଙ୍କୁ ଯାହା ନିର୍ଦେଶ ଦିଆଯାଉଛି, ସେମାନେ ସମୟ ଗଡ଼ାଉଛନ୍ତି ସିନା, ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ବିଶେଷ କରି ୬ଟି ଜିଲ୍ଲାରୁ ଯେଉଁ ତଥ୍ୟ ଆସିଛି ତାହା ମେଳ ଖାଉନାହିଁ। ବଞ୍ଚିତ ପରିବାରଙ୍କୁ ରାସନ କାର୍ଡ ଯୋଗାଣରେ ଅବହେଳା ପ୍ରଦର୍ଶନ କରାଯାଉଛି। ଲକ୍ଷାଧିକ ହିତାଧିକାରୀଙ୍କୁ ଛାପା ରାସନ କାର୍ଡ ମିଳୁନାହିଁ। ହିତାଧିକାରୀଙ୍କ ମୃତ୍ୟୁ ଘଟିଲେ ତୁରନ୍ତ ପଦକ୍ଷେପ ନିଆଯାଉ ନାହିଁ। ତାଙ୍କ ନାମରେ ଚାଉଳ, ଗହମ, କିରାସିନି ଆଦି ଯୋଗାଇ ଦିଆଯାଉଥିବା ବେଳେ ଅପେକ୍ଷାରେ ଥିବା ଶହ ଶହ ଆବେଦନକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତିି।

ରାଜ୍ୟ ଖାଦ୍ୟ କମିସନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା ଏଭଳି କଡ଼ା ଭାଷାରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଦର୍ଶାଇଛନ୍ତିି, ଗତ ୩୦.୯.୨୦୧୮ ତାରିଖରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ, ୨୦୧୩ର ହିତାଧିକାରୀ ଓ ସମସ୍ତ ତଥ୍ୟ ତା’ ପରଦିନ ଅର୍ଥାତ୍‌ ୧.୧୦.୨୦୧୮ ତାରିଖର ତଥ୍ୟ ସହିତ ସମାନ ରହିବା କଥା। କିନ୍ତୁ ଅନୁଗୁଳ, ବାଲେଶ୍ବର, ବରଗଡ଼, କଟକ, ଯାଜପୁର ଓ ପୁରୀ ଜିଲ୍ଲାର ତଥ୍ୟରେ ତାହା ବଦଳି ଯାଇଛି। ଏହି ଯୋଜନାରେ ଯାଜପୁର, କଟକ, ସୋନପୁର ଓ ଗଞ୍ଜାମ ଜିଲ୍ଲାରେ ଅପେକ୍ଷାରତ ଆବେଦନକାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି।

ଏହି ଯୋଜନାରୁ ବଞ୍ଚିତ ହୋଇଥିବା ବହୁସଂଖ୍ୟକ ହିତାଧିକାରୀ ଛୋଟ ଜନବସତି, ଜଙ୍ଗଲ ଗାଁ, ସଂରକ୍ଷିତ ଜଙ୍ଗଲ ଭିତରେ ବସବାସ କରୁଛନ୍ତି। ମାର୍କେଟ ଇଣ୍ଟେଲିଜେନ୍‌ସ୍‌ ଅଧିକାରୀ, ପଞ୍ଚାୟତ ଅଧିକାରୀମାନଙ୍କ ଜରିଆରେ ସେହି ପରିବାରଙ୍କ ଦ୍ବାରକୁ ଦ୍ବାର ଯାଇ ସେମାନଙ୍କଠାରୁ ଆବେଦନପତ୍ର ଆଣିବା ପାଇଁ ନିର୍ଦେଶ ଦେବାକୁ ସେ ତାଗିଦ୍‌ କରିଛନ୍ତି। ଏହାଛଡ଼ା, ଗତ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ଆବେଦନପତ୍ରଗୁଡ଼ିକ ସଂଗ୍ରହ ହୋଇଛି, ଆସନ୍ତା ୩୧ ତାରିଖ ସୁଦ୍ଧା ସେଗୁଡ଼ିକର ଫଇସଲା କରିବାକୁ ଖାଦ୍ୟ କମିସନ ଅଧ୍ୟକ୍ଷ ତାଗିଦ୍‌ କରିଛନ୍ତି।

ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ରାଜ୍ୟ ସରକାର ୩ ଲକ୍ଷ ୨୬ ହଜାର ୪୧୮୦୦ ବ୍ୟକ୍ତିଙ୍କୁ ରାସନ କାର୍ଡ ଦେବାକୁ ଅଧିକୃତ। କିନ୍ତୁ ଏହି ସଂଖ୍ୟା ଅନୁଯାୟୀ ଖାଦ୍ୟଶସ୍ୟ ଆବଣ୍ଟନ କରାଯାଉନାହିଁ । ସେହିପରି ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ୧.୫୭ ଲକ୍ଷ ପରିବାର ଛାପା ରାସନ କାର୍ଡ ପାଇନାହାନ୍ତି। ଜାନୁଆରି ଶେଷ ସୁଦ୍ଧା ଛାପା ରାସନ କାର୍ଡ ଯୋଗାଇଦେବାକୁ ଶ୍ରୀ ଜାମୁଡ଼ା ତାଗିଦ୍‌ କରିଛନ୍ତିି। ସବୁଠାରୁ ବଡ଼ କଥା ହେଉଛି ଭୂତ ହିତାଧିକାରୀମାନେ ଏହି ଯୋଜନାରେ ଚାଉଳ, ଗହମ ଖାଉଛନ୍ତି। ଏ ନେଇ ଖାଦ୍ୟ କମିସନ ଅଧ୍ୟକ୍ଷ ବିସ୍ମୟ ପ୍ରକାଶ କରି କହିଛନ୍ତିି, ଗତବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ମାଲକାନଗିରି ଜିଲ୍ଲାରେ ଜଣେ ହେଲେ ବି ହିତାଧିକାରୀଙ୍କ ମୃତ୍ୟୁ ଘଟିନାହିଁ। ଅନ୍ୟ ୫ଟି ଜିଲ୍ଲା ଦେବଗଡ଼, ଜଗତ୍‌ସିଂହପୁର, ନୂଆପଡ଼ା, ପୁରୀ ଓ ସୋନପୁର ଜିଲ୍ଲାରେ ବି ଏଭଳି ମୃତ୍ୟୁ ସଂଖ୍ୟା ନଗଣ୍ୟ। ଗତ ଅକ୍ଟୋବର ଓ ନଭେମ୍ବର ମାସରେ ୪୩୪୨୮ଜଣ ମୃତକ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୪୧୧୨୬ଜଣଙ୍କୁ ଯୋଜନାରୁ ବାଦ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର