ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ : ରାଜ୍ୟ ପଣ୍ୟାଗାର ନିଗମକୁ ୪ ସପ୍ତାହ ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ   

କଟକ : ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର କେତେକ ଗୋଦାମ ଘରର ହ୍ୟାଣ୍ଡଲିଂ ଓ ପରିବହନ ନେଇ ଡକାଯାଇଥିବା ଟେଣ୍ଡରର ସର୍ତ୍ତ ପୂରଣରେ ଅନିୟମିତା ଅଭିଯୋଗ ପ୍ରସଂଗରେ ୪ ସପ୍ତାହ ଭିତରେ ନିଷ୍ପତ୍ତି ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଧରିତ୍ରୀ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏହି ପ୍ରସଂଗରେ ନିଷ୍ପତ୍ତି ନେବାକୁ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସଂସ୍ଥା ପକ୍ଷରୁ ଆଇନଜୀବୀ ପି.କେ.ରାୟ ମାମଲା ପରିଚାଳନା କରୁଥିବା ବେଳେ କୃଷ୍ଣଚନ୍ଦ୍ର ଦାଶ ସହଯୋଗ କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ପଣ୍ୟାଗାର ନିଗମର କେତେକ ଗୋଦାମ ଘରର ହ୍ୟାଣ୍ଡଲିଂ ଓ ପରିବହନ ନେଇ ଡକାଯାଇଥିବା ଟେଣ୍ଡରରେ ଏଲ-୧ ବିଡର ଥିବା ସଂସ୍ଥା ଯଶୋଦା ରୋଡଲାଇନ୍ସ  ଧାର୍ଯ୍ୟ ସମୟ ମଧ୍ୟରେ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରି ପାରି ନଥିଲା। ଟେଣ୍ଡର ନିୟମ ଅନୁସାରେ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରା ନ ଯିବାରୁ ୨୦୧୮, ଏପ୍ରିଲ ୧୯ରେ ନିଗମ ପକ୍ଷରୁ ଯଶୋଦା ରୋଡ୍ ଲାଇନ୍ସକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତାଙ୍କୁ ପ୍ରଦାନ କରାଯାଇଥିବା କାର୍ଯ୍ୟାଦେଶ କାହିଁକି ବାତିଲ କରା ନ ଯିବ ଓ ନିୟମ ଅନୁସାରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେ ସଂପର୍କରେ କାରଣ ଦର୍ଶାଇବାକୁ ନିଗମ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। କାରଣ ଦର୍ଶାଅ ନୋଟିସକୁ ଚାଲେଞ୍ଜ କରି ଯଶୋଦା ରୋଡ୍ ଲାଇନ୍ସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୨୦୧୮, ଜୁଲାଇ ୧୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ଏହି ମାମଲା ଗ୍ରହଣ ଯୋଗ୍ୟ ନୁହେଁ ଓ ନିଗମ କର୍ତ୍ତୃପକ୍ଷ ସଂସ୍ଥାର ଜବାବକୁ ବିଚାରକୁ ନେଇ ଉପଯୁକ୍ତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ପୂର୍ବରୁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିବା ଧରିତ୍ରୀ ସଂସ୍ଥା ମଧ୍ୟ ଇଣ୍ଟରଭେନର ହୋଇ ପକ୍ଷ ରଖିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନିଗମ ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ ଆଧାରରେ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ନିଗମ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ବିରୋଧରେ ଧରିତ୍ରୀ ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର