ପାଟିରେ ୪୫୯ଟି ଷ୍ଟ୍ର ପୂରାଇ ଗିନିଜ୍‌ ରେକର୍ଡରେ ସ୍ଥାନ ପାଇଲେ ମନୋଜ

ଭୁବନେଶ୍ୱର : ବ୍ରହ୍ମପୁରର ୨୩ ବର୍ଷ ବୟସ୍କ ମନୋଜ କୁମାର ମହାରଣାଙ୍କର ରହିଛି ଅଜବ ପ୍ରକାର ନିଶା। କେବେ ସେ ପାଟିରେ ଶହ ଶହ ପ୍ଲାଷ୍ଟିକ୍‌ ଷ୍ଟ୍ର ପୂରାଇଥାନ୍ତି ତ ଆଉ କେବେ ରଖିଥାନ୍ତି ଜଳନ୍ତା ମହମବତି। ଏଇ ଅଜବ ନିଶା ଯୋଗୁ ସେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଗତ ଅଗଷ୍ଟ ୨୮ ତାରିଖରେ ବ୍ରହ୍ମପୁର ଟାଉନ୍‌ ହଲ୍‌ରେ ସେ ନିଜ ପାଟିରେ ୪୫୯ଟି ଷ୍ଟ୍ର ପୂରାଇ ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ଗିନିଜ୍‌ ରେକର୍ଡ ବୁକ୍‌ରେ ତାଙ୍କ ନାଁ ସ୍ଥାନ ପାଇଛି।

ଏହା ପୂର୍ବରୁ ପାଟିରେ ଅଧିକ ସଂଖ୍ୟକ ଷ୍ଟ୍ର ରଖିବାର ରେକର୍ଡ଼ ଥିଲା ୪୦୦ଟି ଷ୍ଟ୍ର ରଖିଥିବା ଲଣ୍ଡନର ସାଇମନ୍‌ ଏଲମୋର୍‌ଙ୍କ ନାଁରେ। ମନୋଜ ନିଜ ପାଟିରେ ୨୧ଟି ଜ୍ୱଳନ୍ତା ମହମବତି ରଖି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି। ପାଟିରେ ୨୪ଟି ମହମବତି ରଖି ସେ ଏସିଆରେ ରେକର୍ଡ କରିଛନ୍ତି। ମନୋଜ ନିଜ ଓଠ ଉପରେ ଗୋଟିଏ କଲମକୁ ୧୩ ମିନିଟ୍‌ ୫୪ ସେକେଣ୍ଡ୍‌ ପର୍ଯ୍ୟନ୍ତ ରଖିଥିଲେ ଯାହାକି ଆମେରିକା ସ୍ଥିତ ରେକର୍ଡ ସେଟର୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି।

ଏସବୁ ବ୍ୟତୀତ କମ୍‌ ସମୟ ମଧ୍ୟରେ ଶୀଘ୍ର ଅଧିକ ଥର ଅକ୍ଷର ଲେଖିବା, ପାଟି ଭିତରେ ୨୬୫ଟି ତାସ୍‌ କାର୍ଡ ରଖିବା, କ୍ଷୁଦ୍ର ବର୍ଗାକାର କ୍ଷେତ୍ରରେ ଗୋଟିଏ ମିନିଟ୍‌ ଭିତରେ ପେନ୍‌ସିଲ୍‌ରେ ଅଧିକ ଥର ବିନ୍ଦୁ ପକାଇବା ଆଦି କୌଶଳ ପ୍ରଦର୍ଶନ କରି ଆହୁରି ରେକର୍ଡ଼ ସ୍ଥାପନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ତାଙ୍କରି ନିଆରା ପ୍ରତିଭା ଯୋଗୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ସମ୍ବର୍ଦ୍ଧନା ସମୟରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ଉପସ୍ଥିତ ଥିଲେ।

ପୋଲସରା ବ୍ଲକ୍‌ ଭାବରଡା ଗାଁର ମନୋଜଙ୍କ ବାପା ଭଗବାନ ମହାରଣା ବଢ଼େଇ କାମ କରନ୍ତି। ମା ଗୀତାଞ୍ଜଳି ଜଣେ ଗୃହିଣୀ। ମନୋଜ ଗଣିତରେ ସ୍ନାତକୋତ୍ତର ପଢ଼ିବା ପରେ ଅଧିକ ପଢ଼ାପଢ଼ି ଓ ଅଧ୍ୟାପକ ଚାକିରି ଆଶା ନେଇ ବର୍ତ୍ତମାନ ବ୍ରହ୍ମପୁରରେ ରହୁଛନ୍ତି। ନିଜର ନିଶାଗୁଡ଼ିକୁ ମଧ୍ୟ ବଞ୍ଚାଇ ରଖିବାକୁ ତାଙ୍କରି ପ୍ରବଳ ଇଚ୍ଛା ରହିଛି।

ସମ୍ବନ୍ଧିତ ଖବର