ଗୁରୁ ଦିବସରେ ଗୁରୁ ପାଳିବେ କଳା ଦିବସ : ଆସନ୍ତା ୬ରୁ ସମସ୍ତ ସ୍କୁଲ ଓ କଲେଜରେ ତାଲା ଝୁଲିବ

ଭୁବନେଶ୍ୱର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଚାଲିଥିବା ଅହୋରାତ୍ର ଧାରଣା ଦଶମ ଦିନରେ ପହଞ୍ଚିଛି। ଆସନ୍ତା ଗୁରୁ ଦିବସରେ କଳା ଦିବସ ପାଳନ କରିବାକୁ ଆହ୍ଵାନ ଦେଇଛି ମଞ୍ଚ। ଏହାର ପର ଦିନ ଅର୍ଥାତ ସେପ୍ଟେମ୍ବର ୬ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜରେ ତାଲା ପଡ଼ିବ ବୋଲି ମଞ୍ଚ ସୂଚନା ଦେଇଛି। ଫଳରେ ରାଜ୍ୟର ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ହେବ ବୋଲି ଆଶଙ୍କା କରାଯାଉଛି।

ଚାକିରି ସର୍ତାବଳୀ ସମେତ ଅବସରକାଳୀନ ସୁବିଧା ସୁଯୋଗ ଦାବି ନେଇ ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି। ମଞ୍ଚର କହିବାନୁଯାୟୀ, ଗତ ୧୬ତାରିଖରୁ ଶିକ୍ଷକ/ଅଧ୍ୟାପକମାନେ ରାଜରାସ୍ତାରେ ପଡ଼ି ରହିଥିଲେ ହେଁ ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ତେଣୁ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ରାଜଧାନୀରେ ଗୁରୁ ସମାବେଶ ହେବ। ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରାଯିବ। ୬ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ଆବଶ୍ୟକ ପଡ଼ିଲେ ନିର୍ବାଚନ କାର୍ଯ୍ୟକୁ ମଧ୍ୟ ପ୍ରତ୍ୟାଖାନ କରାଯିବ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ଅବହେଳାକୁ ଲୋକମାନଙ୍କୁ ଜଣାଇବା ପାଇଁ ମଞ୍ଚ ଉଦ୍ୟମ କରିବ।

ଚଳିତମାସ ୨୭ ତାରିଖରୁ ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାଓ୍ଵାରୀ ଅହୋରାତ୍ର ଧାରଣା ଦିଆଯିବ। ରାଜ୍ୟରେ ସମସ୍ତ ଜିଲ୍ଲାରେ ଏହି ଧାରଣା ଅନୁଷ୍ଠିତ ହେବ। ଜିଲ୍ଲାଓ୍ଵାରୀ ପାଳିରେ ଧାରଣା ଦେଉଥିବା ଶିକ୍ଷକ/ଅଧ୍ୟାପକମାନେ ଜିଲ୍ଲା ଷ୍ଟିୟରିଂ କମିଟି ଗଠନ କରିବେ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ଏହି ଅବହେଳାକୁ ଆଗାମୀ ଦିନରେ ଜନସାଧାରଣ ଜବାବ ଦେବେ ବୋଲି ମଞ୍ଚର ଆବାହକ ପବିତ୍ର ମହଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ମଞ୍ଚର ଗଗନ ବେହେରା, ଅଟଳ ବିହାରୀ ବଳ, ଅକ୍ଷୟ ମିଶ୍ର, ପ୍ରେମାନନ୍ଦ ଜେନା, ଭିକାରୀ ଚରଣ ସାହୁ, ଶତାବୁଦ୍ଦିନ ଅହମ୍ମଦ, ପ୍ରିୟରଂଜନ ରଥ, ଶଙ୍କର କୁମାର ସୁବୁଦ୍ଧି, ମାଣିକେଶ୍ୱର ସ୍ୱାଇଁ, ରଂଜନ କୁମାର ଦାଶ, ଅଜୟ କୁମାର ଆଚାର୍ଯ୍ୟ, ବିରଞ୍ଚି ନାରାୟଣ ଦାସ, ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର