ବ୍ୟାପକ ହେଲା ଶିକ୍ଷକ ଆନ୍ଦୋଳନ : ଆଜି ସବୁ ଜିଲ୍ଲାରେ ୧୨ ଘଣ୍ଟିଆ ଅନଶନ

ଭୁବନେଶ୍ୱର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆହ୍ବାନରେ ଚାଲିଥିବା ଗଣଧାରଣା ୪୭ ଦିନରେ ପହଞ୍ଚିଛି। ତଥାପି ଦାବି ପୂରଣ ଦିଗରେ ରାଜ୍ୟ ସରକାର ପଦ‌େକ୍ଷପ ଗ୍ରହଣ କରୁ ନଥିବାରୁ ଗାନ୍ଧୀ ଜୟନ୍ତୀରେ ସବୁ ଜିଲ୍ଲାରେ ୧୨ ଘଣ୍ଟିଆ ଅନଶନ ଡାକରା ଦେଇଛି ମିଳିତ ମଞ୍ଚ। ୩୦ଟି ଜିଲ୍ଲାର ସଦର ମହକୁମାରେ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ରାଜ୍ୟର ୬୦ ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ହକ୍‌ ପାଇଁ ଅନଶନରେ ବସିବେ ବୋଲି ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା କହିଛନ୍ତି।

ମଞ୍ଚ ପକ୍ଷରୁ ଆହୁରି କୁହାଯାଇଛି ୨୫ରୁ ୩୦ ବର୍ଷ ଧରି ବିନା ଦରମାରେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ କାମ କରୁଛନ୍ତି। ଏହା ବିରୋଧରେ ବାରମ୍ବାର ଆନ୍ଦୋଳନ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିର୍ଯ୍ୟାସ ବାହାରିପାରିନି। ରାଜ୍ୟ ସରକାର ଓଡ଼ିଶାର ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନକୁ ଧ୍ବଂସସ୍ତୁପରେ ପରିଣତ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହ ମିଶି ଷଡ଼ଯନ୍ତ୍ର କହୁଛନ୍ତି। ସରକାରଙ୍କ ଏଭଳି ଶିକ୍ଷା ମାରଣ ନୀତିକୁ କଡ଼ା ଜବାବ ଦିଆଯିବ। ‌ଜିଲ୍ଲାସ୍ତରରେ ୧୨ ଘଣ୍ଟିଆ ଅହୋରାତ୍ର ଗଣଧାରଣା ଦେବା ସହ ଦରକାର ପଡ଼ିଲେ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ କାରାବରଣ କରିବାକୁ ପଛାଇବେ ‌ନାହିଁ ବୋଲି ମିଳିତ ମଞ୍ଚର ଷ୍ଟିୟରିଂ କମିଟିର ସଦସ୍ୟ ପ୍ରକାଶ ଚନ୍ଦ୍ର ଜେନା, ଗଗନ ବେଉରା, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଶତା‌ବୁଦ୍ଦିନ ଅହମ୍ମଦ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର