ପ୍ରଥମ ଦିନର ଖାତାଦେଖା ପ୍ରଭାବିତ

ଯୁକ୍ତ୨ ମୂଲ୍ୟାୟନରେ ସାମିଲ ହେଲେନି ଅଧ୍ୟାପକ, ଅଧ୍ୟାପିକା

ମୂଲ୍ୟାୟନ କେନ୍ଦ୍ର ଆଗରେ ଆନ୍ଦୋଳନକାରୀଙ୍କ ଧାରଣା
ଅଧିକାଂଶ ସ୍ଥାନରେ ଭାଗ ନେଲେନି ଯୁକ୍ତ୩ ଅଧ୍ୟାପକ

ଭୁବନେଶ୍ୱର : ଯୁକ୍ତ୨ ଖାତା ମୂଲ୍ୟାୟନ ଆରମ୍ଭରୁ ବିଭ୍ରାଟ। ଆନ୍ଦୋଳନରତ ଅଧ୍ୟାପକଙ୍କୁ ବାଦ୍‌ ଦେଇ ଯେଉଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ତାହା ଫସର ଫାଟିଛି। ଖାତା ମୂଲ୍ୟାୟନର ପ୍ରଥମ ଦିନରେ କାମ ଦେଇନି ବିକଳ୍ପ ବ୍ୟବସ୍ଥା। ମୂଲ୍ୟାୟନକାରୀଙ୍କ ଅନୁପସ୍ଥିତି ଯୋଗୁଁ ରାଜ୍ୟର ୫୬ଟି ମାନୁଆଲ ଓ ୨୯ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ପ୍ରଭାବିତ ହୋଇଛି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବାରୁ ୬୦ ପ୍ରତିଶତରୁ ଅଧିକ ଅଧ୍ୟାପକ, ଅଧ୍ୟାପିକା ମୂଲ୍ୟାୟନରେ ସାମିଲ ହୋଇପାରି ନାହାନ୍ତି। କେତେଜଣ ଅଧ୍ୟାପକ ମୂଲ୍ୟାୟନ କେନ୍ଦ୍ର ନିକଟକୁ ଫେରି ଯାଇଛନ୍ତି। କେତେକ ସ୍ଥାନରେ ଆବଶ୍ୟକୀୟ ଅଧ୍ୟାପକ ନ ହେବାରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ନ ଥିବା ସୂଚନା ମିଳିଛି।

ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଲାଗି ପ୍ରାୟ ୭ ହଜାର ଅଧ୍ୟାପକଙ୍କୁ ଡକାଯାଇଥିଲା। ଯୁକ୍ତ୨ କଲେଜ ସମେତ ଡିଗ୍ରି, ସ୍ୱୟଂଶାସିତ କଲେଜ, ଏସ୍‌ ଆଣ୍ଡ ଏସ୍‌ଟି ବିଭାଗ ଅଧୀନରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ , ଏକଲବ୍ୟ ମଡେଲ୍‌ ଆବାସିକ ବିଦ୍ୟାଳୟର ଅଧ୍ୟାପକଙ୍କୁ ସାମିଲ କରାଯାଇଛି। ରେଭେନ୍ସା ସମେତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କୁ ମଧ୍ୟ ତାଲିକାରେ ରଖାଯାଇଥିଲା। କିନ୍ତୁ ସବୁ ଯୋଜନା ବିଫଳ ହୋଇଛି। ପ୍ରାୟ ୫ ହଜାର ଅଧ୍ୟାପକ, ଅଧ୍ୟାପିକା ଖାତା ଦେଖାରେ ସାମିଲ ହୋଇ ନାହାନ୍ତି। କେତେକ ସ୍ଥାନରେ ପ୍ରାୟ ୨୦ ଜଣ ଅଧ୍ୟାପକ ମୂଲ୍ୟାୟନରେ ସାମିଲ ହୋଇଛନ୍ତି। ଖୋର୍ଧା, ନୟାଗଡ଼, କଟକ, ଜଗତ୍‌ସିଂହପୁର, ପୁରୀ ସମେତ ଅଧିକାଂଶ ଜିଲ୍ଲାରେ ପ୍ରଭାବ ପଡ଼ିଛି।

ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମୂଲ୍ୟାୟନକାରୀଙ୍କ ତାଲିକାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଡିଗ୍ରି କଲେଜଗୁଡ଼ିକର ବିନା ଅନୁମତିରେ ପରିଷଦ ତାଲିକା ପ୍ରସ୍ତୁତ କରିଛି। ଅବସର ଗ୍ରହଣ କରିସାରିଥିବା କେତେଜଣ ଅଧ୍ୟାପକ, ଯୁକ୍ତ୩ ପରୀକ୍ଷା ପରିଚାଳନାରେ ସାମିଲ ହୋଇଥିବା ଅଧ୍ୟାପକଙ୍କୁ ମୂଲ୍ୟାୟନ କରିବାକୁ ଡକାଯାଇଛି। ଏନେଇ ଡିଗ୍ରି ଓ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷମାନେ ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଛନ୍ତି।

ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା ପ୍ରମୁଖ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ମାର୍ଚ୍ଚ ୩୧ରେ ଆନ୍ଦୋଳନରତ ଶିକ୍ଷକଙ୍କୁ ମିଳିଥିବା ପ୍ରତିଶ୍ରୁତି ଅନୁଯାୟୀ ଆଜି ପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ତେଣୁ ଶିକ୍ଷକମାନେ ମୂଲ୍ୟାୟନ ବର୍ଜନ କରିବା ସହ କେନ୍ଦ୍ର ଆଗରେ ବିକ୍ଷୋଭ କରିଛନ୍ତି। କେତେକ ସ୍ଥାନରେ ବରିଷ୍ଠ ଓ କନିଷ୍ଠ ଅଧ୍ୟାପକମାନେ ଆନ୍ଦୋଳନକୁ ସମର୍ଥନ ଜଣାଇ ମୂଲ୍ୟାୟନରେ ଭାଗ ନେଇନାହାନ୍ତି। ଯେପର୍ଯ୍ୟନ୍ତ ରାଜ୍ୟ ସରକାର ୬ ଦଫା ଦାବି ପୂରଣ ନ କରିଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ଖାତା ମୂଲ୍ୟାୟନ ପ୍ରଭାବିତ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରି ନାହିଁ।

ସମ୍ବନ୍ଧିତ ଖବର