ଓଡ଼ିଶାର ଆତଙ୍କବାଦୀ ଲିଙ୍କ୍‌ : ୪ ବର୍ଷରେ ୭ ଗିରଫ

କଟକ : କଟକରୁ ଜଗତପୁର, ସାଲେପୁର, କିଶନନଗର ଦେଇ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଅଞ୍ଚଳ ପାଲଟିଛି ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ। ୨୦୧୫ରୁ ୨୦୧୮ ମଧ୍ୟରେ ତିନି ତିନି ଜଣ ଗିରଫ ଓ ଅଟକ ରହିବା ଘଟଣା ଏମିତି ଚର୍ଚ୍ଚାକୁ ଆଧାର ଯୋଗାଇଛି। ୨୦୧୫ରେ କଟକ ଜଗତପୁରରୁ ଅବଦୁର ରହେମାନ ଗିରଫ ହୋଇଥିଲା। ୨୦୧୭ରେ ଆତଙ୍କବାଦୀ ସଂଗଠନ ସହ ସଂପର୍କ ସନ୍ଦେହରେ କିଶନନଗର ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରିଥିଲା ଏନ୍‌ଆଇଏ। ଆଜି କେନ୍ଦ୍ରାପଡାର ହବିବୁର ରହେମାନ୍‌ ଲସ୍କର ଏ ତୋଏବା ସଂଗଠନ ସହ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ରାଉରକେଲା ଅଞ୍ଚଳରୁ ସିମି ସଂଗଠନର ୫ ଜଣ ଗିରଫ ହୋଇଥିଲେ।

ଅନ୍ୟପକ୍ଷରେ ଆଜି ଘଟଣାର ଗମ୍ଭୀରତା ଉପଲବ୍ଧି କରି ହବିବୁରର ସହଯୋଗୀ ଏବଂ ତା’ର କାର୍ଯ୍ୟକଳାପ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ପୁଲିସର କ୍ରାଇମବ୍ରାଞ୍ଚ ଅଭିଯାନ ଆରମ୍ଭ କରିଛି। ହବିବୁର କେନ୍ଦ୍ରାପଡ଼ାର କେଉଁ ଅଞ୍ଚଳର ଏବଂ ତା’ର ପରିବାରର ଅନ୍ୟ କିଏ ଏଠି ରହୁଛନ୍ତି, ସେ ସଂପର୍କରେ ପୁଲିସ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଆରମ୍ଭ କରିଛି। ଓଡ଼ିଶାରେ ତାର ଏକାଧିକ ସହଯୋଗୀ ଲୁଚି ରହିଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ତାକୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରୁଛି।

ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହବିବୁର୍‌ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ଶେଖ ଅବ୍‌ଦୁଲ ନଇମ୍‌ ଓରଫ ନୋମିର ଘନିଷ୍ଠ ସହଯୋଗୀ। ନଇମ୍‌ ୨୦୦୭ରେ ପାକିସ୍ତାନର ଦୁଇ ଜଣ ଏବଂ କାଶ୍ମୀରର ଜଣେ ଆତଙ୍କବାଦୀଙ୍କୁ ବାଙ୍ଗଲାଦେଶ ସୀମାରେ ଭାରତକୁ ପ୍ରବେଶ କରାଇବା ଅଭିଯୋଗରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିଲା। କିନ୍ତୁ ୨୦୧୪ ଅଗଷ୍ଟରେ କଲିକତାରୁ ମହାରାଷ୍ଟ୍ର କୋର୍ଟରେ ହାଜିରା ପାଇଁ ନିଆଯାଉଥିବା ବେଳେ ସେ ଚମ୍ପଟ୍‌ ମାରିଥିଲା। ନଇମ୍‌ ଦ୍ୱିତୀୟ ଥର ପାଇଁ ୨୦୧୭ ନଭେମ୍ବରରେ ଗିରଫ ହେବା ପରେ ତାକୁ ମିଶାଇ ୧୦ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା। ଏଥିରେ କେନ୍ଦ୍ରାପଡ଼ାର ଆତଙ୍କବାଦୀ ହବିବୁର୍‌ର ନାମ ଥିଲା। ହବିବୁର୍‌ର ଘର କେନ୍ଦ୍ରାପଡ଼ା ହୋଇଥିବା ବେଳେ ସାଉଦି ଆରବ୍‌ର ରିୟାଦ୍‌ରେ ସେ ଆଡ୍ଡା ଜମାଇଥିଲା। ପାକିସ୍ତାନୀ ଆତଙ୍କବାଦୀ ଅମ୍‌ଜାଦ୍‌ ଓରଫ ରେହେନର ନିର୍ଦ୍ଦେଶ ଅନୁଯାୟୀ, ଆତଙ୍କବାଦୀ କାର୍ଯ୍ୟକଳାପର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହବିବୁର୍‌ ସମ୍ଭାଳିଥିବା କୁହାଯାଉଛି। ସେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଚଣ୍ଡୀଗଡ଼ ଅଞ୍ଚଳରେ ଆତଙ୍କବାଦୀଙ୍କୁ ରହିବା ପାଇଁ ଘର ଯୋଗାଇବା, ଲୁଚାଇବାରେ ସହଯୋଗ କରୁଥିଲା । ତା ବିରୋଧରେ ଦିଲ୍ଲୀର ଏନ୍‌ଆଇଏ ସ୍ୱତନ୍ତ୍ର ଅଦାଲତରୁ ଜାମିନବିହୀନ ଗିରଫ ପରଓ୍ଵାନା(କେସ୍‌ ନଂ ଆର୍‌ସି-୨୦/୨୦୧୭/ଏନ୍‌ଆଇଏ/ଡିଏଲ୍‌ଆଇ) ଜାରି କରାଇଥିଲା। ସେ ରିୟାଦ୍‌ରୁ ଏକ ବିମାନରେ ଗତକାଲି ଦିଲ୍ଲୀ ଆସୁଥିବା ଖବର ମିଳିଥିଲା। ସେହି ଆଧାରରେ ତାକୁ ଧରିବା ପାଇଁ ଏନଆଇଏ ଜାଲ ବିଛାଇଥିବା ବେଳେ ଆଜି ତାକୁ ବିମାନ ବନ୍ଦରରୁ ଧରି ନେଇଥିଲା। ଏନ୍‌ଆଇଏ ଦିଲ୍ଲୀ ପଟିଆଲା କୋର୍ଟରେ ତାକୁ ହାଜର କରିବା ପରେ ରିିମାଣ୍ଡରେ ଆଣିବାକୁ ଯୋଜନା କରୁଛି।

ପୂର୍ବରୁ ୨୦୧୫ ଡିସେମ୍ବର ୧୫ ତାରିଖ ରାତିରେ ଓଡ଼ିଶାରେ ପାକିସ୍ତାନୀ ଆତଙ୍କବାଦୀ ଲିଙ୍କ୍‌ ସାମ୍‌ନାକୁ ଆସିଥିଲା। ଅଲ୍‌-କଏଦା ଆତଙ୍କବାଦୀ ସଂଗଠନର ପ୍ରମୁଖ ସଦସ୍ୟ ଜଗତପୁର ପଶ୍ଚିମକଚ୍ଛର ବାସିନ୍ଦା ମୌଲାନା ଅବଦୁର୍‌ ରହେମାନ୍‌କୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ଗିରଫ କରିଥିଲା। ୨୦୧୬ ଫେବ୍ରୁଆରି ୧୬ ତାରିଖ ବିଳମ୍ବିତ ରାତିରେ ରାଉରକେଲାର କ୍ୱେରେସି ମହଲ୍ଲାରେ ଭଡ଼ା ଘରେ ରହୁଥିବା ଜଣେ ମହିଳାଙ୍କ ସମେତ ୫ ଜଣ ଫେରାର ସିମିି(ଷ୍ଟୁଡେଣ୍ଟ ଇସ୍‌ଲାମିକ୍‌ ମୁମେଣ୍ଟ ଅଫ୍‌ ଇଣ୍ଡିଆ) ଆତଙ୍କବାଦୀଙ୍କୁ ତେଲେଙ୍ଗାନା କାଉଣ୍ଟର ଇଣ୍ଟେଲିଜେନ୍ସ ସେଲ୍‌ ଗିରଫ କରିଥିଲା। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ଥିଲେ ସାଇକ୍‌ ମେହେବୁବ୍‌ ଖାନ୍‌ ଓରଫ ଗୁଡୁ ଓରଫ ମାଲିକ୍‌, ଜାଖିର୍‌ ଖାନ୍‌ ଓରଫ ସାଦିକ୍‌, ଅମ୍‌ଜାଦ ଓରଫ ଦାଉଦ୍‌, ସାଲିକ୍‌ ଓରଫ ସଲ୍ଲ ଏବଂ ମେହେବୁବ୍‌ର ମାମ ନଜାମ୍‌। ଏହି ଆତଙ୍କବାଦୀମାନେ ମଧ୍ୟପ୍ରଦେଶର ଖଣ୍ଡଓ୍ଵା ଜେଲ୍‌ରୁ ଫେରାର ହୋଇଯାଇଥିଲେ। ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ପ୍ରାୟ ୧୭ଟି ବିସ୍ଫୋରଣ ଘଟଣା ସମେତ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିଲେ। ୨୦୧୭, ଅକ୍ଟୋବର ୨୯ ତାରିଖରେ ଏନ୍‌ଆଇଏ ଓ ଗୁଇନ୍ଦା ବିଭାଗ ପକ୍ଷରୁ କିଶନନଗର ସାମନ୍ତରାପୁର ଅଞ୍ଚଳର ବାସିନ୍ଦା ଅଖ୍‌ତାର ହୁସେନ୍‌ଙ୍କୁ ଅଟକ ରଖି ଜେରା କରିଥିଲା। ସେ ସାଉଦି ଆରବରେ ରହୁଥିବା ସମୟରେ କିଛି ଆତଙ୍କବାଦୀ ଗୋଷ୍ଠୀଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଥିଲା। କିନ୍ତୁ ପରେ ତାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ନମିଳିବାରୁ ତାଙ୍କୁ ଛାଡ଼ି ଦେଇଥିଲେ। ଗତ ଚାରି ବର୍ଷ ମଧ୍ୟରେ ଏପରି ଲଗାତର ଓଡ଼ିଶା ଲିଙ୍କ୍‌ରେ ୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି ।

ସମ୍ବନ୍ଧିତ ଖବର