କ୍ଷୟକ୍ଷତି ଭରଣା ଲାଗି ‘କେରଳ ମଡେଲ’ ଆପଣାଇବାକୁ ଟାସ୍କଫୋର୍ସ ଗଠିତ: ପୁରୀକୁ ଛାଡ଼ି ଅନ୍ୟ ସ୍ଥାନରେ ୯୯% ବ୍ୟାଙ୍କ କାର୍ଯ୍ୟକ୍ଷମ, ବ୍ୟାଙ୍କ ଋଣ ଓ  ଇନସ୍ୟୁରାନ୍ସ କ୍ଲେମ ଲାଗି ନିୟମ କୋହଳ

ଭୁବନେଶ୍ବର: ବାତ୍ୟା ଫନିରେ ରାଜ୍ୟର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହାର ଭରଣା ପାଇଁ ଓଡିଶା ଆପଣେଇବ କେରଳ ମଡେଲ । ବ୍ୟାଙ୍କର୍ସ, ଇନସ୍ୟୁରାନ୍ସ ଓ ଟେଲିକମ କମ୍ପାନୀଙ୍କ ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ଏ ନେଇ ଆଜି ଭୁବନେଶ୍ୱରରେ ଆଲୋଚନା କରିଛନ୍ତି । କେରଳ ମଡେଲ ଆପଣେଇଲେ ଆଉ ଟିକିନିଖି କାଗଜପତ୍ର ଦରକାର ପଡିବନି । ସିମ୍ପଲ ଆପ୍ଲିକେଶନ ଫର୍ମରେ ଇନସ୍ୟୁରାନ୍ସ କ୍ଲେମ କରାଯାଇପାରିବ । ଏହାଦ୍ୱାରା କ୍ଷତି ସହିଥିବା ବ୍ୟବସାୟୀ ଓ ଉପଭୋକ୍ତା ସହଜରେ ବ୍ୟାଙ୍କ ଓ  ଇନସ୍ୟୁରାନ୍ସ କମ୍ପାନିରୁ ସହାୟତା ଲାଭ କରିପାରିବେ। ରାଜ୍ୟରେ କେରଳ ମଡେଲ ଲାଗୁ ପାଇଁ ଟାସ୍କଫୋର୍ସ ଗଠନ ହୋଇଛି । ଆଜି ବୈଠକ ପରେ ଏ ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ। ଏହି ବୈଠକରେ ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ଦିଆଯିବା ସହ ସୁଧହାରକୁ କୋହଳ କରାଯିବା ଲାଗି ନିଷ୍ପତ୍ତି ହୋଇଛି।

The Hindu ( Representational)

ଏଥି ସହ ଏମଏସଏମଇ ଓ ଫସଲ ବୀମା କ୍ଷେତ୍ରରେ ଋଣ ଦେବା ସର୍ତକୁ କୋହଳ କରାଯିବା ସହ ଦୁଇଦିନ ଭିତରେ ଇନସ୍ୟୁରାନ୍ସ କ୍ଲେମ ଟଙ୍କା ଦେବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କ୍ଲେମ କରିଥିବା ସଂସ୍ଥା ବା ବ୍ୟକ୍ତି ଇନସ୍ୟୁରାନ୍ସ ପାଇଁ ସବୁ ଡକୁମେଂଟ ନଦେଲେ ମଧ୍ୟ ତୁରନ୍ତ ଟଙ୍କା ଦିଆଯିବାକୁ କୁହାଯାଇଛି । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଫସଲ ନଷ୍ଟ ରିପୋର୍ଟ ଦେବାକୁ କୁହାଯାଇଛି, ଏହା ଆଧାରରେ ହିତାଧିକାରୀଙ୍କ ପ୍ରାପ୍ତି ସ୍ଥିର କରାଯିବ।  ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ  ଆନ୍ଧ୍ରରୁ ଇନସ୍ୟୁରାନ୍ସ ସର୍ଭେ କରିବାକୁ ଅଫିସର ଆସିଛନ୍ତି ।

ଫନି ପରବର୍ତ୍ତୀ ବ୍ୟାଙ୍କିଙ୍ଗ ସେବାର ସମୀକ୍ଷା ଶେଷ ହୋଇଛି। ସମୀକ୍ଷା ପରେ କେନ୍ଦ୍ର ଅର୍ଥ ବିଭାଗ ଅତିରିକ୍ତ ସଚିବଙ୍କ ସୂଚନା ଅନୁସାରେ, ପୁରୀକୁ ଛାଡ଼ି ଅନ୍ୟ ସ୍ଥାନରେ ୯୯% ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି। ବୀମାଧାରୀଙ୍କ ଆବେଦନକୁ ତୁରନ୍ତ ବିଚାର କରିବାକୁ କମ୍ପାନିଗୁଡ଼ିକୁ ନିର୍ଦେଶ ଦିଆଯାଇଛି। କଟକ, ଖୋର୍ଧା, ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ୧୯୯୨ ବ୍ୟାଙ୍କରୁ ୧୯୩୪ଟି କାମ କରୁଛି । ପୁରୀରୁ ୨୭ରୁ ୨୮ ପ୍ରତିଶତ ବ୍ୟାଙ୍କ କାମ କରୁଛି । ଆଉ ସପ୍ତାହକ ମଧ୍ୟରେ ବିଜୁଳି ଆସିବା ପରେ ସମସ୍ତ ଏଟିଏମ କାର୍ଯ୍ୟକ୍ଷମ ହେବ।

ସମ୍ବନ୍ଧିତ ଖବର