୨୦୨୦ ମାର୍ଚ ସୁଦ୍ଧା ଓଡ଼ିଶାକୁ କୁଷ୍ଠମୁକ୍ତ ଲକ୍ଷ୍ୟ : ରାଜ୍ୟରେ ୬୩୨୫ଜଣ କୁଷ୍ଠରୋଗୀ ଚିକିତ୍ସାଧୀନ

ଭୁବନେଶ୍ୱର : ଆସନ୍ତା ୨୦୨୦ ମାର୍ଚ ସୁଦ୍ଧା ରାଜ୍ୟକୁ କୁଷ୍ଠମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ୨୦୧୯ ଗାନ୍ଧୀ ଜୟନ୍ତୀ ସୁଦ୍ଧା କୁଷ୍ଠଜନିତ ଗ୍ରେଡ-୨ ଅକ୍ଷମତାକୁ ପ୍ରତି ୧୦ଲକ୍ଷ ଲୋକଙ୍କ କ୍ଷେତ୍ରରେ ୧ରୁ କମ୍‌ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ୨୦୦୬ ମସିହାରେ ରାଜ୍ୟ ସରକାର ଓଡ଼ିଶାକୁ କୁଷ୍ଠମୁକ୍ତ ଘୋଷଣା କରିଥିଲେ, ମାତ୍ର ପରବର୍ତୀ ସମୟରେ ରାଜ୍ୟରେ ପୁଣିଥରେ କୁଷ୍ଠ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା।

୧୯୮୩ ମସିହାରୁ ରାଜ୍ୟରେ ପର୍ଯ୍ୟାୟକ୍ରମେ ସବୁ ଜିଲ୍ଲାରେ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ଏମ୍‌ଡିଟି ଚିକିତ୍ସା ବ୍ୟବସ୍ଥା କରାଯାଇଛି। ୧୯୮୨/୮୩ ମସିହାରେ ରାଜ୍ୟରେ ପ୍ରତି ୧୦ହଜାର ଲୋକଙ୍କ ମଧ୍ୟରେ ୧୨୧.୪ ଜଣ କୁଷ୍ଠ ଆକ୍ରାନ୍ତ ରହିଥିଲେ। କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ୨୦୦୬/୦୭ ମସିହାରେ ପ୍ରତି ୧୦ହଜାର ଲୋକଙ୍କ କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା ୦.୬୫କୁ ହ୍ରାସ ପାଇ ନିରାକରଣ ଲକ୍ଷ୍ୟ ହାସଲ କରିପାରିଥିଲା। ମାତ୍ର ପରବର୍ତୀ ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ବଢ଼ିଥିଲା। ୨୦୧୨ ମସିହା ମାର୍ଚ ସୁଦ୍ଧା ପ୍ରତି ୧୦ହଜାର ଲୋକଙ୍କ ମଧ୍ୟରେ ଆକ୍ରାନ୍ତ ୦.୯୯, ୨୦୧୭ ମସିହା ମାର୍ଚ ସୁଦ୍ଧା ୧.୧୮ ଓ ୨୦୧୮ ଜୁଲାଇ ଶେଷସୁଦ୍ଧା ତାହା ୧.୨୪ରେ ପହଞ୍ଚିଛି। ୨୦୧୪/୧୫ରେ ରାଜ୍ୟରେ ୮୦୦୪ଜଣ, ୨୦୧୫/୧୬ରେ ୧୦ହଜାର ୧୭୫ଜଣ, ୨୦୧୬/୧୭ରେ ୧୦ହଜାର ୪୫ଜଣ ଓ ୨୦୧୭/୧୮ରେ ୯୫୭୬ଜଣ ନୂତନ କୁଷ୍ଠରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ୬୩୨୫ଜଣ କୁଷ୍ଠରୋଗୀ ଚିକିତ୍ସାଧୀନ ଅଛନ୍ତି।

ଅତ୍ୟଧିକ କୁଷ୍ଠ ପ୍ରବଣ ଜିଲ୍ଲାଗୁଡ଼ିକରେ କୁଷ୍ଠ ରୋଗୀ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିବା ପାଇଁ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ ମେହେର୍ଦା ନିର୍ଦେଶ ଦେଇଛନ୍ତି। ଏହାସହ ଯେଉଁ ଜିଲ୍ଲାଗୁଡ଼ିକରେ କୁଷ୍ଠ ରୋଗ ଦେଖାଦେବାର ଅଧିକ ଆଶଙ୍କା ରହିଛି ସେସବୁ ସ୍ଥାନରେ ଚିହ୍ନଟ ଅଭିଯାନକୁ ବ୍ୟାପକ କରିବା ସହିତ ‘ସ୍ପର୍ଶ’ କୁଷ୍ଠ ସଚେତନତାକୁ ବ୍ୟାପକ କରାଯିବ। ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ୩୬ହଜାର ୧୬୨ ଆଶା କର୍ମୀ, ୬୨୪୦ ସ୍ୱାସ୍ଥ୍ୟକର୍ମୀ, ୧୦୯୦ ସ୍ୱାସ୍ଥ୍ୟ ସୁପରଭାଇଜର, ୧୩୮୧ ମେଡିକାଲ ଅଧିକାରୀ ଓ ୨୯୧ଜଣ ଅନ୍ୟାନ୍ୟ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏ ନେଇ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଓ ଡିପିଏମ୍‌ମାନେ ନିଜ ନିଜ ଜିଲ୍ଲାରେ କୁଷ୍ଠ ନିରାକରଣ ଭଳି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ପାନ୍ଥନିବାସରେ ଅନୁଷ୍ଠି ଏହି କର୍ମଶାଳାରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା.ବି.କେ ବ୍ରହ୍ମା, ସ୍ୱାସ୍ଥ୍ୟସେବା ନିର୍ଦେଶ ଡା.ହରପ୍ରାସଦ ପଟ୍ଟନାୟକ, ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ସ୍ୱପ୍ନେଶ୍ୱର ଗଡ଼ନାୟକ ଓ ଅତିରିକ୍ତ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ଶକ୍ତି ପ୍ରସାଦ ପାଢ଼ୀଙ୍କ ସମେତ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଡିପିଏମ୍‌ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର