୨୦୨୦ ସୁଦ୍ଧା ଓଡ଼ିଶା ହେବ ଦେଶର ୩ୟ ବୃହତ୍ତମ ଷ୍ଟାର୍ଟ-ଅପ୍‌ ହବ୍‌ : ମନ୍ତ୍ରୀ

0 228

ଭୁବନେଶ୍ୱର : ଓଡ଼ିଶା ସରକାର ୨୦୨୦ ସୁଦ୍ଧା ଓଡ଼ିଶାକୁ ଦେଶର ୩ୟ ବୃହତ୍ତମ ଷ୍ଟାର୍ଟ ଅପ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସମୟ ମଧ୍ୟରେ ପ୍ରାୟ ୧୦୦୦ ଷ୍ଟାର୍ଟଅପକୁ ସ୍ୱୀକୃତି ପ୍ରଦାନ କରି ପ୍ରେତ୍ସାହିତ କରିବାକୁ ସରକାର ଲକ୍ଷ୍ୟ ରଖିଥିବାବେଳେ ଏପର୍ଯ୍ୟନ୍ତ ପ୍ରାୟ ୨୫୨ଟି ଷ୍ଟାର୍ଟ ଅପ୍‌କୁ ଚିହ୍ନଟ କରାଯାଇଛି ଓ ତା’ମଧ୍ୟରୁ ପ୍ରାୟ ୧୯ଟି ଷ୍ଟାର୍ଟଅପକୁ ପ୍ରେତ୍ସାହନ ପାଣ୍ଠି ପ୍ରଦାନ କରାଯାଇଛି । ଏସବୁ ଷ୍ଟାର୍ଟଅପ ତଥା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ଅଧିକ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ରାଜ୍ୟ ଏମଏସଏମଇ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ କହିଛନ୍ତି ।

‘ସମ୍ବାଦ’ ପକ୍ଷରୁ ଆୟୋଜିତ‘ବ୍ରାଣ୍ଡସ ଅଫ ଓଡ଼ିଶା ପ୍ରାଇଡ୍‌ ଅଫ ଇଣ୍ଡିଆ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡର ଲୋଗୋକୁ ଉନ୍ମୋଚନ କରି ସେ କହିଛନ୍ତି ଯେ ଓଡ଼ିଶା ଦେଶର ଏକ ପ୍ରମୁଖ ଖଣିଜ ସଂପଦ ପରିପୂର୍ଣ୍ଣ ଅଞ୍ଚଳ । ଏଠାରେ ଦେଶର ମୋଟ ଲୁହାପଥରର ୩୩ ପ୍ରତିଶତ, କୋଇଲାର ୩୩ ପ୍ରତିଶତ, କ୍ରୋମାଇଟ୍‌ର ୯୭ ପ୍ରତିଶତ ରହିଛି । ଏହା ସତ୍ତ୍ୱେ ରାଜ୍ୟ ଶିଳ୍ପ କ୍ଷେତ୍ରରେ ପଛୁଆ ରହିଆସିଛି । ରାଜ୍ୟରେ ତେବେ ଗତ କିଛି ଦଶନ୍ଧିରେ ରାଜ୍ୟ ଶିଳ୍ପ ଓ କୃଷି କ୍ଷେତ୍ରରେ ଦ୍ରୁତ ଉନ୍ନତି ହାସଲ କରିପାରିଛି । ଆଗାମୀ ଦିନରେ ରାଜ୍ୟ ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କୁ ପ୍ରେତ୍ସାହିତ କରି ଅଧିକରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି ।

ଶ୍ରୀ ଜଗନ୍ନାଥ ସବୁଠୁ ବଡ଼ ବ୍ରାଣ୍ଡ୍

ଏହି ଅବସରରେ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାର ସବୁଠୁ ଭଲ ବ୍ରାଣ୍ଡ ହେଉଛନ୍ତି ଶ୍ରୀ ଜଗନ୍ନାଥ-ଓଡ଼ିଶା କାହିଁକି ସାରା ବିଶ୍ୱରେ ଏହି ବ୍ରାଣ୍ଡ୍‌ର ତୁଳନା ନାହିଁ । ସେ ବିଶ୍ୱ ଭାତୃଭାବ ହେଉ ବା ସହନଶୀଳତା ହେବା ବା ସାଂପ୍ରଦାୟିକ ସଦ୍ଭାବ ହେଉ ସବୁ କ୍ଷେତ୍ରରେ ଜଗନ୍ନାଥ ସଂସ୍କୃତି ଅତୁଳନୀୟ। ଏହାଛଡ଼ା ସମୃଦ୍ଧ ନୌବାଣିଜ୍ୟ ଓ କଳା ଓ କୃଷି କ୍ଷେତ୍ରରେ ଓଡ଼ିଶାର ଏକ ଗୌରବମୟ ଇତିହାସ ରହିଛି । ଆଜି ସେ ପରମ୍ପରା ବିଲୁପ୍ତ ହେଲେ ମଧ୍ୟ ଆମର ଅନେକ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସଫଳ ହୋଇ ସାରା ଦେଶରେ ବ୍ରାଣ୍ଡ ଓଡ଼ିଶାର ପ୍ରଚାର କରୁଛନ୍ତି । ଶିଳ୍ପ କ୍ଷେତ୍ରରେ ଓଡ଼ିଶାରୁ ବାହାରି ସାରା ଦେଶରେ ବ୍ରାଣ୍ଡ୍‌ ଓଡ଼ିଶାର ପ୍ରଚାର କରିଥିବା ସଫଳ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ବ୍ରାଣ୍ଡସ ଅଫ ଓଡ଼ିଶା, ପ୍ରାଇଡ୍‌ ଅଫ ଇଣ୍ଡିଆ-ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡସ ୨୦୧୮ର ପରିକଳ୍ପନା କରାଯାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.