କୃଷି ପାଇଁ ଓଡ଼ିଶାକୁ ମିଳିବ ପ୍ରଶଂସାପତ୍ର

ମିଳିପାରିଲାନି କୃଷିକର୍ମଣ ପୁରସ୍କାର

ଭୁବନେଶ୍ବର : ୨୦୧୬-୧୭ ବର୍ଷ ପାଇଁ କେନ୍ଦ୍ର ସରକାର କୃଷି କର୍ମଣ ପୁରସ୍କାର ଘୋଷଣା କରିଛନ୍ତି। ଲଗାତର ଦ୍ବିତୀୟ ବର୍ଷ ପାଇଁ ଓଡ଼ିଶା ଏହି ପୁରସ୍କାର ପାଇପାରି ନାହିଁ। ‌ତେବେ ୨୦୧୬-୧୭ରେ ମୋଟ୍ ଖାଦ୍ୟଶସ୍ୟ ଉତ୍ପାଦନର ବିଭାଗ-୨ରେ ଓଡ଼ିଶାକୁ ସ୍ବତନ୍ତ୍ର ଭାବେ ପ୍ରଶଂସାପତ୍ର(କମେଣ୍ଡେସନ୍ ଆୱାର୍ଡ) ମିଳିବ। କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ଏ ନେଇ ରାଜ୍ୟ କୃଷି ମନ୍ତ୍ରୀଙ୍କୁ ଗତ ୭ ତାରିଖରେ ଚିଠି ଲେଖି ଜଣାଇଛନ୍ତି। ଚାଷୀମାନଙ୍କୁ ସହଯୋଗ ଯୋଗାଇ ଏହି କୃତିତ୍ବ ହାସଲ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ରାଜ୍ୟ କୃଷି ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା ଫେବ୍ରୁଆରି-ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ହେବାକୁ ଥିବା କୃଷି ଉନ୍ନତି ମେଳାରେ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ମାନପତ୍ର ଓ ଏକ କୋଟି ଟଙ୍କା ଅର୍ଥରାଶି ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ଏହି ଚିଠିରେ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଖାଦ୍ୟଶସ୍ୟ ଉତ୍ପାଦନ ଭିତ୍ତିରେ ତିନିଟି ଭାଗରେ ବିଭକ୍ତ କରିଛନ୍ତି। ୧ନିୟୁତ ଟନ୍‌ରୁ ୧୦ ନିୟୁତ ଟନ୍ ଭିତରେ ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକୁ ବିଭାଗ-୨ରେ ରଖାଯାଇଛି। ଏହି ବିଭାଗରେ ଓଡ଼ିଶା ସହ ତାମିଲନାଡ଼ୁ, ଗୁଜୁରାଟ, ଛତିଶଗଡ଼, ଆ‌ସାମ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜାମୁ ଓ କଶ୍ମିରୀ ରହିଛନ୍ତି। ଏହି ବିଭାଗରେ ସର୍ବାଧିକ ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବା ରାଜ୍ୟକୁ କୃଷିକର୍ମଣ ପୁରସ୍କାର ଦିଆଯାଉଛି। ଏହା ବାଦ୍ ଯେଉଁ ରାଜ୍ୟ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ମୋଟ୍ ଉପରେ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିଥିବେ କିନ୍ତୁ କୃଷିକର୍ମଣ ପାଇଁ ଯୋଗ୍ୟ ବିବେଚିତ ହେଉ ନ ଥିବେ, ସେମାନଙ୍କୁ ସ୍ବତନ୍ତ୍ର ଭାବେ ‘କମେଣ୍ଡେସନ୍ ଆୱାର୍ଡ’ ପ୍ରଦାନ କରାଯାଉଛି। ୨୦୧୬-୧୭ ପାଇଁ ଓଡ଼ିଶା ଏହି ଆୱାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି।

ସୂଚନାଯୋଗ୍ୟ ଯେ ୨୦୧୦-୧୧ରୁ କୃଷିକର୍ମଣ ପୁରସ୍କାର ପ୍ରଦାନ ଆରମ୍ଭ ହୋଇଥିଲା। ବିଭାଗ-୨ରେ ପ୍ରଥମ ବର୍ଷ ଆସାମ ଓ ଓଡ଼ିଶା ଯୁଗ୍ମ ଭାବେ ଏହି ପୁରସ୍କାର ପାଇଥି‌େଲ। ୨୦୧୧-୧୨ରେ ତାମିଲନାଡ଼ୁ କୃଷିକର୍ମଣ ପୁରସ୍କାର ପାଇଥିଲା। ୨୦୧୨-୧୩ରୁ ୨୦୧୪-୧୫ ପର୍ଯ୍ୟନ୍ତ ଲଗାତର ତିନି ବର୍ଷ ଓଡ଼ିଶା ଏହି ପୁରସ୍କାର ହାସଲ କରିଥିଲା। ତେବେ ୨୦୧୫-୧୬ ଓ ୨୦୧୬-୧୭ରେ ଓଡ଼ିଶା ଏହି ପୁରସ୍କାର ପାଇପାରି ନାହିଁ।

ସମ୍ବନ୍ଧିତ ଖବର