କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ : ୯୦ ହଜାର ଜମାକାରୀ ପାଇବେ ଟଙ୍କା

ଭୁବନେଶ୍ୱର/କଟକ : ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ (୧୦ ହଜାର ଟଙ୍କାରୁ କମ୍‌)ଙ୍କୁ ଅର୍ଥ ଫେରସ୍ତ ନେଇ ଶେଷରେ ସରକାରୀ ପ୍ରକ୍ରିୟା ଚୂଡାନ୍ତ ସ୍ଥିତିରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ନିର୍ଦେଶ ପରେ କ୍ଷୁଦ୍ର ଜମାକାରୀଙ୍କୁ ଡାକି ତହସିଲଦାରମାନେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜମାକାରୀଙ୍କ ବ୍ୟାଙ୍କ ତଥ୍ୟ ଓ ଇଣ୍ଡେମ୍‌ନିଟି ବଣ୍ଡ ଯାଞ୍ଚ ଚାଲିଛି। ଏହି ଯାଞ୍ଚ ଶେଷ ପରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ। ଆଜି କଟକ ଜିଲ୍ଲାର ମାହାଙ୍ଗା ବ୍ଲକରେ ପାଖାପାଖି ୨୩୨ଜଣ ସେମାନଙ୍କ ତଥ୍ୟ ଦାଖଲ କରିଥିବା ଜଣାପଡିଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି, ସଂପୃକ୍ତ ବ୍ଲକର ୪୬୧ଟି ଆବେଦନ ଯାଞ୍ଚ ଶେଷ ହୋଇଗଲେ, ଦୁଇ ତିନି ଦିନ ମଧ୍ୟରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯିବ। ରାଜ୍ୟର ଅନ୍ୟ ତେତେକ ଜିଲ୍ଲାରେ ମଧ୍ୟ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଚିଟ୍‌ଫଣ୍ଡ କମିସନ ପ୍ରଥମ ପର୍ଯ୍ୟାୟରେ ସତ୍ୟପାଠ ଯାଞ୍ଚ କରି ୨୬ ହଜାର ୯୭୬ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୬୧ ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ୍‌ କରି କମିସନ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିଛନ୍ତି। ଏହିପରି ମୋଟ ୮୮ ହଜାର ୨୨୮ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମାନ୍ତରାଳ ଭାବେ କମିସନଙ୍କ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଅନ୍ତରୀଣ ରିପୋର୍ଟ ଉପରେ ବି ତର୍ଜମା ଚାଲିଛି।

ପୂର୍ବରୁ ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦେଶନାମା ଜାରି କରାଯାଇଥିଲା। ମାସକ ଭିତରେ ଟଙ୍କା ଫେରସ୍ତ କରିବାକୁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ନିର୍ଦେଶ ଜାରି କରିଥିଲେ।

ଚିଟ୍‌ଫଣ୍ଡ କମିସନଙ୍କ ପ୍ରଥମ ଓ ଦ୍ୱିତୀୟ ରିପୋର୍ଟରେ ଯେଉଁ କ୍ଷୁଦ୍ର ଜମାକାରୀଙ୍କ ତାଲିକା ରହିଛି, ସେମାନଙ୍କୁ ପ୍ରଥମେ ଅର୍ଥ ପ୍ରଦାନ କରାଯିବ। ତେବେ ତାଲିକାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକ଼ଡ଼ି କରିବାକୁ ଅର୍ଥ ବିଭାଗ ନିର୍ଦେଶ ଦେଇଥିଲା। ସରକାର କହିଥିଲେ, ପ୍ରଥମେ କ୍ଷୁଦ୍ର ଜମାକାରୀ ତହସିଲଦାରଙ୍କ ନିକଟରେ ହାଜର ହୋଇ ବଣ୍ଡ ଦାଖଲ କରିବେ। ରାଜସ୍ୱ ବିଭାଗର ଆଦେଶନାମା ଅନୁଯାୟୀ ଇନ୍‌ଡେମ୍‌ନିଟି ବଣ୍ଡ ଉପରୁ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯାଇଛି। ଏଣୁ, ସାଦା କାଗଜରେ ସେହି ଜମାକାରୀମାନେ ବଣ୍ଡ ଦାଖଲ କରିବା ସହିତ ବାତିଲ ଚେକ୍‌ ହେଉ ବା ନିଜ ବ୍ୟାଙ୍କ ଆକାଉଣ୍ଟ ଖାତାର ପ୍ରଥମ ପୃଷ୍ଠା ଦେବେ। ସମସ୍ତ ଜମାକାରୀଙ୍କ ବଣ୍ଡ ଗ୍ରହଣ କରିବା ପରେ ତହସିଲଦାରମାନେ ନିଜ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ସେଗୁଡ଼ିକୁ ଦାଖଲ କରିବେ। ଜିଲ୍ଲାପାଳ କ୍ଷୁଦ୍ର ଜମାକାରୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଆନୁଷ୍ଠାନିକ ଭାବେ ଆଦେଶନାମା ଜାରି କରିବେ। ତଦନୁଯାୟୀ ସେହି ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ପ୍ରଦାନ କରାଯିବ।
ଆମ କଟକ ପ୍ରତିନିଧି ଜଣାଇଛନ୍ତି, ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧ ହଜାର କ୍ଷୁଦ୍ର ଜମାକାରୀ ଟଙ୍କା ଫେରିପାଇବେ। ପ୍ରତ୍ୟେକ ତହସିଲ ପକ୍ଷରୁ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଜମାକାରୀମାନେ ଇଣ୍ଡେମ୍‌ନିଟି ବଣ୍ଡ ମଧ୍ୟ ତହସିଲରେ ଦାଖଲ କରିଛନ୍ତି। କଟକ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୨୫ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ କରାଯିବାର ଯୋଜନା ରହିଥିବା ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଜିଲ୍ଲାର ମାହାଙ୍ଗା ବ୍ଲକ୍‌ରେ ୪୬୧ଜଣ ଜମାକାରୀଙ୍କ ଆବେଦନ ଆସିଥିବାବେଳେ ସେଥିରୁ ଯାଂଚ ସମୟରେ ୨୩୨ଜଣ ସେମାନଙ୍କ ବ୍ୟାଙ୍କ ତଥ୍ୟ, ଇଣ୍ଡେମ୍‌ନିଟି ବଣ୍ଡ ଦାଖଲ କରିଛନ୍ତି। ଫଳରେ ପ୍ରଥମ ପର୍ଯ୍ୟାୟରେ ଦୁଇ ତିନି ଦିନ ମଧ୍ୟରେ ୧୦ ହଜାରରୁ କମ୍‌ ଟଙ୍କା ପାଇବାକୁ ଥିବା ହିତାଧିକାରୀ ସେମାନଙ୍କ ଟଙ୍କା ଫେରିପାଇବେ। ଏହି କ୍ରମରେ ବାଙ୍କୀରେ ୧୩୧ ଜଣ କ୍ଷୁଦ୍ର ଜମାକାରୀ ଟଙ୍କା ଫେରିପାଇବାକୁ ଚିହ୍ନଟ ହୋଇଛନ୍ତି। ଆଠଗଡ଼, କଟକ ସଦର, ନିଆଳି, ନିଶ୍ଚିନ୍ତକୋଇଲି ସମେତ ୧୪ଟି ବ୍ଲକ୍‌ରେ ଅର୍ଥତତ୍ତ୍ୱ ଓ ରୋଜଭ୍ୟାଲିରେ ଟଙ୍କା ରଖିଥିବା ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରଘୁରାମ ଆୟାର କହିବା ଅନୁଯାୟୀ ତାଲିକା ଯାଞ୍ଚ ଶେଷ ପର୍ଯ୍ୟାୟରେ ପହଞ୍ଚିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଜମାକାରୀ ଟଙ୍କା ଫେରସ୍ତ ପାଇନାହାନ୍ତି। ଖୁବ୍‌ ଶୀଘ୍ର ଏ ପ୍ରକ୍ରିୟା ଆରମ୍ଭ ହେବ।

ଆମ ରାୟଗଡା ପ୍ରତିନିଧିଙ୍କ ସୂଚନା ଅନୁସାରେ, ଜିଲ୍ଲା ପ୍ରଶାସନ ପାଖରେ ୪୨ଜଣ କ୍ଷୁଦ୍ର ଜମାକାରୀଙ୍କ ତାଲିକା ପହଞ୍ଚିଛି। ବରଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ଟଙ୍କା ତହସିଲଦାରଙ୍କୁ ପ୍ରଦାନ କରାଯାଇସାରିଲେଣି। ପୂର୍ବରୁ ରାଜ୍ୟ ସରକାର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ପାଇଁ ୩୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ କରିଥିଲେ।

ସମ୍ବନ୍ଧିତ ଖବର