ସହରରେ ପକ୍କା ଘର ପାଇବେ ୨୨ ହଜାର ହିତାଧିକାରୀ

ଓଡ଼ିଶା ସହରାଞ୍ଚଳ ଆବାସ ଯୋଜନା ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର : ଓଡ଼ିଶା ସହରାଞ୍ଚଳ ଆବାସ ଯୋଜନା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସଚିବାଳୟରେ ହୋଇଥିବା ଓଡ଼ିଶା ସହରାଞ୍ଚଳ ହାଉସିଂ ମିସନ୍‌ର ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରେ ଏହି ଅନୁମୋଦନ ଦିଆଯାଇଛି। ରାଜ୍ୟର ୮୬ଟି ସହରାଞ୍ଚଳରେ ବସବାସ କରୁଥିବା ୨୨,୨୨୪ ଜଣ ହିତାଧିକାରୀ ପକ୍କା ଘର ପାଇବେ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକଳ୍ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପାଣ୍ଠି ଯୋଗାନ୍ତି। ଘର ପିଛା କେନ୍ଦ୍ର ସରକାର ଦେଢ଼ ଲକ୍ଷ ଓ ରାଜ୍ୟ ସରକାର ୫୦ ହଜାର ଟଙ୍କା ସହାୟତା ଦିଅନ୍ତି। ହିତାଧିକାରୀ ନିଜ ଘରର ଆକାର ଅନୁସାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଂଶଧନ ଦେବାର ବ୍ୟବସ୍ଥା ରହିଛି। ଅଂଶଧନ ନିମନ୍ତେ ହିତାଧିକାରୀମାନଙ୍କୁ ବ୍ୟାଙ୍କ ଋଣ ବ୍ୟବସ୍ଥା ସହ ସଂଯୋଜିତ କରାଯାଇପାରିବ।

ବର୍ତ୍ତମାନ ପର୍ଯ୍ୟନ୍ତ ୮୮ଟି ସହରାଞ୍ଚଳରେ ବାସ କରୁଥିବା ୨୮,୭୪୯ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଏହା ବାଦ୍‌ ରାଉରକେଲା ଓ ଭୁବନେଶ୍ୱରରେ ବସ୍ତି ଉନ୍ନୟନ ପ୍ରକଳ୍ପ ନିମନ୍ତେ ଗୃହ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେହିପରି ଭୁବନେଶ୍ୱର, ଜଟଣୀ ଓ ଖୋର୍ଦ୍ଧା ଆଦି ତିନିଟି ସହରରେ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାର ନିମନ୍ତେ ୬୪୪୨ଟି ଗୃହ ନିର୍ମାଣ କରାଯାଉଛି। ଏହି ଘରଗୁଡ଼ିକ ପିପିପି ମୋଡ୍‌ରେ କରାଯାଉଛି।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍‌ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ବସ୍ତିବହୁଳ ସହରଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଯୋଜନାରେ ସାମିଲ୍‌ କରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌ଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର