ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଅନୁଯାୟୀ ହିତାଧିକାରୀ ସଂଖ୍ୟା ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଅତିରିକ୍ତ ୩୪ ଲକ୍ଷ ୪୪ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଅନୁରୋଧ କରି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ଚିଠି ଲେଖିଛନ୍ତିି।
Sambad is now on WhatsApp
Join and get latest news updates delivered to you via WhatsApp
ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ରାଜ୍ୟରେ ୩ କୋଟି ୨୬ ଲକ୍ଷ ୪୧,୮୦୦ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ୨୦୧୧ ଜନଗଣନା ଅନୁଯାୟୀ ଲୋକସଂଖ୍ୟାର ୭୮ ପ୍ରତିଶତ। ୨୦୧୧ ଜନଗଣନା ପରେ ୭ ବର୍ଷ ବିତିଯାଇଛି। ୨୦୧୧ ଓ ବର୍ତମାନର ଜନସଂଖ୍ୟା ତୁଳନା କଲେ, ଓଡ଼ିଶାର ଜନସଂଖ୍ୟା ୧୦.୨୨ ପ୍ରତିଶତ ବୃଦ୍ଧି ପାଇଛି। ଏଣୁ, ୭୮ ପ୍ରତିଶତର ଅନୁପାତକୁ ବଜାୟ ରଖିବାକୁ ହେଲେ ଅତିରିକ୍ତ ୩୪ ଲକ୍ଷ ୪୪ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ହେବ। ଏହି ଦାବିକୁ ଅଗ୍ରାଧିକାର ଭିତ୍ତିରେ ବିଚାର କରି ରାଜ୍ୟର ହିତାଧିକାରୀ ସଂଖ୍ୟା ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି।