ଓଡ଼ିଶା ଭର୍ଚୁଆଲ୍‍ ଏକାଡ଼େମି ବିରୋଧରେ ତଥ୍ୟ ଚୋରି ଅଭିଯୋଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ‘ଓଡ଼ିଆ ଭର୍ଚୁଆଲ୍‍ ଏକାଡେମି’ ଏବେ ବିବାଦ ଘେରରେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାବା ଲକ୍ଷ୍ୟରେ କୋଟିଏ ଟଙ୍କା ବ୍ୟୟ ଅଟକଳରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୭ ମସିହା ଏପ୍ରିଲ ୧୪ ଓଡ଼ିଆ ନୂଆବର୍ଷ ଅବସରରେ ପ୍ରଥମକରି ‘ଓଡ଼ିଆ ଭର୍ଚୁଆଲ୍‍ ଏକାଡେମି’ର ୱେବ୍‌ସାଇଟ୍‍ ଉନ୍ମୋଚିତ ହୋଇଥିଲା। ଓଡ଼ିଆ ଭାଷାର ବହୁ ପ୍ରାଚୀନ ପାରଂପରିକ, ଶାସ୍ତ୍ରୀୟ ଓ କାଳଜୟୀ ସାହିତ୍ୟକୃତୀକୁ ଡିଜିଟାଇଜେସନ ମାଧ୍ୟମରେ ସଂଗ୍ରହ କରିବା ଏହାର ଲକ୍ଷ୍ୟ ଥିଲା। ମାତ୍ର ଏହି େୱବ୍‌ସାଇଟ୍‍ରେ ‘ସୃଜନିକା’ ନାମକ ଏକ ସଂସ୍ଥାର ଡିଜିଟାଇଜ୍‍ଡ ସିଡ଼ି/ଡିଭିଡ଼ିର ସମସ୍ତ ପୃଷ୍ଠାକୁ ବ୍ୟବହାର କରାଯାଇଥିବାବେଳେ କୌଣସି ସ୍ଥାନରେ ‘ସୃଜନିକା’ର ପ୍ରାପ୍ତିସ୍ୱୀକାର କିମ୍ୱା ସୌଜନ୍ୟ ଉଲ୍ଲେଖ କରାଯାଇନାହିଁ। ଏହା ଜିଏନୟୁ ପବ୍ଲିକ୍‍ ଲାଇସେନ୍‍ସ (ଜିପିଏଲ୍‍) ଏବଂ କପିରାଇଟ୍‍ ଉଲ୍ଲଂଘନ ବୋଲି ‘ସୃଜନିକା’ର ମୁଖ୍ୟ ଡ. ନିଖିଳ ମୋହନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ‘ଓଡ଼ିଆ ଭର୍ଚୁଆଲ୍‍ ଏକାଡେମି’ର ଏଭଳି ଅନୈତିକ କାର୍ଯ୍ୟ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ. ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି ।
ସୂଚନାଯୋଗ୍ୟ, ଗତ ୧୨ ବର୍ଷ ଧରି ‘ସୃଜନିକା’ ସଂସ୍ଥା ଡିଜିଟାଇଜେନ ମାଧ୍ୟମରେ ଓଡ଼ିଆ ଭାଷା ଓ ସାହିତ୍ୟର ସଂଗ୍ରହ ଓ ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ ରହିଛି । ଗତ ୧୨ ବର୍ଷ ମଧ୍ୟରେ ଏହି ସଂସ୍ଥା ଲକ୍ଷାଧିକ ପୃଷ୍ଠାକୁ ଡିଜିଟାଇଜେସନ କରିବା ସହ ‘ଓଡ଼ିଆ ବିଭବ’ ନାମରେ ଏକ ୱେବ୍‌ସାଇଟ୍‍ ମଧ୍ୟ ସ୍ଥାପନ କରିଛି। ମାତ୍ର, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ‘ସୃଜନିକା’ର ବିନା ଜ୍ଞାତସାରରେ ଏବଂ ବିନା ଅନୁମତିରେ ନିଜ ୱେବ୍‌ସାଇଟ୍‌ରେ ବହୁ ତଥ୍ୟ ବ୍ୟବହାର କରିଛି ବୋଲି ଅଭିଯୋଗ ହୋଇଛି।

ପୁରୁଣା ୱେବସାଇଟ୍ ବନ୍ଦ, ପାଣିରେ ପଡ଼ିଲା କୋଟିଏ ଟଙ୍କା!
ନୂଆ ୱେବ୍‌ସାଇଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ ୨୬ରେ
ଆଇଟି- ସଂସ୍କୃତି ବିଭାଗ ମଧ୍ୟରେ କାଦୁଅ ଫିଙ୍ଗା

ଅପରପକ୍ଷେ, ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୭ ମସିହା ଏପ୍ରିଲ୍‍ ୧୪ରେ ଆରମ୍ଭ ହୋଇଥିବା ‘ଓଡ଼ିଆ ଭର୍ଚୁଆଲ୍‍ ଏକାଡେମି’କୁ ଅଚାନକ ବନ୍ଦ କରି ଦିଆଯାଇଛି । ଆହୁରିମଧ୍ୟ, ‘ସୃଜନିକା’ଠାରୁ ଅଭିଯୋଗପତ୍ର ପାଇବା ପରେ ସଂସ୍କୃତି ବିଭାଗ ଏହି ୱେବ୍‌ସାଇଟ୍‌ରୁ ‘ସୃଜନିକା’ର ବ୍ୟବହୃତ ସମସ୍ତ ଡିଜିଟାଲ ତଥ୍ୟକୁ ହଟାଇ ଦେଇଛନ୍ତି। ପୁରୁଣା ୱେବ୍‌ସାଇଟ୍‌କୁ ବନ୍ଦ କରି ନୂଆ ୱେବ୍‌ସାଇଟ୍‌ ସ୍ଥାପନ କରାଯିବ। ଚଳିତମାସ ୨୬ ତାରିଖରେ ଏହି ନୂଆ ୱେବ୍‌ସାଇଟ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ସୂଚନା ପ୍ରଯୁକ୍ତି ବିଭାଗ ଯୁଗ୍ମ ସଚିବ ତଥା ‘ଭର୍ଚୁଆଲ୍‍ ଏକାଡେମି’ର ଓଏସ୍‍ଡି ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ମାତ୍ର ରାଜ୍ୟ ସଂସ୍କୃତି ବିଭାଗ ପରିବର୍ତ୍ତେ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏହି ନୂଆ ୱେବ୍‌ସାଇଟ୍‌ର ଦାୟିତ୍ବ ତୁଲାଇବ। ପୁରୁଣା େୱବ୍‌ସାଇଟ୍‍ରେ ଥିବା ତ୍ରୁଟିକୁ ସୁଧାରି ଏହାକୁ ଅଧିକ ଶୃଙ୍ଖଳିତ ରିଡର୍ସ ଫ୍ରେଣ୍ଡ୍‌ଲି କରାଯିବ। ସୋସାଇଟି ରେଜିଷ୍ଟ୍ରସନ ଆକ୍‍ଟ ଅନୁଯାୟୀ ଏହାର ରେଜିଷ୍ଟ୍ରେସନ କରାଯାଇଛି ଏବଂ ପ୍ରାଚୀନ ଲେଖକଙ୍କ ଉତ୍ତରାଧିକାରୀଙ୍କଠାରୁ ଅନୁମତି ନିଆଯାଇ ପୁସ୍ତକଗୁଡ଼ିକୁ ସ୍କାନିଂ/ଫଟୋକପି ପରିବର୍ତ୍ତେ ୟୁନିକୋଡରେ ଟାଇପ୍‍ କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ‘ସୃଜନିକା’ର ଡିଜିଟାଇଜେସନ ସ୍କାନିଂ/ଫଟୋକପି ପ୍ରଣାଳୀରେ ହେଉଥିବାବେଳେ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ବହିଗୁଡ଼ିକୁ ଟାଇପିଂ ପଦ୍ଧତିରେ ସଂରକ୍ଷଣ କରାଯାଉଛି । ଏଣୁ ‘ସୃଜନିକା’ର ସ୍କାନିଂ ପୃଷ୍ଠା ଓ ବହିକୁ ଚୋରି କରିବାର ପ୍ରଶ୍ନ ଉଠୁନାହିିଁ ବୋଲି ସେ କହିଛନ୍ତି । ପୂର୍ବରୁ ସଂସ୍କୃତି ବିଭାଗ ଏବଂ ‘ସୃଜନିକା’ ମଧ୍ୟରେ କ’ଣ ସଂପର୍କ ଥାଇପାରେ ସେ ସଂପର୍କରେ ତାଙ୍କ ନିକଟରେ ସୂଚନା ନାହିିଁ ଏବଂ ଏ ସଂପର୍କରେ ସଂସ୍କୃତି ବିଭାଗ ଉତ୍ତର ଦେଇପାରିବ ବୋଲି ସୂଚନା ପ୍ରଯୁକ୍ତି ବିଭାଗ ଯୁଗ୍ମ ସଚିବ ତଥା ‘ଭର୍ଚୁଆଲ୍‍ ଏକାଡେମି’ର ଓଏସ୍‍ଡି ସଂସ୍କୃତି ବିଭାଗ ଆଡକୁ ଦୋଷ ଠେଲି ଦେଇଛନ୍ତି । ତେବେ ପୂର୍ବରୁ ସଂସ୍କୃତି ବିଭାଗ ଅଧୀନସ୍ଥ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଦ୍ୱାରା ପରିଚାଳିତ ‘ଓଡ଼ିଆ ଭର୍ଚୁଆଲ୍‍ ଏକାଡେମି’ର ପୁରୁଣା େୱବ୍‌ସାଇଟ୍‍ରେ କାହିିଁକି ଏବଂ କେଉଁ ପରିସ୍ଥିତିରେ ‘ସୃଜନିକା’ର ସୌଜନ୍ୟ ଉଲ୍ଲେଖ କରାଯାଇ ନାହିିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏ ନେଇ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ର ନିର୍ଦ୍ଦେଶିକା ତମସାରାଣୀ ଦାସମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । େୱବ୍‌ସାଇଟ୍‍ରେ ‘ସୃଜନିକା’ର ସୌଜନ୍ୟ ଉଲ୍ଲେଖ ନ କରିବା ଅନିଛାକୃତ ଯାନ୍ତ୍ରିକ ତ୍ରୁଟି ବୋଲି ସେ ସ୍ୱୀକାର କରିଛନ୍ତି । ମାତ୍ର ସେତେବେଳେ ଏହି ଡିଜିଟାଇଜେସନ ଓ େୱବ୍‌ସାଇଟ କାର୍ଯ୍ୟକୁ ଆଇଟି ବିଭାଗ କରୁଥିଲା ଏବଂ ଆଇଟି ବିଭାଗର ତୃଟି କାରଣରୁ ଏହା ହୋଇଛି ବୋଲି ଶ୍ରୀମତୀ ଦାସମହାପାତ୍ର କହିଛନ୍ତି । କିନ୍ତୁ ‘ସୃଜନିକା’ର କୌଣସି ଡିଜିଟାଲ୍‍ ପେଜ୍‍ କିମ୍ୱା ବହିକୁ ଚୋରି କରାଯାଇନାହିିଁ। ଏଥିପାଇଁ ‘ସୃଜନିକା’କୁ ୨୫ ହଜାର ଟଙ୍କା ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯାଇଛି ବୋଲି ଶ୍ରୀମତୀ ଦାସମହାପାତ୍ର କହିଛନ୍ତି । ମାତ୍ର ଏହି ଅର୍ଥ କେବଳ ସିଡ଼ି/ଡିଭିଡ଼ି ଓ ଏହି କାମରେ ନିୟୋଜିତ କର୍ମଚାରୀଙ୍କ ଶ୍ରମ ବାବଦରେ ସ୍ୱଳ୍ପ ମୂଲ୍ୟ ବୋଲି ‘ସୃଜନିକା’ର ମୁଖ୍ୟ ଡ. ପଟ୍ଟନାୟକ କହିଛନ୍ତି। ଏହାକୁ ଯଦି ସଂସ୍କୃତି ବିଭାଗ କହେ, ଟଙ୍କା ଦେଇ ଆମେ କିଣିନେଇଛୁ, ତାହା ଦୁର୍ଭାଗ୍ୟଜନକ ବୋଲି ଡ. ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ।

ଅପରପକ୍ଷେ, ପୁରୁଣା େୱବ୍‌ସାଇଟ୍‍ ବାବଦରେ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସେ େୱବ୍‌ସାଇଟ୍‍କୁ ବନ୍ଦ କରି ପୁଣି ଆଉ ଏକ େୱବ୍‌ସାଇଟ୍‍ ଖୋଲିବାର ମାନେ କ’ଣ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଏହାଦ୍ୱାରା ସରକାରଙ୍କ ଟଙ୍କା କେବଳ ପାଣିରେ ପଡ଼ିବା ସାର ହେଉଛି । ସରକାରଙ୍କର ଆର୍କାଇଭ୍‍, ଓଡ଼ିଶା ସାହିତ୍ୟ ଏକାଡେମି, ଓଡ଼ିଆ ଭାଷା ପ୍ରତିଷ୍ଠାନ ଭଳି ଅନୁଷ୍ଠାନ ଏବଂ ଉନ୍ନତମାନର ଭିତ୍ତିଭୂମି ଥାଉ ଥାଉ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ହାତରେ ଏଭଳି ଏକ ସଂସ୍କୃତି ଓ ସାହିତ୍ୟ ସମ୍ୱଳିତ େୱବ୍‌ସାଇଟ୍‍ର ଦାୟିତ୍ୱ ନ୍ୟସ୍ତ କରିବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ବିଶେଷଜ୍ଞ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଭଳି ପ୍ରଥମ ୱେବ୍‌ସାଇଟ୍‌ରେ ସରକାର ଯେଉଁସବୁ ତ୍ରୁଟି କରିଛନ୍ତି ତାହାକୁ ପୁନର୍ବାର ନ ଦୋହରାଇବା ସହ ଅଯଥାରେ ସରକାରୀ ଅର୍ଥ ଅପବ୍ୟବହାର ନ କରିବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର