ଓଡ଼ିଶା ଗାଡ଼ି, ପଡ଼ିଶା ତେଲ

ଜୟପୁର : ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସାଂଗକୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଦରରେ ପାର୍ଥକ୍ୟ ରହିବା ଫଳରେ ଏହାର ପ୍ରଭାବ ବିଶେଷ କରି କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲାର ଭୌଗୋଳିକ ସ୍ଥିତି ଅନୁଯାୟୀ ଗୋଟିଏ ପାର୍ଶ୍ବରେ ଛତିଶଗଡ଼ ରହିଥିବାବେଳେ ଅନ୍ୟ ପାର୍ଶ୍ବରେ ରହିଛି ଆନ୍ଧ୍ରପ୍ରଦେଶ। କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର ଜୟପୁରରୁ ପଡୋଶୀ ଛତିଶଗଡ଼ ରାଜ୍ୟର ଜଗଦଲପୁର ମାତ୍ର ୮୧ କିଲୋମିଟର ହୋଇଥିବା ବେଳେ ପଡୋଶୀ ଆନ୍ଧ୍ରପ୍ରଦେଶର ସାଲୁର ୧୦୧ କିଲୋମିଟର ଦୂର। ଏଭଳି ସ୍ଥିତିରେ ଉଭୟ ରାଜ୍ୟରେ ଡିଜେଲ ଦର କୋରାପୁଟ ଜିଲ୍ଲା ଦର ଠାରୁ କମ୍ ରହିଥିବା ଯୋଗୁଁ ଓଡିଶାର ସମସ୍ତ ଦୂରଗାମୀ ଗାଡି ଆନ୍ଧ୍ର ପ୍ରଦେଶ କିମ୍ବା ଛତିଶଗଡ଼ ମୁହାଁ ହୋଇଛନ୍ତି। ଉଭୟ ରାଜ୍ୟରେ ଡିଜେଲ ଦର କୋରାପୁଟ ଠାରୁ ତିନି ଟଙ୍କାରୁ ଆରମ୍ଭ କରି ସାଢ଼େ ତିନି ଟଙ୍କା ପର୍ଯ୍ୟନ୍ତ କମ୍ ରହିବା ଫଳରେ କୋରାପୁଟ ଜିଲ୍ଲାର ପମ୍ପ ମାଲିକ ଏବେ ଚିନ୍ତାରେ ପଡିଯାଇଛନ୍ତି। ଡିଜେଲ ଦରର ତାରତମ୍ୟ ଯୋଗୁଁ ବ୍ୟବସାୟ ବିଗତ ଦିନ ମାନଙ୍କ ଠାରୁ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଓଡ଼ିଶା ସରକାର ବି ଏହି ବାବଦରେ ରାଜସ୍ବ ହରାଉଥିବା ଜଣାଯାଇଛି।

ମାଛ, ଅଣ୍ଡା, କଦଳୀ ସମେତ ଅନ୍ୟାନ୍ୟ ସାମଗ୍ରୀ ଉପରେ ଓଡ଼ିଶା ବିଶେଷ କରି ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଥିବାବେଳେ ଏବେ ଡିଜେଲ ଦର ଯୋଗୁଁ ଗାଡି ମାଲିକ ବି ଆନ୍ଧ୍ରମୁହାଁ ହେଉଛନ୍ତି। ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ହେବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ଜନମତକୁ ଦେଖି ବିଭିନ୍ନ ରାଜ୍ୟ ବିଶେଷ କରି ବିଜେପି ଶାସିତ ରାଜ୍ୟ ସେମାନଙ୍କ ରାଜ୍ୟ ରାଜସ୍ବ (ଭାଟ୍)କୁ ହ୍ରାସ କରିଥିଲେ। କୋରାପୁଟ ଜିଲ୍ଲାର ଉଭୟ ପାର୍ଶ୍ବରେ ଥିବା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ଡିଜେଲ ଉପରେ ଭାଟ୍ ୧୮ ପ୍ରତିଶତ ରହିଥିବା ବେଳେ ଓଡିଶାରେ ଭାଟ୍ ୨୬ପ୍ରତିଶତ ରହିଛି। ଦୁଇ ଦିନ ତଳେ ମିଳିଥିବା ସୂଚନା ଅନୁଯାୟୀ କୋରପୁଟ ଜିଲ୍ଲାରେ ଡିଜେଲ ଦର ଲିଟର ପିଛା ୮୨.୪୨ ପଇସା ରହିଥିବା ବେଳେ ପେଟ୍ରୋଲ ଦର ୮୧.୭୭ ରହିଥିଲା। କିନ୍ତୁ ସେହିଦିନ ଛତିଶଗଡ଼ ଜଗଦଲପୁରରେ ଡିଜେଲ ଦର ୭୮.୯୪ ଓ ପେଟ୍ରୋଲ ଦର ୭୯.୪୧ ରହିଥିଲା। ସେଭଳି ଆନ୍ଧ୍ରପ୍ରଦେଶର ସାଲୁରରେ ଡିଜେଲ ଦର ୭୮.୭୮ ଓ ପେଟ୍ରୋଲ ଦର ୮୧.୭୭ ପଇସା ରହିଥିଲା। ଯଦି ଡିଜେଲ ଦରକୁ ହିସାବକୁ ନିଆଯାଏ ତେବେ କୋରାପୁଟ ବଜାର ଦର ଠାରୁ ଆନ୍ଧ୍ରପ୍ରଦେଶରେ ଡିଜେଲ ଦର ୩.୬୪ ପଇସା କମ୍ ରହିଥିବା ବେଳେ ଜଗଦଲପୁର ବଜାରରେ ଡିଜେଲ ଦର ୩.୪୮କମ୍ ରହିଥିଲା। ପେଟ୍ରୋଲ ଓ ଡିଜେଲର ଦର ଯେଉଁ ଦିନ ଯାହା ରହୁଛି ସେହି ଅନୁପାତରେ ଦର ବି ପରିବର୍ତ୍ତନ ରହୁଛି।

ପ୍ରତିଦିନ ଜୟପୁର ସହରରୁ ପ୍ରାୟ ୩୦ଟି ସରକାରୀ ଓ ‌ଘରୋଇ ବସ୍ ଆନ୍ଧ୍ର ପ୍ରଦେଶ ଦେଇ ଭୁବନେଶ୍ବର ଯାଉଥିବା ବେଳେ ଛତିଶଗଡ଼ ରାଜ୍ୟର ରାଇପୁରକୁ ବି ଯାତାୟତ କରୁଛି। ଜୟପୁର ସହର ଦେଇ ଜାତୀୟ ରାଜପଥ- ୩୨୬ ଛତିଶଗଡ଼ର ରାୟପୁରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଲମ୍ବିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଏହି ରାସ୍ତା ଦେଇ ଯାତାୟାତ କରୁଛି। ଓଡ଼ିଶାରେ ଡିଜେଲ ଦର ବୃଦ୍ଧି ଯୋଗୁଁ ଅଧିକାଂଶ ଗାଡି ଉଭୟ ରାଜ୍ୟରେ ତେଳ ପକାଇବାକୁ ମଙ୍ଗୁଛନ୍ତି। କେବଳ ସେତିକି ନୁହଁ କିଛି ଗାଡି ମାଲିକ ଉଭୟ ରାଜ୍ୟର ସୀମା ଛୁଇଁବା ପର୍ଯ୍ୟନ୍ତ ଆବଶ୍ୟକ ତେଳ ଜୟପୁରରେ ପକାଇ ବଳକା ତେଳ ସେଠାରେ ପକାଉଛନ୍ତି। ସେଭଳି ଓଡ଼ିଶାର ସ୍ଥିତିକୁ ଅନୁଧ୍ୟାନ କରାଗଲେ କୋରାପୁଟ ଜିଲ୍ଲାରେ ଡିଜେଲ ଦର ଅନ୍ୟ ବଜାର ଠାରୁ ଅଧିକା। ଭୁବନେଶ୍ବରରେ ଡିଜେଲ ଦର ୭୯.୨୨ ପଇସା ଓ ପେଟ୍ରୋଲ ଦର ୭୮.୬୦ ରହିଥିବା ବେଳେ କୋରାପୁଟ ଜିଲ୍ଲାରେ ଡିଜେଲ ଦର ୮୨.୪୨ ଓ ପେଟ୍ରୋଲ ଦର ୮୧.୭୭ ପଇସା । ଅର୍ଥାତ୍ ଡିଜେଲରେ ଲିଟର ପିଛା ୩.୨୦ ପଇସା ଏବଂ ପେଟ୍ରୋଲରେ ୩.୧୭ ପଇସା ଅଧିକ। ଏହାର ଏକମାତ୍ର କାରଣ ଡିଜେଲ ଓ ପେଟ୍ରୋଲ ଜଟଣୀ ଡିପୋରୁ ଆସୁଥିବା ଯୋଗୁଁ ପରିବହନ ଖର୍ଚ୍ଚ ବାବଦରେ ଏହି ଦର ଗ୍ରାହକଙ୍କୁ ଭରିବାକୁ ପଡୁଛି। ସଂପ୍ରତି ଜଟଣୀ ପରିବର୍ତ୍ତେ ଝାରସଗୁଡାରୁ ଆସୁଥିବା ଯୋଗୁଁ ଗ୍ରାହକଙ୍କ ସେହି ଏକା ଦରରେ ତେଳ କିଣିବାକୁ ପଡୁଛି। ତେଳ କଂପାନି କର୍ତ୍ତୃପକ୍ଷ ଜଟଣୀ ଓ ଝାରସଗୁଡ଼ା ପରିବର୍ତ୍ତେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ତେଳ ପଠାଇଲେ ଦୂରତା କମିବ ଏବଂ ପରିବହନ ଖର୍ଚ୍ଚ ଅପେକ୍ଷାକୃତ କମ୍ ରହିବ ବୋଲି ପମ୍ପ ମାଲିକ ମାନେ ପ୍ରକାଶ କରିଛନ୍ତି। ଏଭଳି ଦରବୃଦ୍ଧିର ପ୍ରଭାବ କେବଳ ଯେ ଗ୍ରାହକଙ୍କ ଉପରେ ପଡିନାହିଁ ବରଂ ରାଜ୍ୟ ସରକାର ବି ଏହି ବାବଦରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି।

ସମ୍ବନ୍ଧିତ ଖବର