ଲଟେରି ନିର୍ଣ୍ଣୟ କରିବ ନେତାଙ୍କ ଭାଗ୍ୟ

ପୁରାତନ ବିଧାନ ସୌଧରେ ହେବ ବିଧାନ ପରିଷଦ, ସଂକଳ୍ପ ପ୍ରସ୍ତୁତ, ଆସନ୍ତା ଅଧିବେଶନରେ ଆଗତ ହେବ, ବିଧାୟକଙ୍କ ଭଳି ସଦସ୍ୟ ସବୁ ସୁବିଧା ପାଇବେ

ଭୁବନେଶ୍ୱର : ଲଟେରି ବାଛିବ ନେତାଙ୍କ ଭବିଷ୍ୟତ। କେଉଁ ସଦସ୍ୟଙ୍କ କାର୍ଯ୍ୟକାଳ ପ୍ରଥମ ୨ ବର୍ଷ ପାଇଁ ରହିବ, କେଉଁମାନେ ପ୍ରଥମ ୪ବର୍ଷ ଦାୟିତ୍ୱ ତୁଲାଇବେ ଓ ଆଉ କିଏ ସମ୍ପୂର୍ଣ୍ଣ ୬ବର୍ଷ କାର୍ଯ୍ୟ କରିବେ, ତାହା ଲଟେରି ମାଧ୍ୟମରେ ହିଁ ନିର୍ଣ୍ଣୟ ହେବ।

ଏମିତି କିଛି ପ୍ରସ୍ତାବ ରଖି ଓଡ଼ିଶା ବିଧାନ ପରିଷଦର ଗଠନ ନକ୍ସାକୁ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଯାଉଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏ ସଂକ୍ରାନ୍ତ ଫାଇଲ ଏବେ ଆଇନ ବିଭାଗ ତର୍ଜମା କରୁଛନ୍ତି। ପରେ ଅର୍ଥ ବିଭାଗର ଅନୁମୋଦନ ନିଆଯିବ। ଆସନ୍ତା ବିଧାନସଭାରେ ଏ ସଂକ୍ରାନ୍ତ ସଂକଳ୍ପ ଆଗତ ହେବ। ଉଲ୍ଲେଖଯୋଗ୍ୟ, ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଧାନ ପରିଷଦ ଗଠନ ଲାଗି ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶା ବିଧାନ ପରିଷଦର ଗଠନ ପ୍ରକ୍ରିୟା ଜାରି ରହିଛି। ଏ ସଂକ୍ରାନ୍ତ ସଂକଳ୍ପକୁ ଗୃହ ପାରିତ କରିବା ପରେ ରାଜ୍ୟ ସରକାର ସଂକଳ୍ପଟିକୁ କେନ୍ଦ୍ରକୁ ପଠାଇବେ। ସମ୍ବିଧାନ ସଂଶୋଧନ ପାଇଁ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ବିଲ୍‌ ଆଣିବେ।

ଉଭୟ ଲୋକସଭା ଓ ରାଜ୍ୟସଭା ମୋହର ଲଗାଇବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ନିଆଯିବ। ଏହା ପରେ ଯାଇ ବିଧାନ ପରିଷଦ ଗଠନ ଲାଗି ନିର୍ବାଚନ କମିସନ ପ୍ରକ୍ରିୟା ଆରମ୍ଭ କରିବେ।

ସରକାର ନିଷ୍ପତ୍ତି ନେଇଛନ୍ତି, ଓଡ଼ିଶା ବିଧାନ ପରିଷଦର ନୂଆ ପ୍ରକୋଷ୍ଠ ନିର୍ମାଣ ହେଲା ପର୍ଯ୍ୟନ୍ତ ଭୁବନେଶ୍ୱର ଜୟଦେବ ଭବନ ପଛପାଖରେ ଥିବା ପୁରାତନ ବିଧାନ ସୌଧ ପରିସରରେ ଏହା କାର୍ଯ୍ୟ କରିବ। ପରେ ସରକାର ବର୍ତମାନ ବିଧାନ ସୌଧ ଭଳି ଏକ ଆକର୍ଷଣୀୟ ପରିଷଦ ସୌଧ ନିର୍ମାଣ କରିବେ। ବିଧାନ ପରିଷଦ ପାଇଁ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି।

ନିୟମ ଅନୁଯାୟୀ, ବିଧାନସଭା ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶ ଆସନ ବିଧାନ ପରିଷଦରେ ରହିବ। ଏଣୁ ପ୍ରସ୍ତାବିତ ଓଡ଼ିଶା ବିଧାନ ପରିଷଦର ସଦସ୍ୟ ସଂଖ୍ୟା ୪୯ରେ ସୀମିତ ରହିବ। ପରୋକ୍ଷ ନିର୍ବାଚନ ଓ ମନୋନୟନ ପଦ୍ଧତିରେ ଏହି ଆସନଗୁଡ଼ିକ ପୂରଣ ହେବ। ପରିଷଦ ଏକ ସ୍ଥାୟୀ ବ୍ୟବସ୍ଥାପକ ସଭା ଓ ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରିବାର ବ୍ୟବସ୍ଥା ରହିଛି।

୪୯ ଜଣ ସଦସ୍ୟଙ୍କ ମଧ୍ୟରୁ ୯ଜଣଙ୍କୁ ରାଜ୍ୟପାଳ ମନୋନୀତ କରିବେ। ସମାଜର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରୁ ଏହି ସଦସ୍ୟଙ୍କୁ ବଛାଯିବ। ୪ ଜଣ ସଦସ୍ୟଙ୍କୁ ଶିକ୍ଷକ ସଂଗଠନ ଓ ଆଉ ୪ ଜଣଙ୍କୁ ରାଜ୍ୟର ଗ୍ରାଜୁଏଟ୍‌ସ ବାଛିବେ। ସମୁଦାୟ ରାଜ୍ୟକୁ ୪ଟି ନିର୍ବାଚନମଣ୍ଡଳୀରେ ଭାଗ ବାଣ୍ଟି ନିର୍ବାଚନ କମିସନ ଏହି ନିର୍ବାଚନ କରାଇବେ।୧୬ ଜଣ ସଦସ୍ୟଙ୍କୁ ବିଧାୟକମାନେ ନିର୍ବାଚିତ କରିବେ। ଏବଂ ବଳକା ୧୬ ଜଣଙ୍କୁ ପଞ୍ଚାୟତ ଓ ପୌରସଂସ୍ଥାମାନେ ଚୟନ କରିବେ। ଏ କ୍ଷେତ୍ରରେ ମଧ୍ୟ ଅନୁରୂପ ନିୟମ ଅନୁସୃତ ହେବ।

କୌତୂହଳର କଥା ହେଉଛି, ପ୍ରଥମ ଦୁଇ ବର୍ଷରେ କେଉଁ ସଦସ୍ୟମାନଙ୍କ କାର୍ଯ୍ୟକାଳ ସରିବ, ତାକୁ ଲଟେରି ଭିତ୍ତିରେ ଚୟନ କରାଯିବ। ସେହିଭଳି ଯେଉଁ ସଦସ୍ୟମାନଙ୍କ କାର୍ଯ୍ୟକାଳ ଚାରି ବର୍ଷ ରହିବ, ତାହା ମଧ୍ୟ ଲଟେରି ଦ୍ୱାରା ନିର୍ଣ୍ଣୟ ହେବ। ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଦସ୍ୟ ଅବସର ନେବା ସଂକ୍ରାନ୍ତରେ ଯେଉଁ ବ୍ୟବସ୍ଥାଟି ରହିଛି, ଏହାଦ୍ୱାରା ତାହାର ଅନୁପାଳନ ହୋଇପାରିବ। ଏହା ପରେ କିନ୍ତୁ ଆଉ ଲଟେରି କରାଯିବ ନାହିଁ।

ଅନ୍ୟପକ୍ଷରେ ବିଧାନସଭାର ବିଧାୟକମାନେ ପାଉଥିବା ଦରମା, ଭତ୍ତା ଓ ଅନ୍ୟାନ୍ୟ ସମସ୍ତ ସୁବିଧା ବିଧାନ ପରିଷଦର ସଦସ୍ୟଙ୍କୁ ମିଳିବ। ତେବେ ବିଧାୟକମାନେ ଯେଭଳି ନିଜ ନିର୍ବାଚନମଣ୍ଡଳୀରେ ଅର୍ଥ ଖର୍ଚ୍ଚ କରୁଛନ୍ତି, ପରିଷଦର ସଦସ୍ୟଙ୍କ କ୍ଷେତ୍ରରେ ସେଭଳି ସୁଯୋଗ ନ ଥିବାରୁ ସେମାନେ ପାଣ୍ଠି ଓଡ଼ିଶାର ଯେ ସମସ୍ତ ନିର୍ବାଚନମଣ୍ଡଳୀରେ ବିନିଯୋଗ କରିପାରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରକାର ଚାହିଁଲେ ବିଧାନସଭା ଭଳି ବିଧାନ ପରିଷଦରେ ମଧ୍ୟ ଯେକୌଣସି ଚିଠା ବିଲ୍‌ ଆଗତ କରିପାରିବେ। ହେଲେ ଅର୍ଥ ସଂକ୍ରାନ୍ତ ବିଲ୍‌ କେବଳ ବିଧାନସଭାରେ ହିଁ ଆଗତ ହେବ। ଏ କ୍ଷେତ୍ରରେ ବିଧାନସଭା ପରିଷଦର କ୍ଷମତାକୁ କିଛି ପରିମାଣରେ ସଙ୍କୁଚିତ କରାଯାଇଛି। ବିଧାନସଭା ଅର୍ଥ ବିଲ୍‌ ଅନୁମୋଦନ କରିବା ପରେ ବିଧାନ ପରିଷଦ ସର୍ବାଧିକ ୧୫ ଦିନ ମଧ୍ୟରେ ଏହାକୁ ମୋହର ମାରି ଫେରାଇବାକୁ ବାଧ୍ୟ। କିନ୍ତୁ ଅନ୍ୟ ବିଲ୍‌ କ୍ଷେତ୍ରରେ ସଦସ୍ୟମାନଙ୍କର ଆପତ୍ତି କରିବାର କ୍ଷମତା ରହିଛି। ସେହିପରି ବିଧାନ ପରିଷଦରେ ଯେଉଁ ବିଲ୍‌ ପ୍ରଥମେ ଆଗତ ହେବ, ତାହା ପରବର୍ତୀ ସମୟରେ ବିଧାନସଭାକୁ ଆସି ପାରିତ ହେବାର ବ୍ୟବସ୍ଥା ରହିଛି।

ବିଧାନସଭାରେ ଯେଭଳି ବାଚସ୍ପତି ଓ ଉପବାଚସ୍ପତି ପଦ ରହିଛି, ଠିକ୍‌ ସେମିତି ବିଧାନ ପରିଷଦରେ ମଧ୍ୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବି ରହିବ। ସରକାର ଚାହିଁଲେ, ବିଧାନ ପରିଷଦର ସଭ୍ୟଙ୍କୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେଇପାରନ୍ତି। ତେବେ ମୋଟ ମନ୍ତ୍ରୀ ସଂଖ୍ୟା ବଢିପାରିବ ନାହିଁ। ସେହିଭଳି ବିଧାନ ପରିଷଦ ସଦସ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବେ।

ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା ରଖାଯାଇଛି। ବର୍ତ୍ତମାନ ୭ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ବିହାର, ଜାମ୍ମୁ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ବିଧାନ ପରିଷଦ ରହିଛି। ଓଡ଼ିଶା ଭଳି ଆସାମରେ ମଧ୍ୟ ବିଧାନ ପରିଷଦ ଗଠନ ପାଇଁ ପ୍ରକ୍ରିୟା ଚାଲିଛି।

ବିଧାନ ପରିଷଦର ସ୍ୱରୂପ କିଭଳି ହେବ, ସେ ସଂକ୍ରାନ୍ତରେ ଏକାଧିକ ରାଜ୍ୟ ବୁଲିବା ପରେ ସରକାର ଗଠନ କରିଥିବା ଡାକ୍ତର ନୃସିଂହ ସାହୁ କମିଟି ତାଙ୍କ ରିପୋର୍ଟ ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ଲାଗି କମିଟି ସୁପାରିସ କରିଥିଲା।

ସମ୍ବନ୍ଧିତ ଖବର