ସୀମାନ୍ତ ଗ୍ରାମରେ ମରି ମରି ଯାଉଛି ମାତୃଭାଷା : ଗାଁ ଓଡ଼ିଶା, ଭାଷା ତେଲୁଗୁ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସୀମାନ୍ତ ଗ୍ରାମଗୁଡ଼ିକରେ ମାତୃଭାଷା ଓଡ଼ିଆ କ୍ରମଶଃ ମରି ମରି ଯାଉଛି। ଜିଲ୍ଲାର ଗୋଟିଏ ପାର୍ଶ୍ବରେ ଆନ୍ଧ୍ର ସୀମା ଲାଗି ରହିଥିବା ବେଳେ ଅନ୍ୟ ପଟେ ଛତିଶଗଡ଼ ସୀମା ଲାଗି ରହିଛି। ଓଡ଼ିଶା ତଥା ମାଲକାନଗିରି ଜିଲ୍ଲା ସୀମାନ୍ତ ଗ୍ରାମଗୁଡ଼ିକର ଚିତ୍ର ଦେଖିଲେ ଓଡ଼ିଆ ଅପେକ୍ଷା ପଡ଼ୋଶୀ ରାଜ୍ୟର ଭାଷା ବହୁଳ ଭାବେ ବ୍ୟବହାର ହେଉଥିବା ଦେଖାଯାଉଛି। ଓଡ଼ିଶାରେ ରହି ବି ଏହିସବୁ ଗାଁର ଲୋକେ ନିଜ ମାତୃଭାଷା ଓଡ଼ିଆ ଜାଣିପାରୁନାହାନ୍ତି।

ଉଦ୍‌ବେଗର ବିଷୟ ହେଲା, ଏହିସବୁ ଗ୍ରାମର ବିଦ୍ୟାଳୟରେ ପଢୁଥିବା ପିଲାମାନେ ଓଡ଼ିଆ ବଦଳରେ ତେଲୁଗୁ ଏବଂ ଛତିଶଗଡ଼ି ଭାଷା କହୁଥିବା ଦେଖିବାକୁ ମିଳିଛି। ଏଭଳି ଅବସ୍ଥା ଜାରି ରହିଲେ ଆଗାମୀ କିଛି ଦିନ ମଧ୍ୟରେ ଏଠାରେ ଓଡ଼ିଆର ଚିହ୍ନବର୍ଣ୍ଣ ରହିବ ନାହିଁ। ଓଡ଼ିଶାରେ ରହିଥିବା ଏହି ଗ୍ରାମଗୁଡ଼ିକରେ ପଡ଼ୋଶୀ ରାଜ୍ୟର ପ୍ରଭାବ ଅଧିକ ରହୁଥିବାବେଳେ ସେମାନେ ଓଡ଼ିଶା ସରକାରଙ୍କ ଅବହେଳାର ଶିକାର ମଧ୍ୟ ହେଉଛନ୍ତି। ଉଦାହରଣ ସ୍ବରୂପ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଲଗେଡା ପଞ୍ଚାୟତର ନେରଡୁପାଲ୍ଲୀ ଗାଁ। ଏହି ଗ୍ରାମଟି ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଛି। ଗ୍ରାମରେ ମୋଟ ୫୦ଟି ପରିବାର ବସବାସ କରନ୍ତି। ଗାଁଟି ଓଡ଼ିଶାରେ ରହିଥିଲେ ମଧ୍ୟ ଲୋକେ ତେଲୁଗୁ ଭାଷାରେ କଥାବାର୍ତ୍ତା କରନ୍ତି। ଏମିତିକି ଏହି ବିଦ୍ୟାଳୟରେ ପଢୁଥିବା ପିଲାମାନେ ମଧ୍ୟ ଓଡ଼ିଆ ବଦଳରେ ତେଲୁଗୁରେ କଥାବାର୍ତ୍ତା କରନ୍ତି। ଗ୍ରାମଟି ରାଲଗେଡା ପଞ୍ଚାୟତ ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଥିବା ବେଳେ ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ। ଗ୍ରାମରେ ରହିଛି ଓଡିଶା ସରକାରଙ୍କ ତରଫରୁ ଏକ ପ୍ରାଥମିକ ବିଦ୍ୟାଳୟ। ତେବେ ଏହି ସ୍କୁଲରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ବୃନ୍ଦାବତୀ ଗାଦବା ନିଯୁକ୍ତି ପାଇଥିଲେ। ସେ ଏବେ ଡେପୁଟେସନରେ ଚାଲିଯାଇଥିବା ଜଣାପଡିଛି। ନେରଡୁପାଲ୍ଲୀ ଗ୍ରାମଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ଆନ୍ଧ୍ରପ୍ରଦେଶର କୋରକୋଣ୍ଡା ଗ୍ରାମ। ଏହି ଗ୍ରାମକୁ ହାଟ ବଜାର କରିବାକୁ ଲୋକେ ପ୍ରତିଦିନ ଯିବା ଆସିବା କରନ୍ତି। ସୀମାନ୍ତ ଆନ୍ଧ୍ରର ପ୍ରଭାବ ଯୋଗୁଁ ଏଠାକାର ଲୋକଙ୍କ ଚାଲିଚଳଣି ଏବଂ ପରଂପରା ସବୁ ଆନ୍ଧ୍ର ଲୋକଙ୍କ ଭଳି। ଏହି ଗ୍ରାମକୁ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ କିମ୍ବା ପ୍ରଶାସନ ତରଫରୁ କୌଣସି ଅଧିକାରୀ ଗଲେ ସେମାନଙ୍କୁ ତେଲୁଗୁ ଭାଷାରେ କଥା ହେବାକୁ ପଡୁଛି। ଫଳରେ ସେମାନେ ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ଲୋକେ ଓଡ଼ିଆ ଜାଣିଥିଲେ ମଧ୍ୟ ସେମାନେ ତେଲୁଗୁ ଭାଷାରେ କଥା ହେବାକୁ ଭଲ ପାଆନ୍ତି। ପ୍ରଶାସନର କୌଣସି ଅଧିକାରୀ ଗ୍ରାମକୁ ଗଲେ ସାଂଗରେ ଜଣେ ତେଲୁଗୁ ଜାଣିଥିବା ଲୋକଙ୍କୁ ସାଙ୍ଗରେ ଧରି ଯାଇଥାନ୍ତି । ଓଡ଼ିଆ ଭାଷାରେ ଶିକ୍ଷାଦାନ କରାଯାଉଥିଲେ ହେଁ ପିଲା ସେମାନଙ୍କ ମଧ୍ୟରେ ତେଲୁଗୁ ଭାଷାରେ ହିଁ କଥା ହେଉଥିବା ଜଣେ ଶିକ୍ଷକ ପ୍ରକାଶ କରିଛନ୍ତି । ଓଡ଼ିଆ ଶିଖିବାକୁ ଆଗ୍ରହ ମଧ୍ୟ ଦେଖାଉ ନାହାନ୍ତି ।

ଅନ୍ୟପକ୍ଷରେ ନେରଡୁପାଲ୍ଲୀ ଗ୍ରାମ ନିକଟରେ ଏକ ନଦୀ ପ୍ରବାହିତ ହେଉଛି। ଏହି ନଦୀ ଆନ୍ଧ୍ର ଓ ଓଡ଼ିଶାକୁ ଦୁଇଭାଗ କରିଛି। ସ୍କୁଲର ଶିକ୍ଷକ ଆନ୍ଧ୍ର ପ୍ରଦେଶ ଦେଇ ନେରଡୁପାଲ୍ଲୀ ଗ୍ରାମକୁ ଯାଉଥିବା ପ୍ରକାଶ କରିଛନ୍ତି । ନଦୀ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା କହିଛନ୍ତି । ଜିଲ୍ଲାର ସୀମାନ୍ତରେ ଗ୍ରାମଟି ରହିଥିବା ଯୋଗୁଁ ପ୍ରଶାସନ ବି ଏଠାରେ ପହଞ୍ଚି ପାରୁନାହିଁ । ଏହାର ଫାଇଦା ଆନ୍ଧ୍ର ସରକାର ଉଠାଉଛନ୍ତି। ଗ୍ରାମର ଲୋକଙ୍କୁ ସ୍ବାସ୍ଥ୍ୟ ସେବାଠାରୁ ଆରମ୍ଭ କରି ସବୁ ପ୍ରକାର ସୁବିଧା ଆନ୍ଧ୍ର ଯୋଗାଉଥିବା ଜଣାପଡିଛି। ଲୋକେ ଓଡ଼ିଶା ଭିତରେ ରହି ଆନ୍ଧ୍ର ଉପରେ ନିର୍ଭର କରିଥାନ୍ତି। କେବଳ ଭାଷା ଓ ଦୈନନ୍ଦିନ କାମ ନୁହେଁ; ବରଂ ଏହି ଗ୍ରାମବାସୀ ଆନ୍ଧ୍ର ଲୋକଙ୍କ ସହ ବୈବାହିକ ସଂପର୍କ ବି ସ୍ଥାପନ କରୁଛନ୍ତି । ସେହିପରି ଛତିଶଗଡ଼ ସୀମାକୁ ଲାଗି ରହିଥିବା ଗ୍ରାମଗୁଡିକର ଅବସ୍ଥା ବି ସମାନ। ସୀମାନ୍ତ ଗାଁ ଗୁଡ଼ିକରେ ଲୋକେ ଓଡ଼ିଆ ବଦଳରେ ଛତିଶଗଡ଼ି ଭାଷା କହିବାକୁ ପସନ୍ଦ କରୁଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଓଡିଆ ବଦଳରେ ଛତିଶଗଡ଼ି ଭାଷାରେ କଥାବାର୍ତ୍ତା ହେଉଛନ୍ତି ।

ରାସ୍ତାଘାଟ ଠିକ୍‌ ନଥିବା ଯୋଗୁଁ ଏହିସବୁ ଗାଁର ଲୋକେ ନିଜର ପଞ୍ଚାୟତ କିମ୍ବା ବ୍ଲକ୍‌ ସଦର ମହକୁମାକୁ ଯାଇ ପାରିନଥାନ୍ତି । ଆନ୍ଧ୍ର ବା ଛତିଶଗଡ଼ ଉପରେ ଅଧିକ ନିର୍ଭର କରନ୍ତି। ଫଳରେ ସୀମାନ୍ତ ଗ୍ରାମଗୁଡିକରେ ଧୀରେ ଧୀରେ ଓଡ଼ିଆ ଭାଷା ମରି ଯାଉଛି। ତେଣୁ ବେଳ ଥାଉ ଥାଉ ରାଜ୍ୟ ସରକାର ଉକ୍ତ ଗ୍ରାମଗୁଡିକ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର

Comments are closed.