୨୧ ଯାଏ ତାତି : ୧୮ ତାରିଖ ଯାଏ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ସାରା ଓଡ଼ିଶାରେ ବଢ଼ିଛି ତାତି। ଉପକୂଳରୁ ଆଭ୍ୟନ୍ତରୀଣ ହେଉ କି ଉତ୍ତରରୁ ଦକ୍ଷିଣ ଓଡ଼ିଶା। ସବୁଠି ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଟିଟିଲାଗଡ଼ ତାପମାତ୍ରା ପୁଣିଥରେ ୪୦ ଡିଗ୍ରିରେ ପହଞ୍ଚିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହର ତାପମାତ୍ରା ୩୭ ଡିଗ୍ରି ପାର୍‌ ହୋଇଛି। ଉପକୂଳରେ ବି ନିସ୍ତାର ନାହିଁ। କଟକର ତାପମାତ୍ରା ୩୮ ଡିଗ୍ରି ଡେଇଁଥିବା ବେଳେ ଭୁବନେଶ୍ୱରର ତାତି ୩୭ ଡିଗ୍ରି ଟପିଯାଇଛି।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାତି କମିବାର ସମ୍ଭାବନା ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆହୁରି କୁହାଯାଇଛି ଯେ ୧୮ ତାରିଖ ଯାଏ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। କିନ୍ତୁ ତାପମାତ୍ରା ଉପରେ କୌଣସି ପ୍ରଭାବ ପଡ଼ିବନି। ଦିନର ତାପମାତ୍ରା ବଢ଼ିବ। କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଛୁଇଁବାର ବି ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର