ଦିନକ ପରେ ତାତି କମିବ : ୪୦ଂ ତଳକୁ ଖସିଲା ଭୁବନେଶ୍ୱର, ୮ ସହରର ତାପମାତ୍ରା ୪୦ଂ ଉପରେ
ଭୁବନେଶ୍ୱର : ୪ ଦିନ ଧରି ତତଲା ସହର ପାଲଟିଥିବା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଆଜି ଟିକିଏ କମିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ୩୯.୬ ଡିଗ୍ରି ରହିଥିଲା। ଏଥିସହ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ବାରିପଦାରେ ୪୦.୪ ଓ ଚାନ୍ଦବାଲିରେ ୪୦.୨ ଡିଗ୍ରି ତାତି ରେକର୍ଡ ହୋଇଛି। ସେହିପରି କଟକ, ପାରାଦ୍ୱୀପ, ବାଲେଶ୍ୱରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି। ତାତି କମିଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ ଆଜି ବି ଜନଜୀବନ ପ୍ରଭାବିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କିନ୍ତୁ ତାତି କମିବାର ନାଁ ଧରୁନି। ଆଜି ବି ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିଲା। ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୯ ଡିଗ୍ର୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୧ ଡିଗ୍ରି ରହିଥିଲା। ଏହାବ୍ୟତୀତ ଟିଟିଲାଗଡ଼ରେ ୪୧, ଢ଼େଙ୍କାନାଳରେ ୪୦.୨, ସମ୍ବଲପୁରରେ ୪୦.୧, ବଲାଙ୍ଗୀର ଓ ସୋନପୁରରେ ୪୦ ଡିଗ୍ରି ଲେଖାଏ ରେକର୍ଡ କରାଯାଇଛି। ୪ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଥିଲା।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆଉ ୨୪ ଘଣ୍ଟା ଯାଏ ତାତି ଜାରି ରହିବ। ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ, ଖୋର୍ଧା, ଜଗତ୍ସିଂହପୁର, ଢ଼େଙ୍କାନାଳ, ନୟାଗଡ଼, ବଲାଙ୍ଗୀର, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ ପାଇଁ ଅଂଶୁଘାତ ସତର୍କ ସୂଚନା ଜାରି ହୋଇଛି। ୨୨ ତାରିଖଠାରୁ ପାଗରେ ପରିବର୍ତନ ଆସିବ। ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରେ ଉତ୍ତର ଓଡ଼ିଶାରେ ପବନ ସହ ପ୍ରବଳ ବର୍ଷା ହୋଇପାରେ।
ପାଣିପାଗ ବିିଜ୍ଞାନୀଙ୍କ ମତରେ ୨୨ ତାରିଖଠାରୁ ଉପକୂଳବର୍ତୀ ଅଞ୍ଚଳରେ ତାପମାତ୍ରା କମିବ। ୪୦ ତଳକୁ ଖସିବ। କିନ୍ତୁ ଗୁଳୁଗୁଳି ରହିବ। ୨୬ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ସ୍ଥିତିକୁ ଫେରିବ। ଏବେ ୩ରୁ ୪ ଡିଗ୍ରି ଅଧିକ ରହିଛି। ୨୪ରେ ଅଧିକାଂଶ ସ୍ଥାନରେ ବର୍ଷା ହେବ। ପଶ୍ଚିମ ସୀମାନ୍ତ ଅଞ୍ଚଳ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ଉପକୂଳ ଅପେକ୍ଷା ଅଧିକ ବର୍ଷର୍ା ହୋଇପାରେ।