୪୮ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ : ୨୭ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

ସବୁଠି ତାପମାତ୍ରା ୩୭ ଡିଗ୍ରି ତଳକୁ ଖସିଲା

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟାରେ ପୁଣିଥରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦୁଇ ସପ୍ତାହ ହେଲା ସାରା ଦେଶରୁ ନିରୁଦ୍ଦିଷ୍ଟ ହୋଇଥିବା ମୌସୁମୀ ୨ରୁ ୩ ଦିନ ମଧ୍ୟରେ ଅଧିକ ସକ୍ରିୟ ହେବ। ପ୍ରଭାବରେ ଓଡ଼ିଶା ସମେତ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ବିହାର, ଆସାମ ଓ ପଶ୍ଚିମବଙ୍ଗର କିଛି ଅଂଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପୂର୍ବାନୁମାନ କରାଯାଇଛି ଯେ, ମୌସୁମୀ ସକ୍ରିୟ ହେଉଛି। ଏଥିସହ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତାହା ଏବେ ବି ସ୍ଥିର ରହିଛି। ଫଳରେ ଆସନ୍ତାକାଲିଠାରୁ ହିଁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ୨୭ ତାରିଖ ଯାଏ ପ୍ରବଳ ବର୍ଷା ଲାଗିରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଓ ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ୨୪ ତାରିଖରେ ସମ୍ବଲପୁର, କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୨୫ ତାରିଖ ବେଳକୁ ମୌସୁମୀ ପ୍ରଭାବରେ ସମ୍ପୂର୍ଣ୍ଣ ଓଡ଼ିଶାରେ ବର୍ଷା ଲାଗିରହିବ। କେତେକ ସ୍ଥାନରେ ୬୦ ମିମିରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ୮ରୁ ୧୦ ଦିନ ହେଲା ଟାଇଁ ଟାଇଁ ଖରାରେ କଲବଲ ହେଉଥିବା ଓଡ଼ିଶାବାସୀଙ୍କୁ ଆଜି ଆଶ୍ୱସ୍ତି ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବା ଫଳରେ ଆଜି ସବୁଠି ତାପମାତ୍ରା ୩୭ ଡିଗ୍ରି ତଳକୁ ଖସିଆସିଛି। ଦୁଇ ଦିନ ତଳେ ୪୨ ଡିଗ୍ରିରେ ସିଝୁଥିବା ଭୁବନେଶ୍ୱରର ତାପମାତ୍ରା ଆଜି ୩୩ ଡିଗ୍ରିକୁ ହ୍ରାସ ପାଇଯାଇଛି। ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରି ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରେ ସର୍ବାଧିକ ୧୧୨.୪ ମିମି ବର୍ଷା ହୋଇଥିବା ବେଳେ ପୁରୀରେ ୫୭.୪, ବାଲେଶ୍ୱରରେ ୪୬.୬, ଭୁବନେଶ୍ୱରରେ ୪୩.୬, ସମ୍ବଲପୁରରେ ୪୩.୨, ଭବାନୀପାଟଣାରେ ୩୬, ମାଲକାନଗିରିରେ ୩୪ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର