ଘୂର୍ଣ୍ଣିବଳୟ ଦୁର୍ବଳ, ବର୍ଷା ଗାଏବ୍‌

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ଦୁର୍ବଳ ହେବା ପରେ ଓଡ଼ିଶାରୁ ଗାଏବ୍‌ ହୋଇଛି ବର୍ଷା। ଜୁଲାଇ ୫ ଓ ୬ ତାରିଖଠାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଯେଉଁ ଆକଳନ କରିଥିଲା ତାହା ସମ୍ଭାବନା କ୍ଷୀଣ। କାଁ ଭାଁ ସ୍ଥାନରେ ବର୍ଷା ହେବ। ହେଲେ ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ପାଗ କୋହଲା ରହିବ। ପ୍ରବଳ ବର୍ଷା ହେବନି।

ଦକ୍ଷିଣ ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ବି ଦେଖା ନାହିଁ। ଏବେ ବଙ୍ଗୋପସାଗରରେ ବି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ନାହିଁ। ଅଭ୍ୟନ୍ତରୀଣ ଓଡ଼ିଶାରେ ଯଦିଓ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ତାହା ବର୍ଷା କରାଇବାରେ ସକ୍ଷମ ନୁହେଁ। ଏହି ସମୟରେ ଛତିଶଗଡ଼ରେ କିନ୍ତୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୮ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ସମେତ ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ୯ ଓ ୧୦ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଅନ୍ୟପକ୍ଷରେ ଗତ ୧୨ ଘଣ୍ଟା ମଧ୍ୟରେ ବାଲେଶ୍ୱର ଓ ପରାଦୀପରେ ୪ ମିମି, ଚାନ୍ଦବାଲିରେ ୩ ମିମି ବର୍ଷା ହୋଇଛି। ବାକି ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିଛି। ପାଗ କୋହଲା ରହିଥିଲେ ମଧ୍ୟ ବର୍ଷା ହୋଇ ନାହିଁ। ତାପମାତ୍ରା ବି ସେଭଳି ହ୍ରାସ ପାଇନି। ଦକ୍ଷିଣ ଓଡ଼ିଶାକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୩୦ ଡିଗ୍ର୍ରି ଉପରେ ରହିଥିଲା ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର