୧୧ରେ ଘୂର୍ଣ୍ଣିବଳୟ : ରଥଯାତ୍ରାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଆସନ୍ତା ୧୧ତାରିଖରେ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହର ପରଦିନ ଅର୍ଥାତ୍‌ ୧୨ ତାରିଖରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଫଳରେ ରଥଯାତ୍ରା ସମୟରେ ଭୁବନେଶ୍ୱର, ପୁରୀ ସମେତ କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ମାତ୍ର ଏହିଦିନ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କମ୍‌ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳଙ୍କ କହିବାନୁଯାୟୀ, ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଦକ୍ଷିଣ-ପୂର୍ବ ଆଡ଼କୁ ଗତି କରିବ। ୧୩ ତାରିଖ ଦିନ ଏହାର କେନ୍ଦ୍ର ଓଡ଼ିଶା ଓ ପଶ୍ଚିମବଙ୍ଗ ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ରହିବ। ଏହି ଘୂର୍ଣ୍ଣିବଳୟ ବାଂଲାଦେଶ, ମିଆଁମାର ସମେତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକକୁ କବଳିତ କରିବ। ଏହାର ପ୍ରଭାବରେ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ମାତ୍ର ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ କମ୍‌ ବର୍ଷ ହୋଇପାରେ। ୧୩ ତାରିଖ ଆଡ଼କୁ ଘୂର୍ଣ୍ଣିବଳୟର ପ୍ରକୋପ କ୍ରମଶଃ ବଢ଼ିବା ସହିତ ୧୪ ତାରିଖ ବେଳକୁ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ବର୍ଷା ହେବ। ଯାହାକି ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ତେବେ ୧୫ ତାରିଖ ପରେ ଲଘୁଚାପର ଗତି ଓ ଦିଗ ଉପରେ ବର୍ଷା ନିର୍ଭର କରିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ଆକଳନ କରିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ। ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ରାୟଗଡ଼ା, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର