ପଶ୍ଚିମରେ ବର୍ଷା, ଉପକୂଳରେ କୁହୁଡ଼ି : ୧୮ ପରେ ବଢ଼ିବ ତାପମାତ୍ରା

ଭୁବନେଶ୍ବର : ରବିବାର ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷା ଓ କୁହୁଡ଼ିର ପ୍ରଭାବ ଲାଗି ରହିବ। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ଆଉ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଲାଗି ରହିବ। ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ। ତେଣୁ ଦୁର୍ଘଟଣା ବଢ଼ିବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇଦିନ ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ବର୍ଷା ଓ କୁହୁଡ଼ି ପ୍ରଭାବ ରହୁଥିବାରୁ ତାପମାତ୍ରା ପୁଣିଥରେ ହ୍ରାସ ପାଇବ। ୪୮ ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ୪ରୁ ୫ଡିଗ୍ରି କମିବାର ସମ୍ଭାବନା ରହିଛି। ରାତିର ତାପମାତ୍ରା ବି କିଛିଟା କମିବ। ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ସେହିପରି ଜଗତ୍‌ସିଂହପୁର, ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଘନ କୁହୁଡ଼ି ହେବ। ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବ ନାହିଁ। ତେଣୁ ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ‌ଲାଗି ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି। ଉତ୍ତର ଓ ଉତ୍ତର ପୂର୍ବ ଭାରତର କେତେକ ସ୍ଥାନରେ ବି କାଳବୈଶାଖୀ ବର୍ଷା ହେଉଛି। ତାହାର ପ୍ରଭାବ ପଶ୍ଚିମ ଓଡ଼ିଶା ଉପରେ ପଡ଼ୁଛି। ତେଣୁ ଆସନ୍ତା ଦୁଇ ଦିନ ପାଇଁ ବର୍ଷାର ସମ୍ଭାବନା ରହିଛି। ୧୭ ଓ ୧୮ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲକା ବର୍ଷା ସହ କୁହୁଡ଼ି ହୋଇପାରେ। ଏହାପରେ ପାଗରେ ପୁଣିଥରେ ପରିବର୍ତନ ଆସିବ। ଦିନର ତାପମାତ୍ରା ବଢ଼ିବ।

ସମ୍ବନ୍ଧିତ ଖବର