ଫିକା ପଡ଼ିବ ଦୀପାବଳି! : ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ, ୨୭ ଯାଏ ୧୭ ଜିଲ୍ଲାକୁ ୟେ‌ଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ। ଏଥିସହ ଉତ୍ତର ତାମିଲନାଡ଼ୁ-ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ। ପ୍ରଭାବରେ ୨୩ ତାରିଖ ଅପରାହ୍ନରୁ ଦକ୍ଷିଣ ଭାରତ ସମେତ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇ ୨୭ ତାରିଖ ତଥା ଦୀପାବଳି ପର୍ଯ୍ୟନ୍ତ ଲାଗିରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥିସହ ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ରହିଥିବା ଲଘୁଚାପ ବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲ୍‌ ମାର୍କଡ ଲୋ-ପ୍ରେସରରେ ପରିଣତ ହେବ। ୨୩ ତାରିଖ ବେଳକୁ ଅବପାତରେ ପରିଣତ ହୋଇ ୨୪ ତାରିଖ ଯାଏ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରିବ।

ଦୁଇଟି ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ୨୩ ତାରିଖଠାରୁ ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, କନ୍ଧମାଳ, ନୟାଗଡ଼, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ। ୨୪ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ୨୪ ଓ ୨୫ ତାରିଖରେ କଟକ, ପୁରୀ, ଖୋର୍ଧା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୬ ଓ ୨୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କଟକ, ଢେଙ୍କାନାଳ, ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଲଘୁଚାପର ଗତିବିଧି ସମ୍ପର୍କରେ ଅବଗତ ରହିବାକୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବନି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଦୁଇଟି ଯାକ ଲଘୁଚାପ ପ୍ରଭାବରେ ୨୩ରୁ ୨୭ ଯାଏ ଓଡ଼ିଶାରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ। ତେବେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର ଜିଲ୍ଲାରେ ହାଲକାରୁ ସ୍ବଳ୍ପ ବର୍ଷା ହେବ। ୨୩ରୁ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଆରମ୍ଭ ହେବ। ୨୪ ତାରିଖ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବା ସହ ଦୀପାବଳି ଦିନ ବି ବର୍ଷା ଲାଗିରହିବାର ସମ୍ଭାବନା ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୪୩.୬ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବର ‌ସମେତ ଗୋପାଳପୁର, କେନ୍ଦୁଝର, ସମ୍ବଲପୁର, ସୋନପୁରରେ ବି ହାଲକା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର