ବର୍ଷା କମିଲା, ତାତି ବଢ଼ିଲା

ଭୁବନେଶ୍ୱର: ଓଡ଼ିଶା ଉପରୁ ଲଘୁଚାପର ପ୍ରଭାବ ହଟିଯିବା ପରେ ବର୍ଷା ପରିମାଣ କମିଛି। କାଁ ଭାଁ କେଉଁଠି ବର୍ଷା ହେଉଛି। ଏହା ସତ୍ତ୍ୱେ ଆଜି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ବାରିପଦାରେ ୧୧୫.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ହୋଇଛି ୫୯ ମି.ମି. ବର୍ଷା।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ବର୍ତମାନ ରାଜ୍ୟରେ ମୌସୁମୀ ପ୍ରବାହ ସ୍ୱାଭାବିକ ରହିଛି। ଏଣୁ ବାୟୁମଣ୍ଡଳରେ ଭରି ରହିଛି ଜଳୀୟବାଷ୍ପ। ଆଜି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଦିନବେଳା ତାତି ଅନୁଭୂତ ହୋଇଛି। ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରି ଥିବା ବେଳେ କଟକରେ ୩୪.୫ ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀବାସୀ ଅକ୍ଟୋବର ମାସରେ ବି ଅନୁଭୂବ କରିଛନ୍ତି ନିଦାଘ ଖରାଦିନର ତାତି। ଏଭଳି ତାତି ବଢ଼ିଲେ ତାହା ଜଳୀୟବାଷ୍ପ ସଂସ୍ପର୍ଶରେ ଆସି ସ୍ଥାନୀୟ ବର୍ଷା ସମ୍ଭାବନା ସୃଷ୍ଟି କରୁଥିବା ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି। ଆଗାମୀ ୧୫ ତାରିଖ ସୁଦ୍ଧା କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଭୋଗରାଇରେ ସର୍ବାଧିକ ୬୫.୬ ମି.ମି. ବର୍ଷା ହୋଇଥିବା ବେଳେ ବାଲିକୁଦାରେ ୫୦ ମି.ମି., ବୋଲଗଡ଼, ଜଗନ୍ନାଥପ୍ରସାଦରେ ୩୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ବାରିପଦା, କୋରାପୁଟ ଛାଡ଼ିଦେଲେ ଫୁଲବାଣୀରେ ୧୯ ମି.ମି. ବର୍ଷା ହୋଇଛି।

ସମ୍ବନ୍ଧିତ ଖବର