ସଂକ୍ରାନ୍ତି ଯାଏ ତାତିରୁ ଆଶ୍ୱସ୍ତି
ଭୁବନେଶ୍ୱର : ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଯାଏ ବଢ଼ିବନି ତାତି। ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ପାଗ କୋହଲା ରହିବ। କାଳବୈଶାଖୀ ସହ ବର୍ଷା ହେବାର ଆଶଙ୍କା ରହିଛି। ଶନିବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ଗଜପତି, କନ୍ଧମାଳ, ବଲାଙ୍ଗୀର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିବ। ଅପରାହ୍ଣ ୨ଟାରୁ ପାଗ କୋହଲା ହେବା ସହ ବର୍ଷା ହୋଇପାରେ। କେତେକ ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ଏପ୍ରିଲ ୮ରେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀରରେ କାଳବୈଶାଖୀର ଆଶଙ୍କା ରହିଛି। ବର୍ଷା ବି ହୋଇପାରେ। ୯ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ଏପ୍ରିଲ ୧୦ରେ ଗଜପତି, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗୀରରେ କୁଆପଥର ବର୍ଷା ହେବାର ଆକଳନ କରିଛି ପାଣିପାଗ କେନ୍ଦ୍ର। ଏପ୍ରିଲ ୧୪ ପରେ ପାଗରେ ପରିବର୍ତନ ଆସିପାରେ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।
ଅନ୍ୟପକ୍ଷରେ ଆଜି ଅପରାହ୍ଣରେ ଓଡ଼ିଶାର କେତେକ ସ୍ଥାନରେ ଝଡ଼ବର୍ଷା ହୋଇଛି। କେନ୍ଦୁଝରରେ ସର୍ବାଧିକ ୨୮ ମି.ମି. ବର୍ଷା ହୋଇଥିବା ବେଳେ ଅନୁଗୁଳରେ ଦୁଇ ମି.ମି. ବର୍ଷା ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର କିନ୍ତୁ ତାତି ଜାରି ରହିଛି। ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରି ରେକର୍ଡ ହୋଇଛି।