ପଞ୍ଚଦଶ ଅର୍ଥ ଆୟୋଗରୁ ଓଡ଼ିଶାକୁ ଅଧିକ ଅର୍ଥ ମିଳିବ: ଧର୍ମେନ୍ଦ୍ର

ଭୁବନେଶ୍ୱର : ପଞ୍ଚଦଶ ଅର୍ଥ ଆୟୋଗ ପାଇଁ ଯେଉଁ କାର୍ଯ୍ୟ ସାରଣୀ ସର୍ତାବଳୀ (ଟର୍ମସ ଅଫ୍‌ ରେଫରେନ୍ସ) ଧାର୍ଯ୍ୟ ହୋଇଛି, ତାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସର୍ତ୍ତାବଳୀକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ପରେ ଏସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଲେ, ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ୍‌ ଆଧାରରେ ଓଡ଼ିଶା ପରି ରାଜ୍ୟ କ୍ଷତି ସହିବାର ଆଶଙ୍କା ଭିତ୍ତିହୀନ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ପାଇଁ ଓଡ଼ିଶା ପରି ପ୍ରଦେଶ ପଞ୍ଚଦଶ ଅର୍ଥ ଆୟୋଗରୁ ଅଧିକ ଅନୁଦାନ ପାଇବେ। ଆୟୋଗଙ୍କ ମୂଳ ଲକ୍ଷ୍ୟ ହେଉଛି ଯେଉଁ ରାଜ୍ୟଗୁଡ଼ିକ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସଫଳ କରୁଛନ୍ତି, ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ଅନୁଦାନ ଦିଆଯିବ। ଜନ୍ମ ନିୟନ୍ତ୍ରଣକୁ ସଫଳ କରିବାରେ ଓଡ଼ିଶା ଆଗୁଆ ଏବଂ ଜିଏସ୍‌ଟି ଲାଗୁ ହେବା ପରେ ଓଡ଼ିଶା ଅଧିକ ଟ୍ୟାକ୍ସ ଆଦାୟ କରୁଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ଓଡ଼ିଶା ସଫଳ ହୋଇଛି। ଏଥିପାଇଁ ଆନ୍ତର୍ଜାତିକ ସଂସ୍ଥା ଦ୍ୱାରା ଓଡ଼ିଶା ପୁରସ୍କୃତ ହୋଇଛି। ପଞ୍ଚାୟତିରାଜ ବ୍ୟବସ୍ଥା ଓଡ଼ିଶାରେ ଦୃଢ଼ ବୋଲି ନିଜେ ରାଜ୍ୟ ସରକାର ସ୍ୱୀକାର କରୁଛନ୍ତି। ଏହି ସବୁ ଯୋଜନାର ସଫଳ ରୂପାୟନ ହିଁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ୍‌ର ସର୍ତ୍ତାବଳୀ। ଯେହେତୁ ଯୋଜନାଗୁଡ଼ିକୁ ସଫଳ ରୂପାୟନ ହୋଇଛି ବୋଲି ନିଜେ ରାଜ୍ୟ ସରକାର କହୁଛନ୍ତି, ତେଣୁ ସର୍ତ୍ତାବଳୀ ଓଡ଼ିଶା ପୂରଣ କରୁଛି ବୋଲି ସ୍ପଷ୍ଟ। ସବୁଥିରେ ସଫଳ ଓଡ଼ିଶାକୁ ଆୟୋଗଙ୍କ ସର୍ତ୍ତାବଳୀ କିପରି କ୍ଷତି ପହଞ୍ଚାଇବ ବୋଲି ସେ ପ୍ରଶ୍ନ କରିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗରୁ ଓଡ଼ିଶା ଅଧିକ ଅର୍ଥ ନିଶ୍ଚିତ ପାଇବ, ଏଥିରେ ଦ୍ୱିମତ ନାହିଁ।

ସୂଚନାଯୋଗ୍ୟ ଯେ ପୂର୍ବ ଅର୍ଥ ଆୟୋଗଙ୍କ ତୁଳନାରେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସର୍ତ୍ତାବଳୀରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଏହା ଦ୍ୱାରା ଓଡ଼ିଶା ପରି ରାଜ୍ୟକୁ କମ୍‌ ଅର୍ଥ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକଟ କରିଥିଲେ।

ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ସଫଳତା ସହ ପଞ୍ଚଦଶ ଅର୍ଥ ଆୟୋଗରୁ ମିଳିବାକୁ ଥିବା ଅର୍ଥକୁ ଯୋଡ଼ିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନକୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି, ୨୦୨୨ ନୂଆ ଭାରତ ଯୋଜନାରେ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର, ସମସ୍ତଙ୍କ ଘରେ ବିଜୁଳି, ସ୍ୱଚ୍ଛତା ପାଇଁ ପାଇଖାନା ଆଦି ଯୋଜନା ପହଞ୍ଚାଇବାରେ ଭଲ କାମ କରିଥିବା ରାଜ୍ୟମାନଙ୍କୁ ଅଧିକ ଅର୍ଥ ଦିଆଯିବ। ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ ଯୋଜନାର ସଫଳ ରୂପାୟନ ହେଲେ ପଞ୍ଚାଦଶ ଅର୍ଥ ଆୟୋଗ ଅଧିକ ଅର୍ଥ ଦେବାକୁ ଯେଉଁ ଟର୍ମ ଅଫ୍‌ ରେଫରେନ୍ସ୍‌ କରାଯାଇଛି, ତାହାକୁ ମୁଖ୍ୟମନ୍ତ୍ରୀ କାହିଁକି ବିରୋଧ କରୁଛନ୍ତି ?

୧୯୭୧ ବଦଳରେ ୨୦୧୧ ମସିହାର ଜନଗଣନାକୁ ଆଧାର ମାନିଲେ ଓଡ଼ିଶାକୁ କମ୍‌ ଅର୍ଥ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କାର କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ୨୦୧୧ ଜନଗଣନାରେ ଜନସଂଖ୍ୟା କମ୍‌ କରିବାରେ ରାଜ୍ୟ ସରକାର ଭଲ କାମ କରିଥିଲେ ଏଥିପାଇଁ ତାଙ୍କୁ ପୁରସ୍କାର ଦିଆଯିବାର ବ୍ୟବସ୍ଥା ଥିବା ନେଇ ସେ ସୂଚନା ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ପଞ୍ଚଦଶ ଅର୍ଥ ଆୟୋଗ ଯେତେବେଳେ ଓଡ଼ିଶାକୁ ଆସିବେ ସେତେବେଳେ ଓଡ଼ିଶାର ସଫଳତା ଓ ବିଫଳତାକୁ ନେଇ ଖୋଲାଖୋଲି ବିତର୍କ ହେବ। ଏହି ଟର୍ମ ଅଫ୍‌ ରେଫରେନ୍ସ୍‌କୁ ତାମିଲନାଡ଼ୁ ବିରୋଧ କରିଛି। ଯଦି ଏଠାରେ ସବୁ ତାମିଲନାଡ଼ୁ ଢାଞ୍ଚାରେ ଚାଲିବ, ତେବେ ତାଙ୍କର କିଛି କହିବାର ନାହିଁ।

ସମ୍ବନ୍ଧିତ ଖବର