‘ମନ୍ତ୍ରୀ ପାହ୍ୟା’ ଭାରରେ ଯୋଜନା ବୋର୍ଡ ଚେପା

ଭୁବନେଶ୍ୱର : ରାଜ୍ୟ ଯୋଜନା ବୋର୍ଡ ଏବେ ଆହୁରି ଓଜନିଆ ହୋଇଛି। ଅବାଞ୍ଛିତ ନିଯୁକ୍ତି ଓ ସରକାରୀ ଅର୍ଥ ପ୍ରତି ସରକାରଙ୍କ ବେପରଓ୍ଵା ମନୋଭାବ ଯୋଗୁଁ ଏହି ସଂସ୍ଥାରେ ଏବେ ମନ୍ତ୍ରୀ ପାହ୍ୟାର ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି। ନିଜେ ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଛନ୍ତି। ଉପାଧ୍ୟକ୍ଷ କ୍ୟାବିନେଟ୍‌ ପାହ୍ୟାର। ଯୋଜନା ଓ ସଂଯୋଜନ ବିଭାଗର ମନ୍ତ୍ରୀ ବି ସଦସ୍ୟ। ଉପଦେଷ୍ଟା ରାଷ୍ଟ୍ର ମନ୍ତ୍ରୀ ପାହ୍ୟାର। ଏବେ ବୋର୍ଡର ସଦସ୍ୟ ରାମଚନ୍ଦ୍ର ପଣ୍ଡାଙ୍କୁ ବି ମିିଳିଯାଇଛି ରାଷ୍ଟ୍ର ମନ୍ତ୍ରୀ ପାହ୍ୟା। କଥା ସେତିକିରେ ଅଟକି ନାହିଁ। ସଚିବାଳୟରେ ମନ୍ତ୍ରୀ କରିଡର୍‌ରେ ଶ୍ରୀ ପଣ୍ଡାଙ୍କୁ ଏକ ସ୍ୱତନ୍ତ୍ର ଚାମ୍ବର୍‌ ଦିଆଯାଇଛି। ଜଣେ ରାଷ୍ଟ୍ର ମନ୍ତ୍ରୀ ଭାବେ ସମସ୍ତ ସୁବିଧା ସୁଯୋଗ ତାଙ୍କୁ ଖଞ୍ଜିଦିଆଯାଇଛି।

ସାଇନ୍‌ବୋର୍ଡ ସଂସ୍ଥା ପାଲଟିଥିବା ଯୋଜନା ବୋର୍ଡରେ ଜଣେ ସଦସ୍ୟ ଭାବେ ଶ୍ରୀ ପଣ୍ଡାଙ୍କର କାମ କ’ଣ ତାହା କାହାରିକୁ ଜଣା ନାହିଁ। କାରଣ ଖୋଦ୍‌ ଉପାଧ୍ୟକ୍ଷ କ୍ୟାବିନେଟ୍‌ ପାହ୍ୟା ପାଇଥିଲେ ବି ହାତ ବାନ୍ଧି ବସିଛନ୍ତି। ଆଉ ତିନି ବର୍ଷ ତଳୁ ନିଯୁକ୍ତି ପାଇ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ଉପଭୋଗ କରୁଥିବା ଉପଦେଷ୍ଟାଙ୍କ ସ୍ଥିତି ବି ସମାନ। ଏବେ ତାଲିକାରେ ଆଉ ଜଣେ ଯୋଡ଼ି ହେଲା ପରେ ବୋର୍ଡକୁ କି ଲାଭ ମିଳିବ, ତାହା ଚର୍ଚ୍ଚାର ବିଷୟ ହୋଇଛି।

ଯୋଜନା ବୋର୍ଡର ମୁଖ୍ୟ କାମ ହେଲା ରାଜ୍ୟ ଓ ଜିଲ୍ଲାରେ ପାଞ୍ଚ ବର୍ଷିଆ ଓ ବର୍ଷିକିଆ ଯୋଜନା ପ୍ରଣୟନ କରିବା ପାଇଁ ‘ପଲିସି ଗାଇଡ୍‌ଲାଇନ୍‌’ ଦେବ। ରାଜ୍ୟର ଅର୍ଥନୈତିକ ବିକାଶ ଓ ଉନ୍ନୟନକୁ ଆଖି ଆଗରେ ରଖି ବୋର୍ଡ ସରକାରଙ୍କୁ ସମୟୋପଯୋଗୀ ପରାମର୍ଶ ଦେବ। ସେଥି ପାଇଁ ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ସଦସ୍ୟ ରଖାଯିବାର ନିୟମ ରହିଛି। ବର୍ତ୍ତମାନ ଯୋଜନାର ଆକାର ବଢ଼ୁଥିବାରୁ ବୋର୍ଡର ଗୁରୁତ୍ୱ ବେଶ୍‌ ରହିଛି। ବୋର୍ଡକୁ ଶକ୍ତିଶାଳୀ କରାହେବ ବୋଲି ସରକାର ମଧ୍ୟ ବହୁ ସମୟରେ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିରେ ଯୋଜନା ବୋର୍ଡ ସକ୍ରିୟ ହେବା ତ ଦୂରର କଥା। ସେ ଦିଗରେ ସାମାନ୍ୟ ଉଦ୍ୟମ ବି ହେଉନାହିଁ। କିନ୍ତୁ ବୋର୍ଡରେ ଅନାବଶ୍ୟକ ନିଯୁକ୍ତି ଓ ପାହ୍ୟା ସୃଷ୍ଟି କରିବାରେ ଏ ସରକାର ଏକ ଅଲୋଡ଼ା ରେକର୍ଡ ସୃଷ୍ଟି କରିସାରିଲେଣି। ନିଯୁକ୍ତି ଦେଲା ବେଳେ ସରକାର ନିୟମକାନୁନ୍‌ ଆଦୌ ମାନିବାକୁ ପ୍ରସ୍ତୁତ ନାହାନ୍ତି। ନିୟମିତ ବ୍ୟବଧାନରେ ଶାସକ ଦଳର ଜଣେ ଜଣେ ନେତାଙ୍କୁ ଏଠାରେ ଉପାଧ୍ୟକ୍ଷ ପଦବିରେ ଥଇଥାନ କରାଯାଉଛି। ଗତ ମାର୍ଚ୍ଚ ମାସରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିବା ବିଷ୍ଣୁ ଦାସଙ୍କୁ ଏଠାରେ ଉପାଧ୍ୟକ୍ଷ କରାଯାଇଥିଲା। ତାଙ୍କୁ କ୍ୟାବିନେଟ୍‌ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ଦିଆଯାଇଛି। ସଚିବାଳୟରେ ଥିବା ଚାମ୍ବର୍‌କୁ ମଝିରେ ମଝିରେ ଆସି ବସିବାରେ ହିଁ ଶ୍ରୀ ଦାସଙ୍କ କାମ ସୀମିତ ରହିଛି।

ତିନି ବର୍ଷ ତଳେ ଗୁଜୁରାଟ କ୍ୟାଡର୍‌ର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଆର୍‌ ଏନ୍‌ ଦାସଙ୍କୁ ବୋର୍ଡର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛିଲା। ତାଙ୍କୁ ମିଳିଛି ରାଷ୍ଟ୍ର ମନ୍ତ୍ରୀ ପାହ୍ୟା। ଯୋଜନା ବୋର୍ଡକୁ ନୂଆ ରୂପ ଦେବା ପାଇଁ ଶ୍ରୀ ଦାସଙ୍କୁ ନିଯୁକ୍ତି ଦିଆଗଲା ବୋଲି ସରକାର କହିଥିଲେ। କିନ୍ତୁ ତିନି ବର୍ଷ ହେଲା ବୋର୍ଡ କି ନୂଆ ରୂପ ପାଇଲା, ତାହା ଦୁର୍ବୋଧ୍ୟ। ଯେହେତୁ ବୋର୍ଡ ନିଷ୍କ୍ରିୟ ହୋଇ ପଡ଼ିଛି, ତେଣୁ ସରକାର ଅନ୍ୟ କୌଣସି ଉଦ୍ଦେଶ୍ୟ ରଖି ଶ୍ରୀ ଦାସଙ୍କୁ ନିଯୁକ୍ତି ଦେଇଥିବା ନେଇ ଆରମ୍ଭରୁ ଯେଉଁ ଅନୁମାନ କରାଯାଉଥିଲା, ତାହା ଏବେ ଆହୁରି ଦୃଢ଼ ହୋଇଛି।

ସମାନ ଢାଞ୍ଚାରେ ନିଯୁକ୍ତି ଦିଆଯାଇଛି ଯୋଜନା ବୋର୍ଡର ସ୍ୱତନ୍ତ୍ର ସଚିବ ସୁଜିତ କୁମାରଙ୍କୁ। ଯୋଜନା ବୋର୍ଡ ଗଠନ ଦିନ ଠାରୁ ଏମିତି ଏକ ପଦବି କେବେ ନ ଥିଲା ବୋଲି କୁହାଯାଉଛି। ଆକାଶରୁ ତୋଳି ଆଣି ସରକାର ଏହି ପଦବିଟି ସୃଷ୍ଟି କଲେ। କିନ୍ତୁ ଦେଢ଼ ବର୍ଷରୁ ଅଧିକ ହେଲା ସୁଜିତ କୁମାର ନିଯୁକ୍ତି ପାଇଥିଲେ ବି ସେ କି କାମ କରୁଛନ୍ତି, ତାହା ଏବେ ପ୍ରଶାସନିକ ମହଲରେ ସମସ୍ତଙ୍କୁ ଅଜଣା। କିନ୍ତୁ ସଚିବାଳୟରେ ସ୍ୱତନ୍ତ୍ର ଚାମ୍ବର୍‌ ଓ କର୍ମଚାରୀ ତାଙ୍କୁ ଖଞ୍ଜିଦିଆଯାଇଛି। ମୋଟା ଅଙ୍କର ସରକାରୀ ଅର୍ଥ ତାଙ୍କ ପିଛା ବ୍ୟୟ ହେଉଛି।

ଏତେ କାମ କଲା ପରେ ବି ସରକାରଙ୍କୁ ମନ ବୁଝିଲାନି। ଏବେ ସଦସ୍ୟ ରାମଚନ୍ଦ୍ର ପଣ୍ଡାଙ୍କ ପାଳି। ବିଜେପିରେ ଥିଲା ବେଳେ ଶ୍ରୀ ପଣ୍ଡା ମେଣ୍ଟ ସରକାର ସମୟରେ ୨୦୦୦ ମସିହାରେ ଉପବାଚସ୍ପତି ହୋଇଥିଲେ। ଚଳିତ ବର୍ଷ ଜାନୁଆରିରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ଗତ ସେପ୍ଟମ୍ବର ମାସରେ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତ ଦିଆଗଲା। ତାଙ୍କ ପାଇଁ ପ୍ରଥମ ମହଲା ମନ୍ତ୍ରୀ କରିଡର୍‌ରେ ଚାମ୍ବର ଓ କାର୍ଯ୍ୟାଳୟ ଯୋଗାଇ ଦିଆଯାଇଛି। ଯୋଜନା ବୋର୍ଡ ସଦସ୍ୟଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା କାହିଁକି ମିଳୁଛି, ତାହା ବି ବୁଝା ପଡ଼ୁ ନାହିଁ। ପୂର୍ବରୁ ବିଭିନ୍ନ ସମୟରେ ବୋର୍ଡ ସଦସ୍ୟ ହୋଇଥିବା ବ୍ୟକ୍ତିଙ୍କୁ ଏପରି ପାହ୍ୟା ମିଳି ନାହିଁ।

ନିୟମ ଅନୁଯାୟୀ ସରକାରୀ ଓ ବେସରକାରୀ ସଭ୍ୟଙ୍କୁ ନେଇ ଯୋଜନା ବୋର୍ଡ ଗଠନ କରାଯିବା କଥା। ବୋର୍ଡରେ ମୋଟ୍‌ ୧୭ ଜଣ ସଭ୍ୟ ରହିବେ। ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଥିଲା ବେଳେ ବିଷ୍ଣୁଚରଣ ଦାସ ୨୦୧୭ ମାର୍ଚ୍ଚରୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଏହି ଦୁଇ ଜଣଙ୍କ ବାଦ୍‌ ଯୋଜନା ଓ ସଂଯୋଜନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ସଚିବ, ବିଶିଷ୍ଟ ଶିକ୍ଷାବିତ୍‌/ଅର୍ଥନୀତିଜ୍ଞ/ବୈଜ୍ଞାନିକ/ବୈଷୟିକ ଜ୍ଞାନସମ୍ପନ୍ନ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ, ପାଞ୍ଚ ଜଣ ସମାଜସେବୀ କିମ୍ବା ସାମାଜିକ ସେବା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି, ଜଣେ ଶିଳ୍ପପତି, ଦୁଇ ଜଣ ବିଧାୟକ ସଭ୍ୟ ରହିବେ। ଉନ୍ନୟନ କମିସନର୍‌ କିମ୍ବା ଅତିରିକ୍ତ ଉନ୍ନୟନ କମିସନର୍‌ ବୋର୍ଡର ସଚିବ ରହିବେ। କିନ୍ତୁ ୨୦୧୫ ନଭେମ୍ବରରୁ ୧୦ ଜଣ ବେସରକାରୀ ସଭ୍ୟଙ୍କ ସ୍ଥାନ ଖାଲି ଅଛି। ଏବେ ଶ୍ରୀ ପଣ୍ଡାଙ୍କ ନିଯୁକ୍ତି ପରେ ଖାଲି ପଦବି ସଂଖ୍ୟା ୯କୁ କମିଯାଇଛି। ଏହି ପଦ ପାଇଁ ସରକାର ସଂପୃକ୍ତ କ୍ଷେତ୍ରରୁ ଯୋଗ୍ୟ ବ୍ୟକ୍ତି ପାଉ ନାହାନ୍ତି ନା ଜାଣିଶୁଣି ବୋର୍ଡକୁ ଅକାମୀ କରିବାକୁ ଚକ୍ରାନ୍ତ କରୁଛନ୍ତି, ତାହା ବୁଝାପଡ଼ୁ ନାହିଁ। ବୋର୍ଡର ବୈଠକ ବି ୧୦ ବର୍ଷ ହେଲା ବସି ନାହିଁ। ୨୦୦୭ ମସିହା ଅକ୍ଟୋବର ୧୫ ତାରିଖରେ ଶେଷ ଥର ପାଇଁ ବୈଠକ ବସିଥିଲା। ଯଦି ବୈଠକ ବସୁନି, ତେବେ ବୋର୍ଡକୁ ଉଚ୍ଛେଦ କରିଦେଲେ ରାଜ୍ୟର କି କ୍ଷତି ହୋଇଯିବ, ତାହା ହିଁ ବର୍ତ୍ତମାନ ବଡ଼ ପ୍ରଶ୍ନ।

ସମ୍ବନ୍ଧିତ ଖବର