‘ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସୂଚନା ୭ ଦିନ ପୂର୍ବରୁ ନୁହେଁ’ : ପୁଣି ହତାଶ, ଶନିବାରରୁ ଧାରଣା

ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ ପ୍ରାୟୋଜିତ ଆଖ୍ୟା ଦୁଃଖଦାୟକ: ଦିଲୀପ

ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ଅପେକ୍ଷାରେ ଦିଲ୍ଲୀ ହଜ୍‌ଖଜ୍‌ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପଡ଼ି ରହିଥିବା ରାଉରକେଲା ଖରିଆବାହାଲ୍‌ ବସ୍ତିର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଆଜି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ (ପିଏମ୍‌ଆର୍‌ଓ)କୁ ଯାଇ ନିରାଶ ହୋଇଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଅନୁମତି ମିଳିବ କି ନାହିଁ, ସେ ସମ୍ପର୍କରେ ୭ ଦିନ ପୂର୍ବରୁ କୌଣସି ସୂଚନା ଦେବା ଅସମ୍ଭବ ବୋଲି ପିଏମ୍‌ଆର୍‌ଓର ଅଫିସର୍‌ମାନେ ମୁକ୍ତିକାନ୍ତଙ୍କୁ ଜଣାଇ ଦେଇଛନ୍ତି। ଏହା ଶୁଣିବା ପରେ ମୁକ୍ତିକାନ୍ତ ‘ସମ୍ବାଦ’କୁ କହିଛନ୍ତି ଯେ ସେ ଆସନ୍ତାକାଲି ଆଉଥରେ ପିଏମ୍‌ଆର୍‌ଓ ଯାଇ ସାକ୍ଷାତ ଅନୁମତି ଲାଗି ଅନୁରୋଧ କରିବେ। ଯଦି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ନମିଳେ, ତେବେ ସେ ପର ଦିନ (ଶନିବାର)ଠାରୁ ଧାରଣାରେ ବସିବେ। ଆସନ୍ତାକାଲି ସେ ଧାରଣାସ୍ଥଳ ଚୟନ କରି ପ୍ରଶାସନଠାରୁ ବିଧିବଦ୍ଧ ଅନୁମତି ଲୋଡ଼ିବେ।

ଅପର ପକ୍ଷରେ ରାଉରକେଲାରୁ ଦିଲ୍ଲୀ ଯାଏ ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ କଂଗ୍ରେସ ପ୍ରାୟୋଜିତ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପାଇଁ କୌଣସି ସାହାଯ୍ୟ କରିପାରିବେ ନାହିଁ ବୋଲି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ଗତକାଲି ମୁକ୍ତିକାନ୍ତଙ୍କୁ ନାସ୍ତିବାଣୀ ଶୁଣାଇବା ରାଉରକେଲାବାସୀଙ୍କୁ ଉଦ୍‌ବିଗ୍ନ କରିଛି। ରାଉରକେଲା ବିଧାୟକ ଦିଲୀପ ରାୟ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି, ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌କୁ ମେଡ଼ିକାଲ୍‌ କଲେଜରେ ରୂପାନ୍ତର ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଦାବି ସୁନ୍ଦରଗଡ଼ ଜିଲ୍ଲା ତଥା ବିଶେଷକରି ରାଉରକେଲାବାସୀଙ୍କ ଆବେଗ ସହ ଜଡ଼ିତ। ଏହି ଦୁଇଟି ପ୍ରକଳ୍ପ ପାଇଁ ଖୋଦ୍‌ ପ୍ରଧାନମନ୍ତ୍ରୀ ରାଉରକେଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୪ ବର୍ଷ ପରେ ତାହା ସୂର୍ଯ୍ୟାଲୋକ ଦେଖିପାରି ନାହିଁ। ଜନ୍ମମାଟିର ସ୍ୱାର୍ଥ ପାଇଁ ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ସ୍ମରଣ କରାଇବା ଲକ୍ଷ୍ୟରେ ପିଠିରେ ବ୍ୟାଗ୍‌ ଓ ହାତରେ ଜାତୀୟ ପତାକା ଧରି ରାଉରକେଲାରୁ ଦିଲ୍ଲୀ ୧୩୫୦ କିଲୋମିଟର ପଦଯାତ୍ରା କରିବା ତାଙ୍କ ଅଦମ୍ୟ ସାହସର ପରିଚାୟକ। କେତେକ ବ୍ୟକ୍ତିବିଶେଷ ଏହାକୁ ପ୍ରାୟୋଜିତ ବର୍ଣ୍ଣନା କରିବା ଦୁଃଖଦାୟକ ବୋଲି ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧିତ ଖବର