ଅଲଗା ହେଲେ ଜଗା ବଳିଆ

ଭୁବନେଶ୍ୱର/ନୂଆଦିଲ୍ଲୀ : ପାଖାପାଖି ୧୧ ଘଣ୍ଟାର ଅସ୍ତ୍ରୋପଚାର ପରେ ଶେଷରେ ବୁଧବାର ରାତିରେ ଜଗା ଓ ବଳିଆଙ୍କ ମୁଣ୍ଡକୁ ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ଡାକ୍ତରୀ ଦଳ ସଫଳତାର ସହିତ ଅଲଗା କରିବାରେ ସମର୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଆଜି ‘ସମ୍ବାଦ’କୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି, ଏମ୍‌ସରୁ ମିଳିଥିବା ଖବର ଅନୁସାରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଏତିକିରେ ଅପରେସନ୍‌ ଶେଷ ହୋଇନାହିଁ। ବୁଧବାର ରାତି ତମାମ ଅପରେସନ୍‌ ଜାରି ରହିବ। ରିପୋର୍ଟ ଲେଖା ହେବା ବେଳକୁ ପ୍ଲାଷ୍ଟିକ୍‌ ସର୍ଜନମାନେ ଏହି କାମରେ ଲାଗିଛନ୍ତି। ଆସନ୍ତାକାଲି ସକାଳ ୧୦ଟା ଯାଏ ଏହି ଅପରେସନ୍‌ ଚାଲିପାରେ। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଅପରେସନ୍‌କୁ ନେଇ ଡାକ୍ତରମାନେ ଆଶାବାଦୀ ଅଛନ୍ତି।

ଏପଟେ ଅତ୍ୟନ୍ତ ସମ୍ବେଦନଶୀଳ ଏହି ଅସ୍ତ୍ରୋପଚାର ଉପରେ ସମଗ୍ର ଭାରତବର୍ଷର ଚିକିତ୍ସାବିଜ୍ଞାନୀ ନଜର ରଖିଛନ୍ତି। ଓଡ଼ିଶାବାସୀ ମଧ୍ୟ ଏହାର ଫଳାଫଳକୁ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡାକ୍ତରୀ ଦଳଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଜଗା ଓ ବଳିଆ ସୁସ୍ଥ ହୋଇ ଫେରିବା ଲାଗି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି।

ପ୍ରଥମ ପର୍ଯ୍ୟାୟ ଅପରେସନ ହେବାର ୫୭ ଦିନପରେ ବୁଧବାର ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ମାରାଥନ୍‌ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ଡାକ୍ତରୀ ଦଳ ବିନା ବିରତିରେ ଅସ୍ତ୍ରୋପଚାର ଜାରି ରଖିଛନ୍ତି। ଗତ କିଛିଦିନ ହେଲା ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହୁନଥିଲା। ଏଣୁ ଦୁଇ ଦିନ ତଳେ ଜଗା ବଳିଆଙ୍କ ଅପରେସନ ଶୀଘ୍ର କରିବା ପାଇଁ ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ।

ଏହି କ୍ରମରେ ବୁଧବାର ଭୋର୍‌ ୫ଟାରେ ଜଗା ବଳିଆଙ୍କୁ ନ୍ୟୁରୋ ସାଇନ୍ସ ପ୍ରାଇଭେଟ୍‌ ଓ୍ଵାର୍ଡରୁ ଅପରେସନ ଥିଏଟରକୁ ନିଆଯାଇଥିଲା। ସେଠାରେ ୩ ଘଣ୍ଟା ଧରି ଅପରେସନ ପୂର୍ବର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଜଗା ବଳିଆଙ୍କ ଅପରେସନ ୯ଟା ବେଳେ ଆରମ୍ଭ ହୋଇଥିଲା। ଏହି ଅସ୍ତ୍ରୋପଚାରରେ ୪୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞ ଡାକ୍ତର ସାମିଲ ଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ଅପରେସନରେ ଜଣେ ବିଦେଶୀ ଡାକ୍ତର ଆସିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପାଇଁ ଆମେରିକା ଓ ଜାପାନର କିଛି ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶ ମଧ୍ୟ ନିଆଯାଇଥିବା କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ସାମିଲ ଥିବା ଡାକ୍ତରମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ସାମିଲ ଅଛନ୍ତି।

ନ୍ୟୁରୋ ବିଭାଗର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ସମ୍ପର୍କରେ ଏମ୍ସ ପକ୍ଷରୁ କିନ୍ତୁ କୌଣସି ପ୍ରକାର ଖବର ଜାରି କରାଯାଇନାହିଁ। ଅପରେସନ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜାରି ରହିବାର ସମ୍ଭାବନା ରହିଥିବା ଯୋଗୁଁ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଅପରେସନର ସଫଳତା ଏବଂ ଦୁଇ ଶିଶୁଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ପାଖରୁ ସୂଚନା ମିଳିବାର ଅନୁମାନ କରାଯାଉଛି।

ଜଗା ବଳିଆଙ୍କ ବାପା ମା’ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ସଫଳ ହେବ ବୋଲି ଆଶା ବାନ୍ଧିଥିଲେ ମଧ୍ୟ ଜଗାର ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଲଗାତାର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ନେଇ ଚିନ୍ତାପ୍ରକଟ କରିଛନ୍ତି। ଅପରେସନ ଥିଏଟର ନିକଟରେ ସମସ୍ତ ଆଗନ୍ତୁକଙ୍କ ପ୍ରବେଶକୁ ବାରଣ କରାଯାଇଛି।

ଅପରେସନ ଖବର ପ୍ରଚାର ହେବାପରେ ବହୁ ସଂଖ୍ୟକ ପ୍ରବାସୀ ଓଡ଼ିଆ ଏମ୍‌ସ ଆଡ଼େ ମୁହାଁଇବା ସହ ସେମାନଙ୍କ ଆରୋଗ୍ୟ କାମନା କରିଛନ୍ତି। ଦିଲ୍ଲୀର ସମସ୍ତ ଜଗନ୍ନାଥ ମନ୍ଦିରରେ ଜଗା ବଳିଆଙ୍କ ସଫଳ ଅସ୍ତ୍ରୋପଚାର କାମନା କରି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ପ୍ରାର୍ଥନା କରାଯାଇଛିା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗା ବଳିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟର ୨୫ ଘଣ୍ଟା ଧରି ଅପରେସନ ପରେ ଜଗାର ସଂକ୍ରମଣ, ଛାତିରେ ଯନ୍ତ୍ରଣା ତଥା ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା। ତାକୁ ଅକ୍ସିଜେନ୍‌ ମାସ୍କ ମଧ୍ୟ ଲଗାଯାଇଥିଲା। ନିୟମିତ ବ୍ୟବଧାନରେ ଜଗାକୁ ଜ୍ୱର ହେଉଥିବାରୁ ଜରୁରୀକାଳିନ ସ୍ଥିତିରେ ଅପରେସନ୍‌ର ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ଯୋଡ଼ାମୁଣ୍ଡ ଶିଶୁଙ୍କ ଦ୍ୱିତୀୟ ପର୍ଯୟ ଅସ୍ତ୍ରୋପଚାର ନଭେମ୍ବର ଦ୍ୱିତୀୟ ସପ୍ତାହରେ ହେବ ବୋଲି ପୂର୍ବରୁ ଡାକ୍ତରମାନେ ସୂଚନା ଦେଇଥିଲେ। ଗତ ଜୁଲାଇ ୧୪ରେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ସେମାନଙ୍କୁ ଭର୍ତ୍ତି କରାଯାଇଥିିଲା।

ସୂଚନାଯୋଗ୍ୟ, ଏହି ଅସ୍ତ୍ରୋପଚାରକୁ ବିରଳ ବୋଲି କୁହାଯାଉଛି। କାରଣ ଭାରତ ବର୍ଷରେ ଏହାପୂର୍ବରୁ କେବେହେଲେ କୌଣସି ଯୋଡ଼ାମୁଣ୍ଡ ଶିଶୁଙ୍କୁ ଏଭଳି ଅଲଗା କରାଯାଇ ନଥିଲା। ତେବେ ୧୯୮୮ରେ ଛୋଟି-ମୋଟି ଏବଂ ୨୦୧୩ରେ ଶିଳ୍ପା-ସେଲିଙ୍କୁ ଯୋଡ଼ା ଦେହକୁ ଅଲଗା କରିବା ଲାଗି ଅସ୍ତ୍ରୋପଚାର କରାଯାଇଥିଲା।

ସମ୍ବନ୍ଧିତ ଖବର