ଲୋକାର୍ପିତ ହେଲା ଝାରସୁଗୁଡ଼ା ବିମାନବନ୍ଦର : ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା

ଝାରସୁଗୁଡ଼ା ବିମାନବନ୍ଦର ହେବ ତ୍ରିବେଣୀ ସଂଗମ: ପ୍ରଧାନମନ୍ତ୍ରୀ, ବିମାନ ଚଳାଇବା ପାଇଁ ଦାବି କଲେ ନବୀନ, କହିଲେ କ୍ଷତିପୂରଣ ବି ଦେବୁ, କୋଇଲା ରୟାଲଟି ସଂଶୋଧନ ପାଇଁ ଦାବି ଜଣାଇଲା ଓଡ଼ିଶା

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଉ। ଏମିତି ଦାବି କଲେ ନବୀନ। ଆଉ ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଏବଂ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦ୍‌ଘାଟନ କରିବା ଛଳରେ ମୁଖ୍ୟମନ୍ତ୍ରୀଙ୍କର ଏହି ଦାବିକୁ ମାନିନେଇଛନ୍ତି। ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରି ଉଡ଼ାଣ ଯୋଜନାରେ ପ୍ରଥମ ଯାତ୍ରୀବାହୀ ବିମାନ ସେବାର ଶୁଭାରମ୍ଭ କରିଥିଲେ। ଏଥିସହିତ ଗର୍ଜନବାହାଲ ଓ ଦୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ସହ ଝାରସୁଗୁଡ଼ା, ବରପାଲି, ସବ୍‌ଡେଗା ରେଳ ଲିଙ୍କ୍‌କୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ, ଆଧୁନିକ ଓଡ଼ିଶା, ଆଧୁନିକ ଭାରତ ଏବଂ ଆଧୁନିକ ଭିତ୍ତିଭୂମିର ନିଦର୍ଶନ ଭାବେ ଝାରସୁଗୁଡ଼ା ବିମାନବନ୍ଦର ମୁଣ୍ଡ ଟେକିଛି । ଏଠାକୁ ଆସୁଥିବା ଦେଶ ବିଦେଶର ଯାତ୍ରୀମାନେ ବୀର ସୁରେନ୍ଦ୍ର ସାଏଙ୍କ ନାମ ଶୁଣି ତାଙ୍କ ବୀରତ୍ୱର ଗାଥାକୁ ମନେ ପକାଇବେ । ଝାରସୁଗୁଡ଼ା ବିମାନବନ୍ଦର ଏବେ ଭୁବନେଶ୍ୱର-ରାଞ୍ଚିି-ରାୟପୁର ସହରକୁ ଯୋଡ଼ି ତ୍ରିବେଣୀ ସଂଗମର ସ୍ଥାନ ପାଲଟିବ।

ବହୁଦିନ ପର୍ଯ୍ୟନ୍ତ ଏଭଳି ପ୍ରକଳ୍ପମାନ କାହିଁକି ପଡ଼ି ରହିଥିଲା ବୋଲି କ୍ଷୋଭ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ, ଗୁଜରାଟର କଛ ଅଞ୍ଚଳ ମରୁଭୂମି ଆଛାଦିତ। ତଥାପି ଏହି ଜିଲ୍ଲାରେ ୫ଟି ବିମାନବନ୍ଦର ରହିଛି। କିନ୍ତୁ ଓଡିଶା ଭଳି ରାଜ୍ୟରେ ମାତ୍ର ଦୁଇଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି। ଉଡ଼ାଣ ଯୋଜନାରେ ଆହୁରି ଅନେକ ବିମାନବନ୍ଦର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି।

ସ୍ୱାଧୀନତାଠାରୁ ଏପର୍ଯ୍ୟନ୍ତ ଦେଶରେ ମାତ୍ର ୪୫୦ଟି ଉଡ଼ାଜାହାଜ ରହିଥିଲା। ଏବେ ଗତ ପ୍ରାୟ ବର୍ଷକ ମଧ୍ୟରେ ୯୫୦ ଉଡ଼ାଜାହାଜ କ୍ରୟ କରିବା ଲାଗି ବରାଦ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହି ବିମାନବନ୍ଦର ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼ ଆଦି ଆଖପାଖ ଅଂଚଳରେ ପର୍ଯ୍ୟଟନ, ଶିଳ୍ପ ଓ ବେପାର ବଣିଜକୁ ବଢାଇବ ଓ ଆଦିବାସୀବହୁଳ ଅଞ୍ଚଳରେ ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ମୁଖ୍ୟ ଭୂମିକା ନିଭାଇବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଏହି ବିମାନବନ୍ଦର ପାଇଁ ରାଜ୍ୟ ସରକାର ୧୨୦ଏକର ମାଗଣା ଜମି ଓ ଜଳ, ବିଦ୍ୟୁତ ଯୋଗାଇଛନ୍ତି। ଏହି ବିମାନବନ୍ଦର ବିକାଶ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ବିମାନବନ୍ଦର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ।

ଝାରସୁଗୁଡା ବିମାନବନ୍ଦରକୁ ଏକ ବାଣିଜ୍ୟିକ ବିମାନ ବନ୍ଦରରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ଉଡାନ୍‌ ଅନ୍ତର୍ଗତ ବିମାନ ବ୍ୟତୀତ ଅନ୍ୟ ବ୍ୟାବସାୟିକ ବିମାନ ଚଳାଇବା ଲାଗି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ମଧ୍ୟରୁ ଗୋଟିଏ ବିମାନକୁ ଝାରସୁଗୁଡା ଦେଇ ଚଳାନ୍ତୁ। ଯେଉଁ ସିଟ୍‌ ବଳକା ରହିବ, ସେ ବାବଦ ଅର୍ଥ ରାଜ୍ୟ ସରକାର ଦେବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଏକ ବଡ଼ ପ୍ରସ୍ତାବ ରଖିଥିଲେ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ କହିଥିଲେ, ଝାରସୁଗୁଡା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଓଡ଼ିଶା ବିଧାନସଭାରେ ମଧ୍ୟ ଏ ସଂକ୍ରାନ୍ତରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟରେ ପଶ୍ଚିମ ଭାଗରେ ଦ୍ୱିତୀୟ ବିମାନ ବନ୍ଦର ଉଡ଼ାଣ ଲାଗି କ୍ଷେତ୍ର ପ୍ରସ୍ତୁତ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଏହି ଅବସରରେ ଧନ୍ୟବାଦ ଜଣାଇଥିଲେ।

କୋଇଲା ଖଣି ପ୍ରକଳ୍ପ, ରେଳ ଲିଙ୍କ୍‌ ଲୋକାର୍ପଣ ନେଇ ଖୁସି ବ୍ୟକ୍ତ କରି ନବୀନ କହିଥିଲେ, କୋଇଲା ଉତ୍ତୋଳନ କ୍ଷେତ୍ରରେ ଓଡ଼ିଶାର ଅବଦାନ ଜାତୀୟ ଅର୍ଥନୀତିରେ କିଛି କମ୍‌ ନୁହେଁ। କୋଇଲା ଖଣି ଉତ୍ତୋଳନର ପ୍ରତିକୂଳ ପ୍ରଭାବ ମଧ୍ୟ ପଡୁଛି। ଲୋକେ ବିସ୍ଥାପନ ହେଉଛନ୍ତି, ଜଙ୍ଗଲ ଅଞ୍ଚଳ କମୁଛି, ପରିବେଶ ପ୍ରଦୂଷଣ ହେଉଛି ଓ ଜଳଉତ୍ସ ଓ ଭିତ୍ତିଭୂମି ମଧ୍ୟ ପ୍ରଭାବିତ ହେଉଛି। ଏଣୁ କୋଇଲା ଖଣି କ୍ଷେତ୍ରର ରାଜସ୍ୱରୁ ଓଡ଼ିଶା ଆଶା ରଖିବା ସ୍ୱାଭାବିକ। ଏଥିସହିତ ମୁଖ୍ୟମନ୍ତ୍ରୀ କୋଇଲା ରୟାଲ୍‌ଟି ସଂଶୋଧନ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କହିଥିଲେ, ଏହାଦ୍ୱାରା ରାଜ୍ୟର ବିକାଶକୁ ତ୍ୱରାନ୍ଵିତ କରାଯାଇପାରିବ।

ସମାରୋହରେ ଯୋଗଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଉଡ଼ାଣ ଯୋଜନାରେ ୫୬ ବିମାନବନ୍ଦର ଓ ୩୬ଟି ହେଲିପ୍ୟାଡ୍‌କୁ ବିକାଶିତ କରାଯାଉଛି ବୋଲି ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ଗଣେଶୀଲାଲ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର