ଓଡ଼ିଶୀ ଗୁରୁ ଦେବପ୍ରସାଦ ଦାସଙ୍କ ଜୟନ୍ତୀକୁ ନେଇ ବିବାଦ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟ ଜଗତର ପ୍ରଥିତଯଶା ଗୁରୁ ସ୍ୱର୍ଗତ ଦେବପ୍ରସାଦ ଦାସଙ୍କ ଜନ୍ମ ବର୍ଷକୁ ନେଇ ଉଠିଛି ବିବାଦ। ଗୁରୁ ଦେବପ୍ରସାଦଙ୍କ ଜନ୍ମ ୧୯୩୨ ମସିହା ଅକ୍ଟୋବର ୨୮ ତାରିଖ। ଏହି ଅନୁସାରେ ଚଳିତ ବର୍ଷ ତାଙ୍କର ୮୬ତମ ଜୟନ୍ତୀ ପାଳିତ ହେବା କଥା। କିନ୍ତୁ ଓଡ଼ିଶୀ ନୃତ୍ୟାନୁଷ୍ଠାନ ‘ତ୍ରିଧାରା’ ପକ୍ଷରୁ ତାଙ୍କ ବୟସକୁ ୪ ବର୍ଷ ଗଡ଼ାଇ ପାଳନ କରାଯାଉଛି। ଏହି କ୍ରମରେ ଚଳିତ ବର୍ଷ ତାଙ୍କର ଜନ୍ମ ଦିନ ପୂର୍ବରୁ ଜୁନ୍‌ ୧ ତାରିଖରେ ୯୦ତମ ଜୟନ୍ତୀ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଛି। ଏନେଇ ଗୁରୁ ଦେବପ୍ରସାଦଙ୍କ ପରିବାର ପକ୍ଷରୁ ଜୟନ୍ତୀ ବର୍ଷରେ ସଂଶୋଧନ ପାଇଁ ‘ତ୍ରିଧାରା’ର ମୁଖ୍ୟ ଗଜେନ୍ଦ୍ର ପଣ୍ଡାଙ୍କ ନିକଟରେ ୭ ବର୍ଷ ହେଲା ଦାବି କରାଯାଉଛି। ଶ୍ରୀ ପଣ୍ଡା ପରିବର୍ତନ କରିବେ ବୋଲି ଆଶ୍ୱାସନା ବି ଦେଉଛନ୍ତି। କିନ୍ତୁ କାର୍ଯ୍ୟକ୍ରମ କରିବା ବେଳେ ୪ବର୍ଷ ଗଡ଼ାଇ ଜୟନ୍ତୀ ଆୟୋଜନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ୱର୍ଗତ ଦାସଙ୍କ ପତ୍ନୀ ଜିତାରାଣୀ ଦାସ। ଜୟନ୍ତୀ ବର୍ଷ ପରିବର୍ତନ କରି ଏଥିପାଇଁ ଶ୍ରୀ ପଣ୍ଡା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଜିତାରାଣୀ ଦାସ କହିଛନ୍ତି। ତେବେ ଏନେଇ ଅଭିଯୋଗ କଲେ, ଗୁରୁ ଦେବପ୍ରସାଦ ଦାସ ଆଉ କ’ଣ ଚାକିରି କରିବେ ଯେ, ତାଙ୍କ ବୟସକୁ ନେଇ ଏତେ ଦାବି କରୁଛ ବୋଲି ଗଜେନ୍ଦ୍ର ପଣ୍ଡା ଓଲଟି ପ୍ରଶ୍ନ କରୁଛନ୍ତି ବୋଲି କହିଛନ୍ତି ଦେବପ୍ରସାଦଙ୍କ ଝିଅ ତଥା ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ୍‌ର ସମ୍ପାଦିକା ବିପଞ୍ଚୀ ଦାସ।

ଆଜି ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ତବଲା ବାଦକ ତଥା ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପଣ୍ଡିତ ଉମେଶ ଚନ୍ଦ୍ର କର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ବାରମ୍ବାର କହିବା ସତ୍ତ୍ୱେ ଶ୍ରୀ ପଣ୍ଡା ଏମିତି ଭୁଲ କରିବା କୌଣସି ପକ୍ଷେ ଗ୍ରହଣୀୟ ନୁହେଁ। ପୂର୍ବତନ ପ୍ରଶାସକ ମେଜର ଜେନେରାଲ୍‌ ସୌମେନ୍ଦ୍ର ଦେବ ମହାନ୍ତି କହିଛନ୍ତି ଯେ, ଓଡ଼ିଶୀ ନୃତ୍ୟଜଗତର ୩ ଅଗ୍ରଣୀ ଗୁରୁଙ୍କ ମଧ୍ୟରେ ଗୁରୁ ଦେବପ୍ରସାଦ ଦାସ ଅନ୍ୟତମ ଶ୍ରେଷ୍ଠ ଗୁରୁ। ମାତ୍ର ତାଙ୍କର ଶିଷ୍ୟ ଏଭଳି ଭୁଲ କରିବା ଗ୍ରହଣୀୟ ନୁହେଁ। ଏନେଇ ‘ତ୍ରିଧାରା’ର ଗୁରୁ ଶ୍ରୀ ପଣ୍ଡା କହିଛନ୍ତି ଯେ, ଭୁଲରେ କାର୍ଡରେ ୯୦ତମ ଜୟନ୍ତୀ ବୋଲି ଛପା ସରିଥିବା ବେଳେ ଆଗକୁ ପ୍ରମାଣ ଭିତ୍ତିରେ ଜୟନ୍ତୀ ବର୍ଷ ପରିବର୍ତନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର