ଅନନ୍ତ ଓଝାଙ୍କ ପରଲୋକ

କେନ୍ଦ୍ରାପଡ଼ା : ଆଜି ଥିଲା ୨୦୧୭ର ଶେଷ ଦିନ। ନୂଆବର୍ଷକୁ ଆମନ୍ତ୍ରଣ ପାଇଁ ଚାରିଆଡ଼ ଉତ୍ସବମୁଖର ଥିବା ବେଳେ ଓଡ଼ିଆ ଯାତ୍ରା ଜଗତକୁ ଆଜି ସବୁଠୁ ବଡ଼ ଧକ୍କା ଲାଗିଛି। ଓଡ଼ିଆ ଯାତ୍ରା ଜଗତର ବାଦ୍‌ଶାହ, ପ୍ରସିଦ୍ଧ ଓଡ଼ିଆ ଯାତ୍ରା ଲେଖକ, କଳାକାର, ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ଓଝା ପରଲୋକ ଗମନ କରିଛନ୍ତି। ଆଜି ସଂଧ୍ୟା ପ୍ରାୟ ୬ଟା ୫୦ ମିନିଟ୍‌ ସମୟରେ ବେଙ୍ଗାଲୁରୁର ଏଚ୍‌ସିଜି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅଖ୍ୟାତ ପଲ୍ଲୀ ବୀର ନୀଳକଣ୍ଠପୁରରେ ଜନ୍ମ ଗ୍ରହଣ କରିଥିବା ନାଟ୍ୟକାର ଓଝା ଉଭୟ ନାଟ୍ୟ ସାହିତ୍ୟ ଓ ଯାତ୍ରାଜଗତକୁ ପରିପୁଷ୍ଟ କରିଛନ୍ତି। ଏଥିପାଇଁ ତାଙ୍କୁ ୩ ଦଶନ୍ଧି ଧରି ଦର୍ଶକ ମହଲରୁ ସ୍ୱକୀୟ ସ୍ୱୀକୃତି ସହ ୭୦ରୁ ଅଧିକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ କରାଯାଇଛି। ସାଂପ୍ରତିକ ଓଡ଼ିଆ ଯାତ୍ରା ଜଗତରେ ନାଟକର ଲୋକପ୍ରିୟତା, ବ୍ୟାବସାୟିକ ସଫଳତା ଓ ଉତ୍କର୍ଷର ସିମା ସରହଦ ସ୍ପର୍ଶ କରିଥିବା ବେଳେ ନାଟ୍ୟକାର ଅନନ୍ତ ଓଝାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଦ୍ୱାରା ରଚିତ ୬୦ରୁ ଊର୍ଦ୍ଧ୍ୱ ପ୍ରକାଶିତ ନାଟକ, ୪୦ରୁ ଊର୍ଦ୍ଧ୍ୱ ଅପ୍ରକାଶିତ ପାଣ୍ଡୁଲିପି ଅନନ୍ତଙ୍କ ସୃଜନଶୀଳ ନାଟ୍ୟ ସୃଷ୍ଟିର ବଳିଷ୍ଠ ପ୍ରମାଣ। ସେ ଓଡ଼ିଶାର ଶ୍ର୍ରେଷ୍ଠ ନାଟ୍ୟକାର ଭାବେ ସ୍ୱୀକୃତି ପାଇଥିଲେ।

ମୋ ପେଁକାଳି ବଜାଇ ଦେ.., ଭଲ ମଣିଷ ଖୋଜା ଚାଲିଛି, ଖଜୁରି ଗଛ ମୂଳରୁ ପାହାଚ ପାହାଚ, ଛତା ଚିହ୍ନରେ ଭୋଟ ଦିଅ, ହରେକୃଷ୍ଣ ହରୋରାମ, ଜୀଅନ୍ତା ଶବ, ବିଦେଶିନୀ, ବାଜିଗଲେ ଦୋଷ ନାହିଁ, ଅସତ୍ୟ ସହର, କଂସା କବାଟ, ବଇନା ଦେଇଛି ବାହା ହବାକୁ, ବିଦେଶିନୀ, ଆକାଶବାଣୀ କଟକ, ବଜାରି ବୁଢ଼ା, ମୁଇଁ ସମ୍ବଲପୁରୀ ନନୀ, ପ୍ରଳୟ ୨୦୧୨, ରାଜା ଝିଅ ରୁଷିଛି, ସବୁ ବାପାଙ୍କ ଦୋଷ, ରୁଷ୍‌ ନା ମୋ ସାନ ଭଉଣୀ, କାଉଁରୀ କନ୍ୟା, କଳିଯୁଗ ତୋତେ ନମସ୍କାର (ଶେଷ ନାଟକ ‘ସ୍ୱର୍ଣ୍ଣ ମହଲ’ରେ) ପ୍ରଭୃତି ନାଟକ ଅନ୍ତଙ୍କ କାଳଜୟୀ କୃତି । ତେବେ ସେଠାରେ ମେଡିକାଲ ବିଲ୍‌ ବାବଦରେ ୬ ଲକ୍ଷ ଟଙ୍କା ବାକି ଥିବା ବେଳେ ମରଶରୀରକୁ ନିଜ ଜନ୍ମମାଟିକୁ ଆଣିବା ପାଇଁ ତାଙ୍କ ପାଖରେ ଅର୍ଥାଭାବ ଏକ ସମସ୍ୟା ବୋଲି ତାଙ୍କ ସମ୍ପର୍କୀୟଙ୍କ ସୂତ୍ରରୁ ଜଣାପଡ଼ିଛି ।

ପ୍ରଥମେ ଅନନ୍ତ ୨୦୧୩ରେ କର୍କଟରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ତାଙ୍କୁ ବେଙ୍ଗାଲୁରୁର ସାପାଙ୍ଗା ରାମନଗର ହେଲଥ୍‌ କେୟାର ଗ୍ଲୋବାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଏକ ଅସ୍ତ୍ରୋପଚାର ପରେ ସେ ସାମାନ୍ୟ ସୁସ୍ଥ ହୋଇ ପୁଣି ଲେଖନୀ ଜାରି ରଖିଥିଲେ। ଏକାଧିକ ଅସ୍ତ୍ରୋପଚାର କଲେ ଆଉ ୭/୮ ବର୍ଷ ସେ ସୁସ୍ଥ ଜୀବନ ଜିଇଁ ପାରିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଡା. ବିଶାଳ ରାଓ ଓ ଡା. ଗୋପୀନାଥ ଆଶ୍ୱାସନା ଦେଇଥିଲେ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ଚାଲିଲା । ନାଟ୍ୟକାରଙ୍କ ପରିବାର ମାତ୍ର ୩ ଲକ୍ଷ ଟଙ୍କା ଯୋଗାଡ଼ କରି ପାରିଥିଲେ। ରାଜ୍ୟ ସରକାର ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଅଭିନେତା ଦୈତାରୀ ପଣ୍ଡା ଓ ଅନ୍ୟ କଳାକାରମାନେ କେନ୍ଦ୍ରାପଡ଼ା ସହରରେ ରୋଡସୋ କରି ତାଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିଥିଲେ । ବିଶିଷ୍ଟ ଓଡ଼ିଆ, ହିନ୍ଦୀ ସଂଗୀତ ତଥା ବଲିଉଡ଼୍‍ ଜଗତର କଣ୍ଠଶିଳ୍ପୀ ଲୋପିତା ମିଶ୍ର(ହୋତା) ଅନନ୍ତଙ୍କ ଚିକିତ୍ସା ପାଇଁ ପଦ୍ମଶ୍ରୀ ବିନୋଦ ଖାନ୍ନାଙ୍କ ଶ୍ରଦ୍ଧାଂଜଳି ଅବସରରେ ମୁମ୍ବାଇର ଦୀନନାଥ ମଙ୍ଗେସକର ଅଡିଟୋରିଅମ୍‌ରେ ଏକ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ବାର ଆସୋସିଏସନ୍‌ ସଭାପତି ଦେବଦାସ ମହାନ୍ତି ଗଭୀର ଶୋକ ପ୍ରକଟ କରିଛନ୍ତି । ଅତନୁ ସବ୍ୟସାଚୀ ନାୟକ, ପାଟକୁରା ବିଧାୟକ ବେଦୁ ପ୍ରକାଶ ଅଗ୍ରଓ୍ଵାଲ, କେନ୍ଦ୍ରାପଡ଼ା ବିଧାୟକ କିଶୋର ଚନ୍ଦ୍ର ତରାଇ ପୃଥକ୍‌ ପୃଥକ୍‌ ଶୋକ ବାର୍ତାରେ ଏହି ମହାନ କଳାକାରଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଡ. ବାସୁଦେବ ଦାସ, ସମ୍ବାଦ ସାହିତ୍ୟ ଘର ସଭାପତି ଶୁଭାଂଶୁ ଦାସ ଓ ସମ୍ପାଦକ ମନୋଜ ଦାସ ମଧ୍ୟ ଗଭୀର ଶୋକ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର