ଓଏଫ୍‌ଡିସିର ବନୀକରଣ କେଳେଙ୍କାରୀ : ବଦଳିଲା ସୂଚନା ବୋର୍ଡ

ତଦନ୍ତକାରୀଙ୍କୁ ଭୁଆଁ ବୁଲାଇଲେ ଅଧିକାରୀ

ଯାଜପୁର/ରଗଡ଼ି : ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫଡ଼ିସି) ଯାଜପୁରରୋଡ଼ ଡିଭିଜନର ବନୀକରଣ କେଳେଙ୍କାରୀ ଉପରୁ ପର୍ଦ୍ଦା ହଟିବାରେ ଲାଗିଛି। ବନୀକରଣ ନାମରେ ହେରାଫେରି ହୋଇଥିବା କୋଟି କୋଟି ଟଙ୍କାର ତଥ୍ୟ ଭିତ୍ତିକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତକାରୀ ଦଳକୁ ମଧ୍ୟ ଅଧିକାରୀ ବିଭ୍ରାନ୍ତ କରିବାରେ ଲାଗିଛନ୍ତି। ଇତିମଧ୍ୟରେ ବନୀକରଣ ସଂପର୍କିତ ସୂଚନା ବୋର୍ଡ଼କୁ ବଦଳାଇ ଦିଆଯାଇଛି। ପୂର୍ବରୁ ପ୍ରକଳ୍ପ ପରିବର୍ତ୍ତନ କରିବା ସହିତ ସ୍ଥାନ ମଧ୍ୟ ‌ପରିବର୍ତ୍ତନ କରାଯାଇଥିଲା। ଏଭଳି ସ୍ଥିତିରେ ବ୍ୟାପକ ଘୋଟାଲା ହୋଇଥିବା ଜଳଜଳ ଦିଶୁଛି।

ଗତ ୨ ବର୍ଷ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ଯାଜପୁରରୋଡ଼ ଡ଼ିଭିଜନ୍ ପକ୍ଷରୁ ଯାଜପୁର ଜିଲ୍ଲା ସମେତ ପଡୋଶୀ ଜିଲ୍ଲାଗୁଡ଼ିକରେ ବ୍ୟାପକ ବନୀକରଣ କାର୍ଯ୍ୟ ହାତକୁ ନିଆଯାଇଥିଲା। କେବଳ ସେତିକି ନୁହେଁ ଗଛ କଟିବା କାର୍ଯ୍ୟ ମଧ୍ୟ କରାଯାଇଥିଲା। ଏହି ଦୁଇ କାର୍ଯ୍ୟରୁ କୋଟି କୋଟି ଟଙ୍କା ମୁନାଫା କମାଇଛନ୍ତି। ଏପରିକି ବାହାର ରାଜ୍ୟରୁ କମ୍ ଦାମରେ ନିମ୍ନମାନର ଚାରା ଆଣି ଏଠା‌େର ନର୍ସରୀ କରାଯାଇଥିବା ନାମରେ ମଧ୍ୟ ବ୍ୟାପକ ଅର୍ଥ ଘୋଟାଲା କରାଯାଇଛି। ଏବେ ଏହି ଘୋଟାଲା ଧରାପଡ଼ିଯିବା ପରେ ସୂଚନା ଫଳକକୁ ବଦଳାଇ ଦିଆଯାଇଛି। ପୂର୍ବରୁ ଏଠାରେ ୩ ହଜାର ଗଛ ଲାଗିଛି ବୋଲି ଦର୍ଶାଯାଇଥିଲା। ଏବେ ୫ ହଜାର ଗଛ ଲାଗିଛି ବୋଲି ଦର୍ଶାଯାଇଛି। ଓଇଏମଏଫ୍ ସହରୀ ବନୀକରଣ ପାଇଁ ଆସିଥିବା ବେଳେ କିପରି ଏଠାରେ ବନୀକରଣ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି। ଖବର ପ୍ରକାଶ ପରେ ତଦନ୍ତକାରୀ ଦଳ ଘଟଣାସ୍ଥଳ ଗସ୍ତ କରି ଗଛ ଗଣିଛନ୍ତି ବୋଲି ଡିଭିଜନ୍ ମ୍ୟାନେଜର ଜଗନ୍ନାଥ ସ୍ବାଇଁ କହିଛନ୍ତି। ଏଠାର ୫ହଜାର ୨୪୧ଗଛ ଲାଗିଛି ବୋଲି ତଦନ୍ତରୁ ଜଣାପଡ଼ିଥିବାର ଡିଏମ ଶ୍ରୀ ସ୍ବାଇଁ କହିଛନ୍ତି।

ଅନୁସନ୍ଧନ ଟିମ୍ ଗଛ ଗଣତିରୁ ଜଣାଯାଇଛି ଯେ ଏଠାରେ ୪୭୬୫ଗଛ ଲଗାଯାଇଛି। ଦୁଇଟି ତଦନ୍ତରେ ପ୍ରାୟ ୪୭୬ଟି ଗଛ ପାର୍ଥକ୍ୟ ଦେଖିବାକୁ ମିଳିଛି। ପ୍ରତି ଗଛରେ ଏକ ହଜାର ବ୍ୟୟ କରାଯାଉଛି। ଯଦି ୨ଶହ ଗଛ କମ୍ ହୋଇଥାଏ। ଏହି ବାବଦରେ ପ୍ରାୟ ୨ଲକ୍ଷ ଟଙ୍କା ସିଧାସଳଖ ହଡ଼ପ କରାଯାଇଛି। ଏହି ଭଳି ଭାବେ ପ୍ରତି ବନୀକରଣ ପ୍ରକଳ୍ପରେ ଖୋଳେଇ ଠାରୁ ଆରମ୍ଭ କରି ବାଡ଼ବନ୍ଧିରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଚଣ୍ଡିଖୋଲରୁ ବଳଭଦ୍ରପୁର ଓ ବ୍ରାହ୍ମଣୀ ବ୍ରିଜ୍ ପର୍ଯ୍ୟନ୍ତ ୪.୮୯ କୋଟି ଟଙ୍କା ବନୀକରଣରେ ବ୍ୟାପକ ଘୋଟାଲା ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର