ବାତିଲ ହେଲା ବନ ଉନ୍ନୟନ ନିଗମ ଲିଖିତ ପରୀକ୍ଷା

କର୍ତ୍ତୃପକ୍ଷଙ୍କ ବେପରୱା କାମ, ପରୀକ୍ଷା କେନ୍ଦ୍ରରେ ତୀବ୍ର ଉତ୍ତେଜନା

ଭୁବନେଶ୍ବର : ବନ ଉନ୍ନୟନ ନିଗମ ପକ୍ଷରୁ କନିଷ୍ଠ ପରିଚାଳକ ପଦବି ନିମନ୍ତେ ଆଜି ଥିବା ଲିଖିତ ପରୀକ୍ଷା ବାତିଲ ହୋଇଛି। କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟିକୁ ନେଇ ଧାର୍ଯ୍ୟ ପରୀକ୍ଷା କେନ୍ଦ୍ର ୟୁନିଟ-୧ସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲରେ ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ୨ ହଜାରରୁ ଊର୍ଦ୍ଧ୍ବ ଆବେଦନକାରୀ ପରୀକ୍ଷା ବାତିଲକୁ ‌ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ହୋ ହଲ୍ଲା କରିବାରୁ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଫର୍ମ ପୂରଣ ପାଇଁ ଉନ୍ନୟନ ନିଗମ ନେଇଥିବା ୧ ହଜାର ଟଙ୍କା ସହ ଏଠାକୁ ଆସି ହତାଶ ହୋଇ ଫେରିଥିବା ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ଯାତାୟାତ ଖର୍ଚ୍ଚ ପ୍ରଦାନ କରିବା ପାଇଁ ଆବେଦନକାରୀ ଜିଦ୍‌ କରିଥିଲେ। ଘଟଣାସ୍ଥଳରେ କମିସନରେଟ୍‌ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ପରୀକ୍ଷାର୍ଥୀମାନଙ୍କୁ ଦୀର୍ଘ ସମୟ ଧରି ବୁଝାଶୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଅପରପକ୍ଷେ ପରେ କେବେ ପରୀକ୍ଷା ହେବ, ସେ ନେଇ ଆବେଦନକାରୀଙ୍କୁ ଅବଗତ କରି ଦିଆଯିବ ବୋଲି ବିଜ୍ଞପ୍ତି ଜରିଆରେ ବନ ଉନ୍ନୟନ ନିଗମ ପକ୍ଷରୁ କୁହାଯାଇଛି। ପଇସା ଫେରାଇବା ସହ ପ୍ରଶ୍ନପତ୍ର ଖୋଲି ଦିଆଯାଇଥିବାରୁ ଏହି ପ୍ରଶ୍ନପତ୍ର ଆଉ ବ୍ୟବହାର ନ କରିବାକୁ ଆବେଦନକାରୀ ଦାବି କରିଛନ୍ତି।

ଗତ ଜୁନ୍‌ ମାସରେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ପକ୍ଷରୁ ସହକାରୀ ଓ କନିଷ୍ଠ ପରିଚାଳକ ପାଇଁ ୪୫ ପଦବିରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ୪୫ ପଦ ପାଇଁ ପାଖାପାଖି ୨,୨୦୦ ଆବେଦନ ପତ୍ର ଆସିଥିଲା। ଆବେଦନ କରିବା ପାଇଁ ହେଲେ ନିଗମ ନାମରେ ୧ ହଜାର ଟଙ୍କା ବ୍ୟାଙ୍କ୍‌ ଡ୍ରାଫ୍ଟ ଦେବାକୁ ପଡ଼ିଥିଲା। ୬ ଟି ବିଷୟରେ ୩୦୦ ମାର୍କର ପରୀକ୍ଷା ହେବା ପାଇଁ ଆଜିକୁ ଧାର୍ଯ୍ୟ କରାଯାଇ ଆବେଦନକାରୀଙ୍କୁ ଡକାଯାଇଥିଲା। ବିଜ୍ଞାପନରେ ଆବେଦନପତ୍ର ସହ ଆଡ୍‌ମିଟ୍‌ କାର୍ଡର ଫର୍ମାଟ ରହିଥିଲା। ଏଥିରେ ଆବେଦନକାରୀ ନିଜ ଫଟୋ ଲଗାଇ ପରୀକ୍ଷା କେନ୍ଦ୍ର ଆସିଥି‌ଲେ। ପୂର୍ବରୁ କୁହାଯାଇଥିଲା ଯେ ୯ଟାରୁ ୧୦ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନାମ ପଞ୍ଜୀକରଣ କରିବେ। ସେହି ଆଡ୍‌ମିଟ୍ କାର୍ଡ ଫର୍ମାଟ୍‌ରେ ସେଠାରେ ଉପସ୍ଥିତ ଥିବା ବନ ଉନ୍ନୟନ ନିଗମର ପ୍ରତିନିଧି ଷ୍ଟାମ୍ପ୍ ମାରି ନମ୍ବର ପକାଇବେ। ତାହା ପରେ ସଂପୃକ୍ତ ଆବେଦନକାରୀ ପରୀକ୍ଷା ହଲ୍‌ରେ ଯାଇ ପରୀକ୍ଷା ଦେଇପାରିବେ। କିନ୍ତୁ ଏହି ପଞ୍ଜୀକରଣରେ ହିଁ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଲା। ମାତ୍ର ଜଣେ ବ୍ୟକ୍ତି ଷ୍ଟାମ୍ପ୍ ମାରି ନମ୍ବର ପକାଉଥିଲେ। ଏକ ଘଣ୍ଟା ଭିତରେ ୨୦୦୦ରୁ ଅଧିକ ପିଲାଙ୍କର ନାମ ପଞ୍ଜୀକୃତ କରିବା ସମ୍ଭବ ହେଲାନି। ୧୦ଟାରେ ପରୀକ୍ଷା ହେବାର ଥିଲେ ବି ୧୧ଟା ଯାଏ ଆରମ୍ଭ ହୋଇପାରିଲା ନାହିଁ। ଫଳରେ ସେଠାରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ନିଗମର ଅଧିକାରୀମାନେ ‌ପିଲାଙ୍କ ଅସନ୍ତୋଷ ଦେଖି ସେଠାରୁ ଛାଡ଼ି ଚାଲିଯାଇଥିଲେ। ଶେଷରେ କର୍ତ୍ତୃପକ୍ଷ ପରୀକ୍ଷା ବାତିଲ କରିଥିବା ଘୋଷଣା କରିଥିଲେ।

କିନ୍ତୁ ସ୍କୁଲ୍ ପରିସରରେ ପ୍ରବଳ ଉତ୍ତେଜନା ଲାଗି ରହିବାରୁ ପୁଲିସ୍‌ ମୁତୟନ କରାଯାଇଥିଲା। ପାଖାପାଖି ୨୦୦୦ରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ନାକେଦମ୍‌ ହୋଇଥିଲା। ବନ ଉନ୍ନୟନ ନିଗମ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଏହି ଆବେଦନକାରୀ ହତାଶ ହୋଇଥିବାରୁ ତୃତୀୟ ପକ୍ଷଙ୍କ ଜରିଆରେ ଅନ୍‌ଲାଇନ୍‌ ପରୀକ୍ଷା କରାଇବାକୁ ଆବେଦନକାରୀ ଲିଖିତ ଭାବେ ଜଣାଇଛନ୍ତି। ଏହି ସବୁ ଦାବି ପୂରଣ ନ ହେଲେ ଆଗକୁ ହେବାକୁ ଥିବା ଏଭଳି ପରୀକ୍ଷାରେ ପୁଣି ବିଶୃଙ୍ଖଳା ହେବ ବୋଲି କେତେକ ଆବେଦନକାରୀ ଚେତାବନୀ ଦେଇଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି।

ସମ୍ବନ୍ଧିତ ଖବର